ନବଦାସ ହତ୍ୟା ମାମଲା: ଗୃହରେ ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ, ଆମେରିକା FBI ସଂସ୍ଥାର ସହାୟତା ନିଆଯାଇଛି
ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରି ଗତକାଲି ଗୃହ ତ୍ୟାଗ କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି ।

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଧାନସଭାରେ ବିରୋଧୀ ହଟ୍ଟଗୋଳ କରି ଗତକାଲି ଗୃହ ତ୍ୟାଗ କରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆମେ ଆମର ଜଣେ ସହଯୋଗୀଙ୍କୁ ହରାଇଲୁ । ଓଡ଼ିଶା ଜଣେ ବିଚକ୍ଷଣ ନେତାଙ୍କୁ ହରାଇଛି। ନବ ଦାସଙ୍କ ହତ୍ୟା ମାମଲା ଏକ ସମ୍ବେଦନଶୀଳ ପ୍ରସଙ୍ଗ। ରାଜ୍ୟ ସରକାର ଘଟଣାର ଗମ୍ଭୀରତା ଦୃଷ୍ଟିରୁ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟର ଜଣେ ବିଚାରପତିଙ୍କ ତତ୍ୱାବଧାନରେ ତଦନ୍ତ ପାଇଁ ହାଇକୋର୍ଟଙ୍କୁ ସରକାର ଅନୁରୋଧ କରିଥିଲେ। ତଦନ୍ତ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ଆଇନ ଅନୁଯାୟୀ କରାଯାଉଛି । ତେବେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିବୃତି ରଖିଥିଲେ ମୁଖ୍ୟମନ୍ତ୍ରୀ । ତଥାପି ବିରୋଧୀ କକ୍ଷତ୍ୟାଗ କରି ଚାଲି ଆସିଥିଲେ । ପରେ ଗୃହକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟା ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି । ତଦନ୍ତରେ ସହାୟତା ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା FBIର ସହାୟତା ମାଗିଛି । ଏ ନେଇ ସହଯୋଗ କରିବାକୁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛି । ଅଭିଯୁକ୍ତର ଆଚରଣର ତଦନ୍ତ ପାଇଁ FBIର ସହାୟତା ନିଆଯାଇଛି । ତଦନ୍ତର କୌଣସି ଦିଗକୁ ବି ଛଡା ଯାଉନାହିଁ । ତେଣୁ ଏହାକୁ ରାଜନୀତିକରଣ କରା ଯାଉଥିବାରୁ ଏହା ମୋତେ ଏବଂ ଓଡ଼ିଶାବାସୀଙ୍କୁ ବାଧିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ବିବୃତ୍ତିରେ ବିଜେପିକୁ ବି କଡା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜଣେ ପୋଲିସର କାମକୁ ଦେଖି ପୁରା ବିଭାଗକୁ ବିଜେପି ଅପମାନିତ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ପାଇଁ ବିଧାନସଭା ବାରମ୍ବାର ମୁଲତବି ରଖାଯାଇଥିଲା । ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଆଲୋଚନା ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ।












Click it and Unblock the Notifications