ଅନୁଗୁଳବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ବର୍ଷ ଭେଟି, ୧୮୦୫ କୋଟିର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଅନୁଗୁଳ ଗସ୍ତ । ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ୧୮୦୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।
ଅନୁଗୁଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଅନୁଗୁଳ ଗସ୍ତ । ୧୧ଟି ପ୍ରକଳ୍ପର ଶୁଭାରମ୍ଭ ସହ ୧୩ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ୧୮୦୫ କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର । ଏଥିସହ ୭ ହଜାର ୪ଶହ ମହିଳା ସୟଂ ସହାୟକ ଗୋଷ୍ଠୀର ୭୫ ହଜାର ସ୍ବାବଲମ୍ବୀ ମହିଳାଙ୍କୁ ୨୪୨ କୋଟି ଟଙ୍କାର ଋଣ ଏବଂ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆଜି ଅନୁଗୁଳବାସୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବହୁ ପ୍ରତୀକ୍ଷିତ ଅନୁଗୁଳ ବସଷ୍ଟାଣ୍ଡ, ପାଲଲହଡ଼ାରେ ମହିଳା ଓ ଶିଶୁଙ୍କ ଚିକିତ୍ସା ପାଇଁ ନୂଆ ଡାକ୍ତରଖାନା, ତାଳଚେର ପୌରପାଳିକା ଅଧୀନରେ ନିର୍ମାଣ ହୋଇଥିବା ହେରିଟେଜର ଶୁଭାରମ୍ଭ ହୋଇଛି ।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ବିକାଶ ହେଉଛି ଅନୁଗୁଳର ସବୁଠୁ ବଡ ପରିଚୟ । ଶିଳ୍ପ କ୍ଷେତ୍ରରେ ଅନୁଗୁଳ ଦେଶର ଆଗୁଆ ଜିଲ୍ଲା । ଏଠାରେ ଅନେକ ଶିଳ୍ପ ରହିଛି । ନିଯୁକ୍ତି ସୁଯୋଗ ବଢିଛି, ଅର୍ଥନୀତି ଆଗକୁ ବଢିଛି । ଏବେ ଅନୁଗୁଳରେ ୧୮୦୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ ହୋଇଛି । ଯାହା ଜିଲ୍ଲାର ବିକାଶ ଧାରାକୁ ଆହୁରି ମଜବୁତ କରିବ । ଅନୁଗୁଳ ଜିଲ୍ଲାରେ ୨ଟି ବଡ ପାନୀୟ ଜଳ ପ୍ରକଳ୍ପ କରାଯିବ । ଏଥିପାଇଁ ରାଜ୍ୟ କ୍ୟାବିନେଟ ମଞ୍ଜୁରି ଦେଇଛି । ଜିଲ୍ଲାର ୪୧ଟି ପଞ୍ଚାୟତର ଲୋକମାନେ ଶୁଦ୍ଧ ପାନୀୟ ଜଳ ପାଇବେ ।
ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନେକ ଲୋକ ରାଜ୍ୟ ଓ ରାଜ୍ୟ ବାହାରେ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି । ମିଶନ ଶକ୍ତି ମୋର ସବୁଠୁ ପ୍ରିୟ କାର୍ଯ୍ୟକ୍ରମ । ମିଶନ ଶକ୍ତିର ମା' ମାନେ ମୋତେ ଭେଟୁଛନ୍ତି । ସେମାନଙ୍କ ସଫଳତା କହୁଛନ୍ତି । ମା' ମାନଙ୍କ ସଫଳତା ମୋତେ ବହୁତ ଖୁସି ଦେଇଛି । ମିଶନ ଶକ୍ତି ମା'ଙ୍କୁ ଉଦ୍ୟୋଗୀ ଭାବେ ଦେଖିବାକୁ ଚାହେଁ । ଏଥିପାଇଁ ରାଜ୍ୟ ସରକାର ସବୁ ସହଯୋଗ ଯୋଗାଇ ଦେବେ । ଆଗାମୀ ୫ ବର୍ଷରେ ଏସଏଚଜି ମହିଳାଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ । ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯିବ । ଅନୁଗୁଳର ମିଶନ ଶକ୍ତି ମା' ମାନଙ୍କୁ ୨୪୨ କୋଟି ଟଙ୍କାର ଋଣ ସହାୟତା ଦିଆଯାଇଛି । ଯାହା ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ସହ ଉଦ୍ୟୋଗୀ ଭାବେ ପରିଚୟ ଦେବ ।












Click it and Unblock the Notifications