ହାପିଏଷ୍ଟ ମାଇଣ୍ଡ୍ସ ଗ୍ଲୋବାଲ ଆଇଟି ଡେଭେଲପମେଣ୍ଟ ସେଣ୍ଟରର ଭୁବନେଶ୍ୱର ଶାଖା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଫର୍ଚୁନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ଡେଭେଲପମେଣ୍ଟ ସେଣ୍ଟର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ନୂତନ କେନ୍ଦ୍ର ଭାରତର ପ୍ରଯୁକ୍ତି ଉତ୍ସକେନ୍ଦ୍ର ଭା
ଭୁବନେଶ୍ୱର: ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଫର୍ଚୁନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ଡେଭେଲପମେଣ୍ଟ ସେଣ୍ଟର ଶୁଭ ଉଦ୍ଘାଟନ କରିଛନ୍ତି । ଏହି ନୂତନ କେନ୍ଦ୍ର ଭାରତର ପ୍ରଯୁକ୍ତି ଉତ୍ସକେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍ କରିବ ।

ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍ ସେଣ୍ଟରରେ ଏକ ହଜାରରୁ (୧୦୦୦) ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ବ୍ୟତୀତ ଆଗାମୀ ବର୍ଷମାନଙ୍କରେ ଓଡ଼ିଶାର ପ୍ରତିଭାବାନ୍ ଇଞ୍ଜିନିୟରମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ ।
ଏହି କେନ୍ଦ୍ର ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ବିଗତ କିଛିବର୍ଷ ଧରି ଓଡ଼ିଶା ଆଇଟି କ୍ଷେତ୍ରରେ ଅନେକ ଦୂରଦୃଷ୍ଟିସମ୍ପର୍ଣ୍ଣ ପଦକ୍ଷେପ ନେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା ସହିତ ଆଇଟି କ୍ଷେତ୍ରରେ ରାଜ୍ୟ ଅଭିବୃଦ୍ଧିର ହାର ତ୍ୱରାନ୍ୱିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦ୍ରୁତଗତିରେ ଭାରତର ପ୍ରଯୁକ୍ତି ବିଜ୍ଞାନ ଉତ୍ସ କେନ୍ଦ୍ର ଭାବରେ ପରିଗଣିତ ହୋଇଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।"
ଭୁବନେଶ୍ୱରରେ ଉପଲବ୍ଧ ଆଇଟି ଅନୁକୂଳ ଇକୋସିଷ୍ଟମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନେକ ଆଇଟି କମ୍ପାନୀ ଏଠାରେ ନିବେଶ କରିବା ପାଇଁ ଆଗ୍ରହୀ । ''ଓଡ଼ିଶାର ଅନୁକୂଳ ପରିବେଶ, ସରକାରୀ ସହାୟତା ଏବଂ ବିପୁଳ ମେଧା ନିବେଶକଙ୍କୁ ଅଧିକ ଆକୃଷ୍ଟ କରିଛି । ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟର ଖୋଲିବାଦ୍ୱାରା ଆଇ.ଟି. କ୍ଷେତ୍ରରେ ଆଉ ଏକ ସ୍ଵତନ୍ତ୍ର ଅଧ୍ୟାୟ ଯୋଗ ହୋଇଛି ।'' ଏହା ରାଜ୍ୟର ସକ୍ରିୟ ଆଇଟି ଇକୋସିଷ୍ଟମର ସୂଚନା ଦେଉଛି ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ, ମନୋଜ କୁମାର ମିଶ୍ର କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆମେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ମଧ୍ୟ ଏକ ଅନୁକୂଳ ପରିବେଶ ଯୋଗାଇବାକୁ ପ୍ରତିବଦ୍ଧ । ଓଡ଼ିଶାର ପରିବର୍ତ୍ତନଶୀଳ କାହାଣୀରେ ଭାଗୀଦାର ହେବାକୁ ନିଷ୍ପତ୍ତି ନେଇଥିବାରୁ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରକୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ଏହା ମଧ୍ୟ କହିଥିଲେ ଯେ ଏହି କେନ୍ଦ୍ର ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବୃଦ୍ଧି କରିବ ଏବଂ ଓଡ଼ିଶାର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇ.ଟି. ଡେଭେଲପମେଣ୍ଟ ସେଣ୍ଟରର ନିରବଚ୍ଛିନ୍ନ ଗ୍ରାହକ ଅଭିଜ୍ଞତା, ବ୍ୟବସାୟ ଦକ୍ଷତା ଏବଂ କାର୍ଯ୍ୟକ୍ଷମ ଅନ୍ତର୍ଦୃଷ୍ଟି ଉଦ୍ୟୋଗଗୁଡ଼ିକୁ ଡିଜିଟାଲ୍ ପରିବର୍ତ୍ତନ ସମାଧାନ ବିତରଣ କରିବା ଲାଗି କ୍ଷମତା ବିସ୍ତାର କରିବା ପାଇଁ ଏହି ନୂତନ ଶାଖାକୁ ସକ୍ଷମ କରିବ । କମ୍ପାନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବ୍ଲକ୍ ଚେନ୍, କ୍ଲାଉଡ୍, ଡିଜିଟାଲ୍ ପ୍ରକ୍ରିୟା ସ୍ୱୟଂକରଣ, ଇଣ୍ଟରନେଟ୍ ଅଫ୍ ଥିଙ୍ଗସ, ରୋବୋଟିକ୍ସ/ଡ୍ରୋନ୍, ସୁରକ୍ଷା ଏବଂ ଭର୍ଚୁଆଲ୍/ଅଗ୍ମେଣ୍ଟେଡ୍ ରିଆଲିଟି କ୍ଷେତ୍ରରେ ନିଜର ବଳୟକୁ ସମୃଦ୍ଧ କରିବା ପାଇଁ ଲକ୍ଷ୍ୟ ରଖିଛି ।
ହାପିଏଷ୍ଟ ମାଇଣ୍ଡସ ଟେକ୍ଲୋଲୋଜିର ଅଧ୍ୟକ୍ଷ ଅଶୋକ ସୋଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ହାପିଏଷ୍ଟ ମାଇଣ୍ଡସର କେନ୍ଦ୍ର ପ୍ରତିଷ୍ଠା କରିବାରେ ସହାୟତା କରିଥିବାରୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର ନୂତନ ଆଇଟି ନୀତିକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏଥିସହ ଖୁବଶୀଘ୍ର ଭୁବନେଶ୍ୱରରେ ଏକ ସ୍ଥାୟୀ ଡେଭେଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି କ୍ୟାମ୍ପସ ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବେଶ ସହାୟକ ହେବ।












Click it and Unblock the Notifications