ମନରେଗା ଓ ସହରାଞ୍ଚଳ ରୋଜଗାର ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର ସମୀକ୍ଷା କରିଛନ୍ତି ।
ଭୁବନେଶ୍ୱର: ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ସବୁ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ରୋଜଗାର ଯୋଜନା ଏବଂ ସହରାଞ୍ଚଳ ରୋଜଗାର ଯୋଜନା ଆଦିର କାର୍ଯ୍ୟକାରୀତା ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ମହାମାରୀ ଗତ ମାର୍ଚ୍ଚରୁ ଆମ ସମସ୍ତଙ୍କ ପାଇଁ ଏକ ଅଭୁତପୂର୍ବ ଆହ୍ବାନ ସୃଷ୍ଟି କରିଛି । ବିଶ୍ବର ଆର୍ଥିକ ଅଭିବୃଦ୍ଧି ନିମ୍ନଗାମୀ ହୋଇଛି ଏବଂ ଏହାଦ୍ବାରା ଗରିବ ଲୋକମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଗରିବ ଲୋକଙ୍କ ପାଇଁ ଏହି ଦୁଃସମୟରେ ରୋଜଗାର ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ।

ରୋଜଗାର ଅଭାବରୁ ଯେପରି ଗୋଟିଏ ବି ପରିବାର କଷ୍ଟ ନ ପାଏ, ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । MGNREGA ସହିତ ରାଜ୍ୟ ସରକାରଙ୍କର ନିଜସ୍ବ ଯୋଜନା ସହରାଞ୍ଚଳ ରୋଜଗାର ଯୋଜନା ଜରିଆରେ ଗରିବ ଲୋକଙ୍କୁ ବ୍ୟାପକ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଏହି ଦୁଇ କାର୍ଯ୍ୟକ୍ରମ ଜରିଆରେ ଚଳିତ ଆର୍ଥକ ବର୍ଷ ଶେଷ ସୁଦ୍ଧା ୨୦ କୋଟି ମାନବ ଦିବସ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଦୁଇ ଯୋଜନା ଜରିଆରେ ଜୀବିକା ଅର୍ଜନ କରୁଥିବା ଗରିବ ଲୋକମାନଙ୍କ ମଜୁରୀ ପାଇବାରେ ବିଳମ୍ବ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇ ଦେଇଛନ୍ତି । ହିତାକାରୀମାନେ ଯେଭଳି ଠିକ୍ ସମୟରେ ସେମାନଙ୍କ ମଜୁରୀ ପାଇପାରିବେ, ତା ଉପରେ ଗୁରୁତ୍ବ ଦେବା ସହିତ ମୋ ସରକାର ପ୍ଲାଟଫର୍ମ ଜରିଆରେ ହିତାଧିକାରୀ ମାନଙ୍କୁ ନିୟମିତ ଫୋନ୍ କରି ମଜୁରୀ ବିଷୟ ତଦାରଖ କରିବା ପାଇଁ ଜିଲ୍ଲାପାଳ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।
କେତେକ ଜିଲ୍ଲାରେ ହିତାଧିକାରୀ ମାନଙ୍କୁ ଠିକ୍ ସମୟରେ ମଜୁରୀ ଲୋକଙ୍କୁ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି । ଆଗାମୀ ଜାନୁଆରୀ ପହିଲା ୨୦୨୧ରୁ ପ୍ରତି ଜିଲ୍ଲାରେ ଏହି ରୋଜଗାର ଯୋଜନା ସଂପର୍କରେ ମତାମତ ପାଇଁ ସ୍ବତନ୍ତ୍ର ଭାବରେ ମୋ ସରକାର ସେଲ୍ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେହିପରି MGNREGA ଲକ୍ଷ୍ୟ ପୂରଣ ଦିଗରେ ଯାଜପୁର, କୋରାପୁଟ ସୋନପୁର ଜିଲ୍ଲା ବହୁତ ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯେଉଁ ଜିଲ୍ଲା ଗୁଡିକରେ ଲୋକମାନେ ଅନ୍ୟ ରାଜ୍ୟକୁ କାମ ପାଇଁ ଯାଉଛନ୍ତି, ସେହିସବୁ ଜିଲ୍ଲା ଉପରେ ସ୍ବତନ୍ତ୍ର ଫୋକ୍ସ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଏହିସବୁ ଜିଲ୍ଲାରେ ପରିବାର ପିଛା ଅଧିକ ୧୦୦ ଦିନ ଓ ଅତିରିକ୍ତ ମଜୁରୀ ଦିଆଯିବା ବିଷୟ ସଂପର୍କରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।
ସେହିପରି ଆଗାମୀ ମାର୍ଚ୍ଚ ପୂର୍ବରୁ ୧୦୦୦ ମିଶନ ଶକ୍ତି ଗୃହ ଏବଂ ଜାନୁଆରୀ ଶେଷ ସୁଦ୍ଧା ଗୋଟିଏ ଲେଖାଏ ପରିଚୟ ଗୃହର ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ଜିଲ୍ଲାରେ ଅଧିକ ମା ମାନଙ୍କୁ ଓ ମିଶନ ଶକ୍ତି ଗୋଷ୍ଠୀ ମାନଙ୍କୁ ରୋଜଗାର ଯୋଜନା ତଦାରଖରେ ନିୟୋଜିତ କରାଯିବ, ସେହି ଜିଲ୍ଲା ମାନଙ୍କୁ ଉତ୍ସାହିତ କରାଯିବ ସେହିପରି ସହରାଞ୍ଚଳ ରୋଜଗାର ଯୋଜନାରେ ଗରିବ ଲୋକମାନଙ୍କୁ ଗୋଷ୍ଠୀସଂଘ ଓ ମିଶନ ଶକ୍ତି ଜରିଆରେ କାମ ଦିଆଯାଉଅଛି । ଏହି ଦିଗରେ ଢେଙ୍କାନାଳ, ଜଗତସିଂହପୁର ଓ ମୟୁରଭଂଜ ଜିଲ୍ଲା ଭଲ କାମ କରିଥିବାରୁ ମୁଖ୍ୟମନ୍ତ୍ରୀ ସେହିସବୁ ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଯୋଜନାରେ ଦିଆଯାଇଥିବା ଅର୍ଥକୁ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ଭାବେ ବିନିଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ।












Click it and Unblock the Notifications