ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା : ସ୍କୁଲ କଲେଜ ଖୋଲିବା ନେଇ ବିଭିନ୍ନ ବିଭାଗର ମନ୍ତବ୍ୟକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ମାଧ୍ୟମରେ କୋଭିଡ ମୁକାବିଲାର ସମୀକ୍ଷା କରିଛନ୍ତି
ଭୁବନେଶ୍ବର : ସ୍କୁଲ, କଲେଜ୍ ଖୋଲିବା ନେଇ ବିଭିନ୍ନ ବିଭାଗ ପକ୍ଷରୁ ଦିଆଯାଉଥିବା ଭିନ୍ନ ଭିନ୍ନ ମତକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଭଳି ମନ୍ତବ୍ୟ ନ ଦେବା ଲାଗି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ତାଗିଦ୍ କରିଛନ୍ତି । କୋଭିଡ୍ ସ୍ଥିତିକୁ ଆକଳନ କରିବା ପରେ ଯାହା ଠିକ୍ ସେହି ଅନୁସାରେ ସରକାର ପଦକ୍ଷେପ ନେବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନସିଂ ମାଧ୍ୟମରେ କୋଭିଡ ମୁକାବିଲାର ସମୀକ୍ଷା କରି ରାଜ୍ୟର କୋଭିଡ ମୁକାବିଲା କାର୍ଯ୍ୟକ୍ରମରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ସମୟରେ ଯେଉଁ ଆଶଙ୍କା ଥିଲା, ତାକୁ ସଫଳତାର ସହ ଦୂରୀଭୂତ କରାଯାଇପାରିଛି । ସେହିପରି ଶୀତଋତୁର ଆଶଙ୍କା ମଧ୍ୟ ଦୂରୀଭୂତ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ପରିଚାଳନାରେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟମାନଙ୍କ ମଧ୍ୟରେ ସ୍ଥାନ ପାଇଛି ଏବଂ ଏହାକୁ ନୀତି ଆୟୋଗ ମଧ୍ୟ ପ୍ରଶଂସା କରିଛି ବୋଲି କୋଭିଡ୍ ସମୀକ୍ଷା ସମୟରେ କହିଛନ୍ତି ନବୀନ।
'ଋଣ ପ୍ରଦାନରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ'

କୋଭିଡ-୧୯ ଯୋଗୁ ଉପୁଜିଥିବା ଅର୍ଥନୈତିକ ଆହ୍ବାନର ମୁକାବିଲା ପାଇଁ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ସଜାଗ ରହି କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ ରାଜ୍ୟ ସରକାର ଜୀବିକା ସୃଷ୍ଟି ସଂପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରୁଛନ୍ତି। ଜୀବିକା କାର୍ଯ୍ୟକ୍ରମ ସହିତ ଚାଷୀ, ମିଶନ ଶକ୍ତି, କୃଷକ ଓ MSME ମାନଙ୍କୁ ଋଣ ପ୍ରଦାନ କାର୍ଯ୍ୟକ୍ରମ ସଂପର୍କରେ ସେ ଡିସେମ୍ବର ୨୨ ତାରିଖ ଦିନ ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ସମୀକ୍ଷା କରିବେ । ଏହିସବୁ ଜୀବିକା କାର୍ଯ୍ୟକ୍ରମକୁ ଋଣ ପ୍ରଦାନରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଅବହେଳା କରୁଥିବା ବ୍ୟାଙ୍କ ସଂପର୍କରେ ସେହି ଦିନ ହିଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ଅବଗତ କରାଯିବ ବୋଲି କହିଥିଲେ ନବୀନ।
ଦେଶରେ ଟୀକାକରଣ ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବାର ସମ୍ଭାବନା ରହିଥିବା ବେଳେ ଓଡିଶାରେ ସଂପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ ହୋଇଛି ଏବଂ ଆନୁସଙ୍ଗିକ ବ୍ୟବସ୍ଥା (Logistics) ମଧ୍ୟ କରାଯାଇଛି । ତେବେ ଦେଶରେ ଟୀକାକରଣ ପ୍ରକ୍ରିୟା ଏକ ବର୍ଷରୁ ମଧ୍ୟ ଅଧିକ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି ଏଥିପାଇଁ ଏ ସମୟରେ ସମସ୍ତ ପ୍ରକାର କୋଭିଡ ନିୟମାବଳୀକୁ ପୂର୍ବ ଭଳି ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।
'ମୃତ୍ୟୁ ହାର କମିଛି, ଆରୋଗ୍ୟ ହାର ବଢିଛି'

ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଲେ ଯେ ରାଜ୍ୟରେ କୋଭିଡ ପରିସ୍ଥିତିରେ ଦ୍ରୁତ ଉନ୍ନତି ଜାରି ରହିଛି। ଟୀକାକରଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରି କାର୍ଯ୍ୟକାରୀ କରୁଛନ୍ତି।
ରାଜ୍ୟରେ ଆରୋଗ୍ୟ ହାର ବର୍ତ୍ତମାନ ୯୮.୫୨ ପ୍ରତିଶତ ରହିଛି, ଯାହାକୁ ସାରା ଦେଶରେ ଦ୍ବିତୀୟ ସର୍ବଶ୍ରେଷ୍ଠ ସୂଚକାଙ୍କ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପି.କେ. ମହାପାତ୍ର। ସେହିପରି ଦୈନିକ ସଂକ୍ରମଣ ହାର ପ୍ରଥମ ଥର ପାଇଁ ୧ ପ୍ରତିଶତରୁ କମି ବର୍ତ୍ତମାନ ୦.୯୬ ପ୍ରତିଶତରେ ରହିଛି ବୋଲି ସେ କହିଛନ୍ତି।
ଡିସେମ୍ବର ୩୧ ତାରିଖ ସୁଦ୍ଧା ଗଞ୍ଜାମ, ନୟାଗଡ ଓ କୋରାପୁଟରେ ସେରୋ ସର୍ଭେ କରାଯିବ ଏବଂ ଜାନୁଆରୀରେ କଟକ ଓ ଭୁବନେଶ୍ବରରେ କରାଯିବ।
ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ,ଉନ୍ନୟନ କମିଶନର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।












Click it and Unblock the Notifications