ଓଡ଼ିଶା ସ୍କିଲ୍ କନକ୍ଲେଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ଦକ୍ଷତା କନକ୍ଲେଭ୍ ୨୦୨୩ ବା ଓଡ଼ିଶା ସ୍କିଲ୍ କନକ୍ଲେଭ ୨୦୨୩କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ୧ ଲକ୍ଷ ଯୁବପିଢ଼ିଙ୍କୁ ଟ୍ରେନିଂ ପାଇଁ ବଜେଟରେ ୧୦୦ କୋଟିର ବ୍ୟବସ୍ଥା ହୋଇଛି । ସ୍କିଲ୍ ଇନ୍ ଓଡ଼ିଶା ଏବେ ବିଶ୍ୱରେ ଝଟକିବାକୁ ଯାଉଛି ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିଭାଷଣ ପରେ ଏଗଜିବିସନ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ ମାନବ ସଂସ୍କରଣର ଏକ ଉଦାହରଣ । ଓଡ଼ିଶା ସରକାର ଯୁବପୀଢିଙ୍କ ଦକ୍ଷତା ବିକାଶ ପାଇଁ ଶହେ କୋଟି ଟଙ୍କାର ଯୋଜନା ଘୋଷଣା କରୁଛି । ଏହାର ନାମ ନୂଆ ଓଡ଼ିଶା ହେବ। ଏକ ଲକ୍ଷ୍ୟ ପିଲାଙ୍କୁ ପ୍ରଯୁକ୍ତି ବିଦ୍ୟା ସହ ଯୋଡ଼ିବ, ଯାହା ଯୋଗୁ ଭାବିଷ୍ୟତର ନିର୍ମାଣ ହୋଇପାରିବ। ମିଶନ ଶକ୍ତିରୁ ୭୦ ଲକ୍ଷ ମହିଳା ଆଜି ଉନ୍ନତ ହୋଇଛନ୍ତି। ସ୍କିଲ ଇନ୍ ଓଡ଼ିଶା ଏକ ବ୍ରାଣ୍ଡ ହେଉଛି ।

ଆଜି ଉଦଘାଟନୀ ଦିବସରେ ଖଣି ଅଞ୍ଚଳରେ ଆର୍ଥ ମୁଭର୍ସ୍ ଚଳାଉଥିବା ୮ରୁ ୧୦ ଜଣ ମହିଳା ଡ୍ରାଇଭରଙ୍କୁ ପୁରସ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନକ୍ଲେଭରେ ପଲିଟେକ୍ନିକ୍, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜର ପ୍ରାୟ ୩ ହଜାର ଶିକ୍ଷାର୍ଥୀ ଓ ଶିଳ୍ପପତି ଯୋଗ ଦେଇଛନ୍ତି । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏହି କନକ୍ଲେଭ୍ ଆୟୋଜନ କରୁଛି। ଯାହାକି ଆସନ୍ତା ୨୦ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଓଡ଼ିଶା ଦକ୍ଷତା ବିକାଶ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚୀ ଉପସ୍ଥିତ ଥିଲେ ।
ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ କହିଛନ୍ତି, ପୁଞ୍ଜି ନିବେଶ ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଯେହେତୁ ପୁଞ୍ଜି ନିବେଶର ସୁଅ ଛୁଟିଛି ସେହି କ୍ଷେତ୍ରରେ ଦକ୍ଷ ବ୍ୟକ୍ତିତ୍ୱର ଆବଶ୍ୟକତା ରହିଛି । ଆଜି ଏହାର ମୂଳଦୁଆ ପଡ଼ିଛି । ଆଗାମୀ ଦିନରେ ବେକାରୀ ସମସ୍ୟା ଦୂର ହୋଇ ପାରିବ । ଓଡ଼ିଶାର ଯୁବପୀଢି ଉନ୍ନତ ଜ୍ଞାନକୌଶଳ ସହ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି କିପରି ନିଜର ଉନ୍ନତି କରିବେ ଏହା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ନିଜର ଆବଶ୍ୟକତା ପୂରଣ କ୍ଷେତ୍ରରେ ଏହା ଏକ ପ୍ଲାଟଫର୍ମ । ଓଡ଼ିଶାର ଯୁବପୀଢିଙ୍କ ପାଖରେ ବହୁ ଦକ୍ଷତା ରହିଛି। ଏହାକୁ ସମସ୍ତଙ୍କ ଆଗରେ ଉପସ୍ଥାପନା କରିବେ ଏହା ହେଉଛି ଏହି କାର୍ଯ୍ୟକ୍ରମର ଦ୍ବିତୀୟ ଲକ୍ଷ୍ୟ ।
ଏହି ଅବସରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧକ୍ଷ କହିଛନ୍ତି, ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ଆଜି ଓଡ଼ିଶା ମାଟିରେ ଆୟୋଜିତ ହୋଇଥିବା ସ୍କିଲ କନକ୍ଳେଭରେ ସିଙ୍ଗାପୁରର ୨୫ ଜଣ ଯୁବକ ଯୁବତୀ ଏକା ସାଙ୍ଗରେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି। ଏହାକୁ ହିଁ ଆମେ ଗ୍ଲୋବାଲାଇଜେସନ କହିବା। ଯେଉଁ ଦିନ ବିଦେଶରୁ ପିଲାମାନେ ଆସି ଓଡ଼ିଶା ମାଟିରେ କାନ୍ଧରେ କାନ୍ଧ ମିଳାଇ କାମ କରିବେ, ସେହି ଦିନ ଓଡ଼ିଶା ଗ୍ଲୋବାଲ ବେଞ୍ଚ ମାର୍କ ତିଆରି କରିବ। ସ୍କିଲ କନକ୍ଳେଭର ଆୟୋଜନ ଏହାର ଅୟମାରମ୍ଭ ମାତ୍ର, ଆଗାମୀ ଦିନରେ ଏହା ଜାତୀୟ ସ୍ତରରେ ପ୍ଲାଟଫର୍ମ ହୋଇକି ଛିଡ଼ା ହେବ। ଦକ୍ଷତା ବିକାଶକୁ ନେଇକି ଯେଉଁ ଚିନ୍ତାଧାରା ଅଛି ସାରା ଭାରତରେ ସେହି ବିଷୟକୁ ନେଇ ଆଲୋଚନା ହେବ।












Click it and Unblock the Notifications