ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି; ଡେପୁଟି ମେୟରଙ୍କ ଦରମା ୨୦ ହଜାର
ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି କଲେ ସରକାର । ଡେପୁଟି ମେୟରଙ୍କ ଦରମା ୨୦ ହଜାର ଟଙ୍କାକୁ ବୃଦ୍ଧି । ପୌରପରିଷଦ ଅଧ୍ୟକ୍ଷଙ୍କ ଦରମା ୧୫ ହଜାରକୁ ବୃଦ୍ଧି । ପୌରପରିଷଦ ଉପାଧ୍ୟକ୍ଷ ଏଣିକି ପାଇବେ ୧୦ ହଜାର ଟଙ୍କା । NAC ଅଧ୍ୟକ୍ଷଙ୍କ ଦରମା ୧୦ ହଜାର, ଉପାଧ୍ୟକ୍ଷ ପାଇବେ ୭,୫୦୦।
ମହାନଗର ନିଗମ କର୍ପୋରେଟରଙ୍କ ବୈଠକ ଭତ୍ତା ୨୦୦୦କୁ ବୃଦ୍ଧି । ପୌରପରିଷଦ, NAC କାଉନସିଲରଙ୍କ ଭତ୍ତା ୫୦୦ ଟଙ୍କାକୁ ବୃଦ୍ଧି ହୋଇଛି । ମହାନଗର ନିଗମ ଷ୍ଟାଣ୍ଡିଂ କମିଟି ସଦସ୍ୟଙ୍କୁ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ ।

ରାଜ୍ୟର ୫ଟି ମହାନଗର ନିଗମ, ୪୮ଟି ପୌର ପରିଷଦ ଓ ୬୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ମେୟର, ଡେପୁଟି ମେୟର, ଅଧ୍ୟକ୍ଷ, ଉପାଧ୍ୟକ୍ଷ, କର୍ପୋରେଟର ଓ କାଉନସିଲରଙ୍କ ପାରିତୋଷିକ ଓ ଭତ୍ତାରେ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପଞ୍ଚମ ରାଜ୍ୟ ଅର୍ଥ କମିଶନଙ୍କ ସୁପାରିଶ ତଥା ଓଡିଶା ମ୍ୟୁନିସିପାଲ କର୍ପୋରେସନ ରୁଲ୍ସ- ୨୦୦୪ ଓ ଓଡିଶା ମ୍ୟୁନିସିପାଲିଟି ରୁଲ୍ସ-୧୯୫୩ ରେ ସଂଶୋଧନ ଆଣି ଏହି ବୃଦ୍ଧି କରାଯାଇଛି ।
ମହାନଗର ନିଗମମାନଙ୍କର ମେୟରମାନେ ପୂର୍ବରୁ ପାରିତୋଷିକ ଭାବରେ ୮ ହଜାର ଟଙ୍କା ପାଉଥିବା ବେଳେ ଏହାକୁ ସଂଶୋଧନ କରାଯାଇ ମାସିକ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଡେପୁଟି ମେୟରମାନଙ୍କ ପାରିତୋଷିକ ମାସିକ ୫ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ପୌର ପରିଷଦ ଅଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୫୦୦ ରୁ ୧୫ ହଜାର ଟଙ୍କାକୁ, ଉପଧ୍ୟକ୍ଷଙ୍କ ପାରିତୋଷିକ ମାସିକ ୧,୨୦୦ ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଏନ୍.ଏ.ସି. ଅଧ୍ୟକ୍ଷମାନଙ୍କର ମାସିକ ପାରିତୋଷିକ ୧,୦୦୦ ଟଙ୍କାରୁ ୧୦ ହଜାର ଟଙ୍କାକୁ ଏବଂ ଉପାଧ୍ୟକ୍ଷଙ୍କ ମାସିକ ପାରିତୋଷିକ ୮୦୦ ରୁ ୭,୫୦୦ ଟଙ୍କାକୁ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ମହାନଗର ନିଗମ କର୍ପୋରେଟରମାନେ ପ୍ରତି ବୈଠକ ପାଇଁ ଭତ୍ତା ବାବଦରେ ୭,୦୦ ଟଙ୍କା ପାଉଥିବା ବେଳେ ଏବେ ଏହାକୁ ୨,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ବିଭିନ୍ନ ପୌର ପରିଷଦ ଓ ଏନ୍.ଏ.ସି.ର କାଉନସିଲରଙ୍କ ଭତ୍ତା ୧୫୦ ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏତଦ୍ ବ୍ୟତୀତ ମହାନଗର ନିଗମର Standing Committee ର ସଦସ୍ୟମାନଙ୍କୁ ବୈଠକ ସମୟରେ ମଧ୍ୟ ଦୈନିକ ୨୦୦ ଟଙ୍କା ଭତ୍ତା ମିଳିବ।
ପୌରାଞ୍ଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ଅନୁକମ୍ପା ସହାୟତା ଲାଗୁ କରାଯିବା ବିଷୟ ମଧ୍ୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ମୃତ୍ୟୁ କ୍ଷେତ୍ରରେ ଏହି ସହାୟତା ରାଶି ୨ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ସମ୍ପୂର୍ଣ୍ଣ ଓ ଆଂଶିକ ଅକ୍ଷମତା କ୍ଷେତ୍ରରେ ଯଥାକ୍ରମେ ୨ ଲକ୍ଷ ଓ ୧ ଲକ୍ଷ ଟଙ୍କା ରଖାଯାଇଛି। ଏଥିପାଇଁ ରାଜ୍ୟ ସରକାର ୪ କୋଟି ୭୬ ଲକ୍ଷ ୫୨ ହଜାର ଟଙ୍କା ବାର୍ଷିକ ବ୍ୟୟ ବହନ କରିବେ।
ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରାଜ୍ୟର ବିଭିନ୍ନ ମ୍ୟୁନିସିପାଲିଟି ଓ ଏନ୍.ଏ.ସି.ରେ ୧୬୯୬ କାଉନସିଲର ଏବଂ ମହାନଗର ନିଗମରେ ୨୪୪ଜଣ କର୍ପୋରେଟର ନିର୍ବାଚିତ ହୋଇ କାମ କରୁଛନ୍ତି।












Click it and Unblock the Notifications