ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଦ୍ରୌପଦୀ ମୁର୍ମୁଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଲେ । ଓଡିଶାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ଦ୍ରୌପଦୀ ମୁର୍ମୁଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଶୁଭେଚ୍ଛା ଜଣାଇଲେ । ଓଡିଶାବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଇଲେ ନବୀନ ପଟ୍ଟନାୟକ । ତାଙ୍କ ସଫଳତା ପାଇଁ ରାଜ୍ୟବାସୀ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ।

ଉଲ୍ଲେଖଥାଉ କି, ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କଲା ପରେ ଗତକାଲି ଦ୍ରୌପଦୀ ମୁର୍ମୁଙ୍କୁ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଲେଖିଥିଲେ, ଭାରତର 15ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ମୋର ଶୁଭେଚ୍ଛା । ପ୍ରକୃତରେ ଏହା ଓଡିଶା ଓ ପ୍ରତି ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ଯେ, ସେ ଦେଶର ସର୍ବୋଚ୍ଚ ପଦବୀ ପାଇଁ ନିର୍ବାଚିତ ହୋଇଛନ୍ତି । ଜଣେ ସାଧରଣ ନାଗରିକରୁ ଦେଶର ପ୍ରଥମ ନାଗରିକ ହେବା ଯାଏଁ ତାଙ୍କର ଯାତ୍ରା ପ୍ରକୃତରେ ପ୍ରେରଣାଦାୟକ । ଏହି ଯାତ୍ରା ମହିଳା ସଶକ୍ତିକରଣର ଏକ ଉଜ୍ଜ୍ୱଳ ଉଦାହରଣ । ତେବେ ଆଗକୁ ଏକ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ତାଙ୍କୁ ବହୁତ ଶୁଭେଚ୍ଛା ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଥିଲେ ।
ସୂଚନାଥାଉ କି, ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତାଙ୍କ ବିପକ୍ଷରେ ବିରୋଧୀଙ୍କ ପକ୍ଷରୁ ଯଶୱନ୍ତ ସିହ୍ନା ନିର୍ବାଚନ ଲଢୁଥିଲେ । ଜୁଲାଇ ୨୫ରେ ଦ୍ରୌପଦୀ ମୁର୍ମୁ ପଞ୍ଚଦଶ ରାଷ୍ଟ୍ରପତି ଭାବେ ଶପଥ ନେବେ । ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ମିଳିଛି । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ୪ ଦିନିଆ ନୂଆଦିଲ୍ଲୀ ଗସ୍ତ କରିବେ । ଶପଥ ସମାରୋହ ପରଦିନ ଅର୍ଥାତ୍ ୨୬ ତାରିଖରେ ସେ ଭୁବନେଶ୍ୱର ଫେରି ଆସିବେ ।












Click it and Unblock the Notifications