ଆଜି ଚୌଦ୍ୱାର ଯିବେ ମୁଖ୍ୟମନ୍ତ୍ରୀ: ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର କରିବେ ଶିଳାନ୍ୟାସ, ୧୦ହଜାର ନିଯୁକ୍ତି ଲକ୍ଷ୍ୟ
ଆଜି ଚୌଦ୍ୱାର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଓଟିଏମ ଜମିରେ ଟେକ୍ସଟାଇଲ ପାର୍କର ଶିଳାନ୍ୟାସ କରିବେ ନବୀନ । ଓଟିଏମର ୪୭୮ ଏକର ଜମିରେ ଆନୁମାନିକ ୩ହଜାର ୫୦କୋଟି ଟଙ୍କା ବ୍ୟୟରେ ଏକ ନୂଆ ଟେକ୍ସଟାଇଲ ଶିଳ୍ପ ପ୍ରତିଷ୍ଠା ହେବାକୁ ଥିବା ବେଳେ ୧୦ ହଜାର ନିଯୁକ୍ତି ସୃଷ୍ଟି ନେଇ ମଧ୍ୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦୀର୍ଘ ଦିନର ଦାବି ପରେ ଏଠାରେ ନୂଆ ଟେକ୍ସଟାଇଲ ପାର୍କ ନିର୍ମାଣ ହେବାକୁ ଯାଉଥିବା ବେଳେ ନିଯୁକ୍ତିରେ ସ୍ଥାନୀୟ ଅଂଚଳର ଯୁବକ ଯୁବତୀ ମାନେ ସୁଯୋଗ ପାଇବେ ।
ରାଜ୍ୟ ସରକାର ଓଟିଏମର ମୋଟ ୫୨୨ ଏକର ଜମିକୁ ନିଜ ଅଧିନକୁ ନେଇ ସେଥିରୁ ଟେକ୍ସଟାଇଲ ପାର୍କ ପାଇଁ ୱେଲସ୍ପନ୍ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ୨୩୦ ଏକର ଜମି ଯୋଗାଇ ଦେଇଛନ୍ତି । ପର୍ଯ୍ୟାୟକ୍ରମେ କମ୍ପାନୀକୁ ବାକି ଜମି ମଧ୍ୟ ସରକାର ଯୋଗାଇଦେବେ ।

ସେହିପରି ଦୀର୍ଘ ୧୭ ବର୍ଷ ଧରି ଏଠାରେ ରହୁଥିବା କଲୋନୀ ବାସୀଙ୍କୁ ଘର ଦେବା ସହିତ ଜମି ଯୋଗାଇଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ସରକାର ।
ଓଟିଏମ ବା ଓଡ଼ିଶା ଟେକ୍ସଟାଇଲ ମିଲ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ସ୍ୱପ୍ନର ପ୍ରକଳ୍ପ ଥିଲା । କାଳକ୍ରମେ ଏହା ବନ୍ଦ ହୋଇପଡିଥିବା ବେଳେ ଏଠାରେ କାମ କରୁଥିବା ଶ୍ରମିକ ମାନେ ମଧ୍ୟ ଛଟେଇ ହୋଇଥିଲେ । ପୂର୍ବରୁ ଛଟେଇ ହୋଇଥିବା ଶ୍ରମିକ ମାନଙ୍କୁ ଦେୟ ବାବଦକୁ ୧୫୦କୋଟି ଟଙ୍କା ବକେୟା ପ୍ରଦାନ କରାଯାଇଛି ।












Click it and Unblock the Notifications