Get Updates
Get notified of breaking news, exclusive insights, and must-see stories!

ଆରମ୍ଭ ହେଲା 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା'; ମାସକୁ ୨୦୦୦ ଟଙ୍କା ସହାୟତା

ଭୁବନେଶ୍ଵର: ରାଜ୍ୟର ବରିଷ୍ଠ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ ଖୁସି ଖବର । ସେମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନୂଆ ଯୋଜନା 'ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା' । ଏହି ଯୋଜନା ଅନୁସାରେ ୪୦ ବର୍ଷରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ମହିଳା ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର, ଏବଂ ୫୦ ରୁ ୮୦ ବର୍ଷ ବୟସ ମଧ୍ୟରେ ଥିବା ପୁରୁଷ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କୁ ମାସିକ ୨୦୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ।

୮୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ବରିଷ୍ଠ ହସ୍ତଶିଳ୍ପ କାରିଗରମାନଙ୍କୁ (ଉଭୟ ମହିଳା ଓ ପୁରୁଷ) ମାସିକ ୨୫୦୦ ଟଙ୍କାର ଆର୍ଥିକ ସହାୟତା ଯୋଗାଇଦିଆଯିବ । ସୂଚନା ଯୋଗ୍ୟ ଯେ, ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରିଗର ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଦକ୍ଷତା ବିକାଶ ଓ କଲ୍ୟାଣ ମୂଳକ ଯୋଜନା କାର୍ଯ୍ୟକାରୀ କରିଆସୁଛନ୍ତି ।

ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ଏବଂ ସଂରକ୍ଷଣ ପାଇଁ ବୁଣାକାର ଓ ହସ୍ତ ଶିଳ୍ପ କାରିଗର ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ରାଜ୍ୟରେ ୧,୨୫,୦୦୦ ରୁ ଅଧିକ ବୁଣାକାର ତଥା ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଥିବା ବେଳେ ୧,୫୦,୦୦୦ ରୁ ଅଧିକ ହସ୍ତଶିଳ୍ପ କାରିଗର ଅଛନ୍ତି ।

Naveen patnaik

ତେବେ, ପରିଣତ ବୟସରେ ବୁଣାକାର ମାନଙ୍କ ସହାୟତା ପାଇଁ ରାଜ୍ୟ ସରକାରଙ୍କ "ବରିଷ୍ଠ ବୁଣାକାର ସହାୟତା ଯୋଜନା " ଥିବା ବେଳେ ବରିଷ୍ଠ ହସ୍ତ ଶିଳ୍ପ କାରିଗର ମାନଙ୍କ ପାଇଁ କୌଣସି ଯୋଜନା ନାହିଁ।
ବୁଣାକାର ମାନେ ୬୦ ରୁ ୮୦ ବର୍ଷ ବୟସ ମଧ୍ୟରେ ମାସିକ ୫୦୦ ଟଙ୍କାର ସହାୟତା ପାଉଥିବା ବେଳେ ୮୦ ବର୍ଷ ବଯସରୁ ଅଧିକ ବୟସରେ ମାସିକ ୭୦୦ ଟଙ୍କାର ସହାୟତା ପାଉଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବିଭିନ୍ନ ଅଞ୍ଚଳର ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ବିଚାରକୁ ନେଇ ରାଜ୍ୟ ସରକାର ରାଜ୍ୟର ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କର କଲ୍ଯାଣ ନିମନ୍ତେ ଏକ ନୂତନ ଯୋଜନା "ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା" ପ୍ରଣୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ଯୋଜନାରେ ଯୋଗ୍ୟ ବିବେଚିତ ହେବାପାଇଁ ନିମ୍ନଲିଖିତ ଯୋଗ୍ୟତା ଥିବା ଆବଶ୍ୟକ।

କ ) ହିତାଧିକାରୀଙ୍କ ନାମ ବୟନଶିଳ୍ପ ନିର୍ଦ୍ଦେଶକ ଓ ହସ୍ତଶିଳ୍ପ ନିର୍ଦ୍ଦେଶକ ଙ୍କ ଦ୍ଵାରା କରାଯାଇଥିବା ସର୍ବେକ୍ଷଣ ତାଲିକା ରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ଭାବରେ ପଞ୍ଜିକୃତ ହୋଇଥିବ ।

ଖ ) ତାଙ୍କର ପରିବାରର ବାର୍ଷିକ ଆୟ ୧ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ହୋଇନଥିବ I

ଗ) ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର ଙ୍କ ଦ୍ଵାରା କୌଣସି ଅନୁରୂପ ଯୋଜନାର ଲାଭାର୍ଥୀ ହୋଇନଥିବେ I

ଘ) ହିତାଧିକାରୀ ସରକାରୀ କର୍ମଚାରୀ, ଆୟକରଦାତା କିମ୍ବା କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପେନସନଭୋଗୀ ହୋଇନଥିବେ I

ଙ) ଗୋଟିଏ ପରିବାରରୁ ଜଣେ ମାତ୍ର ଏହି ଯୋଜନାରେ ଲାଭ ପାଇପାରିବେ।

ଚ) ଏହି ଯୋଜନାର ସହାୟତା ରାଶି ଯୋଗ୍ୟ ବିବେଚିତ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗର ମାନଙ୍କ Aadhaar ସଂଯୁକ୍ତ ବ୍ଯାଙ୍କ ସଞ୍ଚୟ ଖାତାକୁ ସିଧା ସଳଖ DBT ଦ୍ଵାରା ପ୍ରଦାନ କରାଯିବ I

୬. ଏହି ଯୋଜନା ହସ୍ତତନ୍ତ , ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ଵାରା କାର୍ଯ୍ୟକାରୀ କରାଯିବ ।

ଏଥିନିମନ୍ତେ ଆବଶ୍ଯକୀୟ ମାର୍ଗଦର୍ଶିକା ବିଭାଗ ତରଫରୁ ଜାରି କରାଯିବ।

ବରିଷ୍ଠ ବୁଣାକାର ସହାୟତା ଯୋଜନାରେ ସହାୟତା ପାଉଥିବା ହିତାଧିକାରୀ ମାନଙ୍କୁ ବର୍ଦ୍ଧିତ ହାରରେ ସହାୟତା ରାଶି ଫେବୃଆରୀ ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ପ୍ରଦାନ କରାଯିବ।

ପରବର୍ତ୍ତୀ ସମୟରେ ବୁଣାକାର ଓ ବୁଣା କାର୍ଯ୍ୟରେ ନିୟୋଜିତ ସହାୟକ ଏବଂ ହସ୍ତଶିଳ୍ପ କାରିଗରମାନଙ୍କ ମଧ୍ୟରୁ ଉପଯୁକ୍ତ ହିତାଧିକାରୀ ଚୟନ କରାଯାଇ ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରାଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+