Get Updates
Get notified of breaking news, exclusive insights, and must-see stories!

'ମୋ ସରକାର'ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ ଦେଲେ ପରାମର୍ଶ

ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଭୁବନେଶ୍ୱର: ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ବୈଠକରେ ସମସ୍ତ ବିଭାଗ ଏହି କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ଲୋକଙ୍କୁ ସାମିଲ କରିବାକୁ ପରାମର୍ଶ ଦେବା ସହିତ ମୁଖ୍ୟମନ୍ତ୍ରୀ ସମସ୍ତ ବିଭାଗ କାର୍ଯ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

mo sarakar

ସୂଚନାଯୋଗ୍ୟ ଯେ ୨୦୧୯ ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସରକାର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଦୁଇ ଦଶକ ମଧ୍ୟରେ ଓଡିଶାରେ ବ୍ୟାପକ ବିକାଶ ହୋଇଛି ଓ ଓଡିଶା ଅନେକ କ୍ଷେତ୍ରରେ ଆଦର୍ଶ ସୃଷ୍ଟି କରିଛି । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ମୋ ସରକାର କାର୍ଯ୍ୟକ୍ରମ ଏବେ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ଏକ ନୂଆ ମଡେଲ ଦେବାରେ ସଫଳ ହୋଇଛି ମୋ ସରକାର ।

ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି, ସରକାର ଓ ସରକାରୀ ଅନୁଷ୍ଠାନ ଗୁଡିକ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀରେ ମୋ ସରକାର ବ୍ୟାପକ ପରିବର୍ତ୍ତନ ଆଣିଛି । ଜନସାଧାରଣ ଓ ସରକାରୀ ଅନୁଷ୍ଠାନ ମଧ୍ୟରେ ଆସ୍ଥା ସୃଷ୍ଟି କରିବାରେ ମଧ୍ୟ ଏହା ସଫଳ ହୋଇପାରିଛି । ଲୋକଙ୍କ ଫିଡ୍ବ୍ୟାକ ରେକର୍ଡ କରାଯାଇଛି ଏବଂ ସେମାନଙ୍କ ମତାମତ ଭିତ୍ତିରେ ଯେଉଁ ଅବଧାରଣା ସୃଷ୍ଟି ହୋଇଛି, ତା ଉପରେ ପଦକ୍ଷେପ ମଧ୍ୟ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରଶାସନରେ ଏହି ରୂପାନ୍ତର ପାଇଁ, ଯେଉଁଥିରେ ସରକାର ସବୁଠାରୁ ଶେଷ ଧାଡିରେ ଥିବା ଲୋକ ପାଖରେ ପହଞ୍ଚି ପାରୁଥିବେ ଏବଂ ଆବଶ୍ୟକତା ଥିବା ସବୁ ଲୋକଙ୍କୁ ସେବା ଯୋଗାଇ ପାରୁଥିବେ; ସେଥିପାଇଁ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ସଂପୂର୍ଣ୍ଣ ବ୍ୟବହାରିକ ପରିବର୍ତ୍ତନର ଆବଶ୍ୟକତା ଥିଲା । ଏ ଦିଗରେ ନିୟମିତ ଉଦ୍ୟମ ଆଜି ସଫଳ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତୃଣମୂଳ ସ୍ତରରୁ ଯେଉଁ ଫିଡବ୍ୟାକ ମିଳୁଛି, ତାହା ଉତ୍ସାହଜନକ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ଯେଉଁ ମତାମତ ପାଉଛି, ସେଥିରୁ ଜଣାଯାଉଛି ଯେ, କର୍ମଚାରୀଙ୍କ ବ୍ୟବହାରିକ ପରିବର୍ତ୍ତନ ଆଣିବାରେ ଅନେକ ବିଭାଗ ସଫଳ ହେଉଛନ୍ତି। ଖୁସିର କଥା, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ନାଗରିକ ମାନଙ୍କୁ ସେବା ପ୍ରଦାନ କରିବା ସମୟରେ ବର୍ତ୍ତମାନ ଅଧିକ ଦାୟିତ୍ବସଂପନ୍ନ ଓ ସହୃଦୟତାର ସହ ବ୍ୟବହାର କରୁଛନ୍ତି।"

ମୁଖ୍ୟମନ୍ତ୍ରୀ ଖୁସିପ୍ରକାଶ କରି କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ଦ୍ବାରା ପ୍ରଶାସନିକ ପ୍ରକ୍ରିୟା ଏବେ ଅଧିକ ସହଭାଗୀତାଭିତ୍ତିକ ହୋଇପାରିଛି ଏବଂ ଏହି ପ୍ରକ୍ରିୟା ମଧ୍ୟରେ ନାଗରିକ ମାନେ ସରକାରୀ କାର୍ଯ୍ୟକ୍ରମ ଗୁଡିକର ଅଂଶୀଦାର ମଧ୍ୟ ହୋଇପାରିଛନ୍ତି। ଏ ଦିଗରେ ନିରନ୍ତର ପ୍ରୟାସ ଦ୍ବାରା ଏକ ସମତା ଓ ନ୍ୟାୟଭିତ୍ତିକ ଅନ୍ତର୍ଭୁକ୍ତି ସମାଜ ଗଠନ ହୋଇପାରିବ ।

mo sarakar

ମୁଖ୍ୟମନ୍ତ୍ରୀ କହିଛନ୍ତି, "ମୁଁ ପୁଣିଥରେ କହୁଛି ଯେ, ନାଗରିକମାନଙ୍କ ସନ୍ତୋଷ ଏକ ଲକ୍ଷ୍ୟ ନୁହେଁ, ଏହା ଏକ ନିରନ୍ତର ଯାତ୍ରା। ଆମ ସମସ୍ତଙ୍କୁ ନିରନ୍ତର ଉନ୍ନତି କରିବାର ଏବଂ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଅଧିକ ସକ୍ରିୟ ହେବାର ଆବଶ୍ୟକତା ରହିଛି। ବିଭାଗ ଗୁଡିକର ଭୂମିକା ଲୋକଙ୍କ ମତାମତ ସଂଗ୍ରହ କରିବାରେ ଶେଷ ହୋଇଯିବା ଉଚିତ ନୁହେଁ, ବରଂ ଏଥିରେ ଯେଉଁ ସମସ୍ୟା ଅଛି, ସେଗୁଡିକ ସମାଧାନ କରିବା ପାଇଁ ପଦକ୍ଷେପ ନେବା ମଧ୍ୟ ଜରୁରୀ। ଯେଉଁ କର୍ମଚାରୀମାନେ ଲୋକଙ୍କ ସେବା ଯୋଗାଇ ଦେବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କୁ ବିଭାଗ ଗୁଡିକ ସେମାନଙ୍କୁ ମାନ୍ୟତା ଦେବାର ଆବଶ୍ୟକତା ମଧ୍ୟ ରହିଛି ।"

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅର୍ଥ, ପୂର୍ତ୍ତ ଏବଂ ବାଣିଜ୍ୟ ଓ ପରିବହନ, ଏହି ୩ଟି ବିଭାଗକୁ ମୋ ସରକାରରେ ସାମିଲ ହେବା ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ । ବୈଠକରେ ୬ଟି ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା ହୋଇଥିଲା । ଏଗୁଡିକ ହେଲା ଗୃହ ବିଭାଗ, ସ୍ବାସ୍ଥ୍ୟ ଓ ପରିବାରକଲ୍ୟାଣ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶିଳ୍ପ, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଜଳସଂପଦ ବିଭାଗ ।

ଆଲୋଚନାରେ ଭାଗ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଏହା ଲୋକଙ୍କ ଠାରୁ ଫିଡବ୍ୟାକ ଗ୍ରହଣ କରିବାର ସବୁଠାରୁ ବଡ କାର୍ଯ୍ୟକ୍ରମ। ଏଥିରେ ପ୍ରାୟତଃ ସବୁ ବିଭାଗ ସାମିଲ ହୋଇଥିବା ବେଳେ, ଏହି କାର୍ଯ୍ୟକ୍ରମକୁ ନିୟମିତ ଭାବେ ତଦାରଖ କରିବାର ଆବଶ୍ୟକତା ରହିଛି ।

5T ସଚିବ ଭି.କେ. ପାଣ୍ଡିଆନ କହିଛନ୍ତି ଯେ, ଅଧିକାଂଶ ବିଭାଗର ଫିଡବ୍ୟାକ ବ୍ୟବସ୍ଥା ବହୁତ ଉନ୍ନତ ମାନର ଅଛି । ସାଧାରଣ ଲୋକଙ୍କ ଠାରୁ ମତାମତ ସଂଗ୍ରହ କରିବାରେ ବିଭାଗମାନେ ତତ୍ପରତା ଦେଖାଇବା ସହ ଭୁଲ କରୁଥିବା କର୍ମଚାରୀଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ଅଛି ବୋଲି ସେ କହିଥିଲେ। ସାଧାରଣ ଲୋକଙ୍କ ସହିତ ବିଭିନ୍ନ ବିଭାଗରେ ବିଶେଷକରି ଇଂଜିନିୟରିଂ ବିଭାଗ ଗୁଡିକରେ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କ ଠାରୁ ମଧ୍ୟ ମୋ ସରକାରର କାର୍ଯ୍ୟକ୍ରମରେ ଫିଡବ୍ୟାକ ସଂଗ୍ରହ କରିବାର ବ୍ୟବସ୍ଥା କରାଯିବା ଜରୁରୀ ।

ବୈଠକରେ ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ବିଭାଗର ସଚିବ ମନୋଜ ମିଶ୍ର ଏକ ଉପସ୍ଥାପନ ରଖି କହିଛନ୍ତି ଯେ, ରାଜ୍ୟର ୨୮ଟି ବିଭାଗର ୨୩୩ଟି ସେବା ମୋ ସରକାରରେ ସାମିଲ ହୋଇଛି । ଆଜିର ଏହି ୩ଟି ବିଭାଗକୁ ମିଶାଇ ୩୧ଟି ବିଭାଗର ୨୫୦ଟି ସେବା ସାମିଲ ହେଲା।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପ୍ରମୁଖ ସଚିବ, ଜ଼ିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତ ବିଭାଗ କାର୍ଯ୍ୟକ୍ରମ ଉପରେ ନଜର ରଖି ନିୟମିତ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+