ଆରମ୍ଭ ହେଲା ନୂଆ-ଓ ସ୍କଲାରସିପ୍, ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ୟୁଥ ବଜେଟ୍
ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ସ୍କଲାରସିପ ଟଙ୍କା । ଆଜିଠାରୁ ଯୁକ୍ତତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି ନୂଆ-ଓ ସ୍କଲାରସିପ । ଏହି ସ୍କିମରେ ରାଜ୍ଯର ପ୍ରାୟ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ଆଜିଠାରୁ ଆରମ୍ଭ ହୋଇଛି ଏହି ଯୋଜନା । ଛାତ୍ରୀଙ୍କୁ ୧୦ ହଜାର ଏବଂ ଛାତ୍ରଙ୍କ ଖାତାକୁ ୯ ହଜାର ଟଙ୍କା ପ୍ରଦାନ କରାଯାଇଛି । ମାର୍ଚ୍ଚ ୫ ତାରିଖରେ ସମସ୍ତ ୩୦ ଜିଲ୍ଲାର ଛାତ୍ରଛାତ୍ରୀ ଏହି ଛାତ୍ରବୃତ୍ତି ପାଇବେ ।
ସେପଟେ ଖୁବଶୀଘ୍ର ସରକାର ଆଣିବାକୁ ଯାଉଛନ୍ତି ୟୁଥ୍ ବଜେଟ୍ । ରାଜ୍ୟ ବଜେଟର ଏକ ବଡ଼ ଭାଗ ଯୁବ ବଜେଟ ପାଇଁ ବିନିଯୋଗ ହେବ । ଯୁବକଙ୍କ ସବୁ ସ୍ୱପ୍ନକୁ ସାକାର କରିବେ ରାଜ୍ୟ ସରକାର । ୫-ଟି ଅଧ୍ୟକ୍ଷ ପାଣ୍ଡିଆନ ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ଏହି ରାଶିକୁ ପାଠପଢ଼ା ବା କ୍ରୀଡ଼ା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବାକୁ ପରାମର୍ଶ ଦେଇଥିଲେ । ଏହାବ୍ୟତୀତ ଯଦି ଛାତ୍ରୀଛାତ୍ର ଏକମାସ ବା ତିନିମାସ ଅଥବା ବର୍ଷିକିଆ ବୃତ୍ତି ପାଇବେ ସେ ସମ୍ପର୍କରେ ତାଙ୍କ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ସୂଚିତ କରିବାକୁ କହିଛନ୍ତି । ସେ ଆହୁରି କହିଥିଲେ, ଛାତ୍ରଛାତ୍ରଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେଇ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆସନ୍ତା ମାର୍ଚ୍ଚ ୫ରେ ମ୍ୟାଜିକ୍ କାର୍ଡର ଶୁଭାରମ୍ଭ କରିବେ । ଏହି କାର୍ଡ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ।
ଏଥିରେ ସେମାନେ ୱାଇଫାଇ ଆକ୍ସେସ୍, ପୁସ୍ତକ କ୍ରୟରେ ରିହାତି, ବସ୍ ଓ ଟ୍ରେନ୍ ଯାତ୍ରାରେ ରିହାତି, ଅନ୍ଲାଇନ୍ କ୍ଲାସ, ଅନ୍ଲାଇନ୍ କ୍ୟାରିୟର କାଉନସେଲିଂ, ଫୋନ୍ ରିଚାର୍ଜ କରିବା ଭଳି ସୁବିଧା ପାଇବେ । ଏହି ମ୍ୟାଜିକ୍ କାର୍ଡ ଆଧାରକାର୍ଡ ସଦୃଶ । ଯଦି କୌଣସି ଛାତ୍ରୀ ବା ଛାତ୍ର ଭଲ ପ୍ରଦର୍ଶନ କରିବେ ତା'ହେଲେ ସେମାନଙ୍କ କାର୍ଡକୁ ସିଲଭର କାର୍ଡରେ ଅପଗ୍ରେଡ୍ କରାଯିବ ଓ ପର୍ଯ୍ୟାୟକ୍ରମେ ଏହାକୁ ଗୋଲ୍େଡନ୍ ଓ ପ୍ଲାଟିନମ୍ କାର୍ଡକୁ ଅପଗ୍ରେଡ୍ କରାଯିବ । ଏହା ମାଧ୍ୟମରେ ଛାତ୍ରୀଛାତ୍ର ସେମାନଙ୍କ ଅଧ୍ୟୟନ ଖର୍ଚ୍ଚକୁ ପରିଚାଳନା କରିପାରିବେ ବୋଲି ସେ ସୂଚନା ଦେଇଥିଲେ ।

ଟିକସ ଦେଉ ନ ଥିବା ବେତନଧାରୀ ବେସରକାରୀ କର୍ମଚାରୀ ଭାବେ ଜୀବିକା ନିର୍ବାହ କରୁଥିବା ମାତାପିତାଙ୍କ ସନ୍ତାନମାନଙ୍କୁ ଏହି ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା । ଏଥିରେ ଛାତ୍ରୀମାନଙ୍କୁ ୧୦ ହଜାର ଓ ଛାତ୍ରମାନଙ୍କୁ ୯ଟଙ୍କା ଲେଖାଏ ବୃତ୍ତି ପ୍ରଦାନ କରାଯାଇଛି । ଜିଲାର ୨୧ ଶିକ୍ଷାନୁଷ୍ଠାନର ୧୩,୪୨୩ ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ରଙ୍କୁ ମୋଟ ୧୩ କୋଟି ୫୦ ଲକ୍ଷ ଟଙ୍କାର ନୂଆ-ଓ ଛାତ୍ରବୃତ୍ତି ବଣ୍ଟନ କରାଯାଇଛି ।
ସେଥିମଧ୍ୟରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ୨୩୬୪ ଜଣଙ୍କୁ ୨ କୋଟି ୩୫ ଲକ୍ଷ, ସରକାରୀ ମହିଳା କଲେଜ ସମ୍ବଲପୁରର ୧୬୫୭ ଛାତ୍ରୀଙ୍କୁ ୧କୋଟି ୭୧ ଲକ୍ଷ, ଏନ୍ଏସ୍ସିବି କଲେଜ ସମ୍ବଲପୁରର ୧୦୧୭ ଜଣଙ୍କୁ ୧ କୋଟି ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ମୋଟ ୮୭୫ ଜଣଙ୍କୁ ୮୭ ଲକ୍ଷ ଟଙ୍କାର ଛାତ୍ରବୃତ୍ତି ପ୍ରଦାନ କରାଯାଇଛି । ଏହି ରାଶି ଅନ୍ଲାଇନ ମାଧ୍ୟମରେ ସମସ୍ତ ଛାତ୍ରୀଛାତ୍ରଙ୍କ ବ୍ୟାଙ୍କ ଜମାଖାତାରେ ଜମା କରାଯାଇଛି । କାର୍ଯ୍ୟକ୍ରମରେ ଜିଲାର ୧୭ ଶିକ୍ଷାନୁଷ୍ଠାନର ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ ।












Click it and Unblock the Notifications