ଲୋକସେବା ଭବନରେ ସ୍ବରାଜ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ।
ଭୁବନେଶ୍ବର: ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ । ସ୍ବାଧୀନତାର ୭୫ ବର୍ଷରେ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମତିଥିର ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଏହି ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି । ସାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପବିତ୍ର ମାଟି ଓ ଜଳ ପ୍ରଦାନ କରି ମୁଖ୍ୟମନ୍ତ୍ରୀ ସ୍ବରାଜ ବୃକ୍ଷ ରୋପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅଶ୍ବତ୍ଥ ବୃକ୍ଷ ସାରା ଦେଶରେ ଯୁଗ ଯୁଗ ଧରି ଶାନ୍ତି, ସ୍ବାଧୀନତା ଓ ଅହିଂସାର ବାର୍ତ୍ତା ବହନ କରିଆସିଛି ଏବଂ ଯୁଗ ଯୁଗ ପାଇଁ ଏ ବାର୍ତ୍ତା ବହନ କରି ଚାଲିବ। ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହୋଇ ଏକ ସମୃଦ୍ଧ ଭାରତ ଗଠନ ନିମନ୍ତେ ଶକ୍ତିଶାଳୀ ଯୋଗଦାନ ରଖିବାକୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ବୃକ୍ଷ ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ଭଗବାନ ବୁଦ୍ଧଙ୍କ ସାଧନା ସହ ଯୋଡି ହୋଇ ରହିଛି । ଗୀତାରେ ମଧ୍ୟ ଏ ବୃକ୍ଷର ବର୍ଣ୍ଣନା ରହିଛି । ଏ ବୃକ୍ଷ ଆମ ସାମାଜିକ ଓ ସାଂସ୍କୃତିକ ଜୀବନର ସାକ୍ଷୀ । ଏହା ଅତୀତରେ ଥିଲା, ବର୍ତ୍ତମାନ ଅଛି ଏବଂ ଭବିଷ୍ୟତରେ ମଧ୍ୟ ରହିଥିବ ।
ଏହି ଅବସରରେ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସଂଘର ସଭାପତି, ନୀଳମଣି ସାମଲ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ପ୍ରତୀକ ଭାବେ ଏକ ଅରଟ ଉପହାର ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କୁ ଏକ ଶାଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସାରା ରାଜ୍ୟରେ ବୁଲି ବୁଲି ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଥିବା ଅହିଂସା ରଥ ଆସି ଲୋକସେବା ଭବନରେ ପହଞ୍ଚିଥିଲା। ଏହାକୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ ଆହିଂସା ରଥକୁ ଓଡିଶାବାସୀ ଯେଭଳି ଭାବରେ ବିପୁଳ ସ୍ବାଗତ ସମ୍ମାନ ଜଣାଇଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।
ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁର ସ୍ୱତନ୍ତ୍ର ସଂଖ୍ୟା ସହିତ ଓଡିଶାରେ ଗାନ୍ଧୀ ପୁସ୍ତକର ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ମନ୍ତ୍ରୀ ପ୍ରଦୀପ ଅମାତ, ଓ ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀମଣ୍ଡଳର ସଦସ୍ୟ ବୃନ୍ଦ ବିଧାୟକ ଗଣ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ସମେତ ବରିଷ୍ଠ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ବିଶିଷ୍ଟ ଗାୟିକା ନାଜ଼ୀଆ ଆଲାମ ରାମଧୁନ ଗାନ କରିଥିଲେ ।












Click it and Unblock the Notifications