ବଢୁଛି ସଂକ୍ରମଣ, ବଢିଲା ଟେନସନ୍: ଅପରାହ୍ନରେ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ
ଆଜି (ଗୁରୁବାର) ଅପରାହ୍ନରେ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସ୍ଥିତି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଉପସ୍ଥିତ ରହିବେ ।
ଭୁବନେଶ୍ୱର: ସାରା ରାଜ୍ୟରେ ଧିରେ ଧିରେ ବଢିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ । ବିଭିନ୍ନ ସ୍ଥାନରେ କୋଭିଡ ନିୟମ ଓ ମାସ୍କ କଡାକଡି କରିବ ସତ୍ୱେ ମଧ୍ୟ ଲୋକେ ମାନୁନଥିବା ଦେଖିବାକୁ ମିଳିଛି । ସେପଟେ ଆଜି (ଗୁରୁବାର) ଅପରାହ୍ନରେ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତେବେ ଏହି ସ୍ଥିତି ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଉପସ୍ଥିତ ରହିବେ । ସେହିପରି ସ୍ୱାସ୍ଥ୍ୟ ବିଭାଗ ଓ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ । ଫଳରେ ରାଜ୍ୟରେ କରୋନା ନିୟମରେ ଆହୁରି କିଛି ପରିବର୍ତ୍ତନ ଆସିପାରେ ବୋଲି ଆଶା କରାଯାଉଛି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ଘଣ୍ଟା ଭିତରେ ୮୦୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୧୨ ଲକ୍ଷ ୯୬ ହଜାର ୧୩୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁସ୍ଥ ହେଲେଣି ୧୨ ଲକ୍ଷ ୮୨ ହଜାର ୬୯୦ ଜଣ । ସକ୍ରିୟ ଅଛନ୍ତି ୪ ହଜାର ୨୬୨ ଜଣ ।
ତେବେ ଖୋର୍ଦ୍ଧାରୁ ସର୍ବାଧିକ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକ ୧୧୯, ସୁନ୍ଦରଗଡ ୮୦, ଅନୁଗୁଳ ୩, ବାଲେଶ୍ୱର ୧୧, ବରଗଡ ୧, ଭଦ୍ରକ ୯, ବଲାଙ୍ଗୀର ୫, ବୌଦ୍ଧ ୨, ଦେବଗଡ ୧, ଗଜପତି ୫, ଜଗତସିଂହପୁର ୧୮, ଯାଜପୁର ୧୯, ଝାରସୁଗୁଡା ୯, କଳାହାଣ୍ଡି ୮, କନ୍ଧମାଳ ୧, କେନ୍ଦୁଝର ୫, କୋରାପୁଟ ୬, ମାଲକାନଗିରି ୧, ମୟୂରଭଞ୍ଜ ୨୮, ନୟାଗଡ ୧୭, ନୂଆପଡା ୯, ପୁରୀ ୨୮, ରାୟଗଡା ୨, ସମ୍ବଲପୁର ୩୦, ସୋନପୁର ୯ ଓ ଷ୍ଟେଟପୋଲରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪ହଜାର ୨୬୨ ରେ ପହଞ୍ଚିଲାଣି ।












Click it and Unblock the Notifications