ଆସନ୍ତା ୧୦ରେ ରାଉରକେଲା ଯିବେ ନବୀନ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ ତାରିଖରେ ରାଉରକେଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏଫଆଇଏଚ ହକି ପ୍ରୋ ଲିଗ୍ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ ତାରିଖରେ ରାଉରକେଲା ଗସ୍ତ କରିବେ । ମୁଖ୍ୟମନ୍ତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଏଫଆଇଏଚ ହକି ପ୍ରୋ ଲିଗ୍ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏଥି ସହିତ ୧୨୪ କୋଟି ବ୍ୟୟରେ ନିର୍ମିତ ବିର୍ସା ମୁଣ୍ଡା ଆଥଲେଟିକ୍ସ ଷ୍ଟାଡିୟମର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏନେଇ ବିଜେଡି ବିଧାୟକ ଶାରଦା ନାୟକ ସୂଚନା ଦେଇଛନ୍ତି ।
ସୂଚନାଥାଉ କି, ମାର୍ଚ୍ଚ ୧୦ରେ ଭାରତ ଓ ଜର୍ମାନୀ ମଧ୍ୟରେ ଏଫଆଇଏଚ ହକି ପ୍ରୋ ଲିଗର ଉଦଘାଟନୀ ମ୍ୟାଚ ଅନୁଷ୍ଠିତ ହେବ । ଭାରତ ସମେତ ବିଶ୍ବବିଜୟୀ ଜର୍ମାନୀ ଓ ବିଶ୍ବ ର଼୍ୟାଙ୍କିଂର ଚତୁର୍ଥ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ମଧ୍ୟରେ ମୋଟ ୬ଟି ମ୍ୟାଚ୍ ଖେଳାଯିବ । ପ୍ରତ୍ୟେକ ଦଳ ପରସ୍ପର ବିପକ୍ଷରେ ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ । ମାର୍ଚ୍ଚ ୧୧ ତାରିଖରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ୧୨ରେ ଭାରତ ଓ ଅଷ୍ଟ୍ରେଲିଆ, ୧୩ରେ ଭାରତ ଓ ଜର୍ମାନୀ, ୧୪ରେ ଜର୍ମାନୀ ଓ ଅଷ୍ଟ୍ରେଲିଆ ଏବଂ ମାର୍ଚ୍ଚ ୧୫ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ମୁଖ୍ୟମନ୍ତ୍ରୀ ଏହି ଗସ୍ତ ସମୟରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକରେ ସ୍ଥାପିତ ହୋଇଥିବା ହକି ପ୍ରଶିକ୍ଷଣ କେନ୍ଦ୍ର ଓ ଆଷ୍ଟ୍ରୋ ଟର୍ଫ ଷ୍ଟାଡ଼ିୟମର ଉଦଘାଟନ ମଧ୍ୟ କରିବେ ବୋଲି ସୂଚନା ମିଳିଛି । ସେହିପରି ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications