ପିଣ୍ଟୁ ନନ୍ଦଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତରେ ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ୱର: ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତରେ ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ''ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ । ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ।''
ସେହିପରି ପିଣ୍ଟୁ ନନ୍ଦଙ୍କ ବିୟୋଗ ପରେ ଛତିଶଗଡ ରାଜ୍ୟପାଳ ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଟ୍ୱିଟ୍ କରି ସେ ଲେଖିଛନ୍ତି, ଶ୍ରୀ ନନ୍ଦ ଓଡ଼ିଆ ଆଲବମରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଥିଲେ । ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ସୁନାମ ଅର୍ଜନ କରିଥିଲେ । ତାଙ୍କର ଏହିପରି ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ଅପୂରଣୀୟ କ୍ଷତି ।
ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) March 2, 2023
ଅନ୍ୟପଟେ ପିଣ୍ଟୁଙ୍କ ବିୟୋଗରେ ସାରା ଓଡିଶା ମର୍ମାହତ । ଜଲିଉଡ୍ ଏବଂ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅଭିନୟ ଏବଂ ପରୋପକାରୀ ମନଭାବ ପାଇଁ ଆଜି ତାଙ୍କୁ ଝରୁଛନ୍ତି ଅନେକ କଳାକାର ।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ରାତି ପ୍ରାୟ ସାଢ଼େ ୧୧ଟାରେ ପିଣ୍ଟୁଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଲିଭର ଟ୍ରାନ୍ସପ୍ଲାଣ୍ଟ ପୂର୍ବରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୫ବର୍ଷ ହୋଇଥିଲା । ପିଣ୍ଟୁଙ୍କର ଯକୃତ ଟ୍ରାନ୍ସପ୍ଲାଣ୍ଟ ହେବାକୁ ଥିବା ବେଳେ ଡୋନର ମିଳି ନଥିଲେ । ଫଳରେ ଚିକିତ୍ସାରେ ବିଳମ୍ବ ହୋଇଥିଲା । ଗତ କିଛିଦିନ ତଳେ ତାଙ୍କୁ ଭୁବନେଶ୍ବରରୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ଲିଭର ଡୋନର ନମିଳିବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଥିଲା ।
କହିରଖୁ କି, ପିଣ୍ଟୁ ନନ୍ଦ ବହୁ ବର୍ଷ ହେବ ଓଡିଆ ସିନେମା ଜଗତରେ ସକ୍ରିୟ ରହିଥିଲେ । ଦର୍ଶକ ପିଣ୍ଟୁ ନନ୍ଦଙ୍କୁ କେତେବେଳେ ଖଳନାୟକ, କେତେବେଳେ ସହନାୟକ ପୁଣି କେତେବେଳେ କମେଡିଆନ୍ ଚରିତ୍ରରେ ଦେଖିଛନ୍ତି । ପିଣ୍ଟୁ ବିଭିନ୍ନ ସମୟରେ ନାୟକ, ନାୟିକାଙ୍କ ଭାଇ, ଦାଦା ଭଳି ଚରିତ୍ରରେ ବି ନଜର ଆସିଛନ୍ତି । ପିଣ୍ଟୁ ନନ୍ଦ ଓଲିଉଡରେ ୩୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ 'ରାଣ୍ତି ପୁଅ ଅନନ୍ତା' ଦର୍ଶକଙ୍କ ମନକୁ ଛୁଇଁଥିଲା।
ସେହିପରି ଅନ୍ୟ ସିନେମା ଗୁଡିକ ହେଲା 'ଜୟ ଜଗନ୍ନାଥ', 'ବାହୁଡିବେ ମୋ ଜଗା ବଳିଆ', 'ଆଇ ଲଭ ମାଇଁ ଇଣ୍ତିଆ',' ସାଥୀରେ', 'ପ୍ରେମ ପାଇଁ ମହାଭାରତ', 'କଥାଦେଲି ମଥା ଛୁଇଁ', 'ଦୋସ୍ତି','ପ୍ରେମ ଋତୁ ଆସିଲାରେ','ହାତଧରି ଚାଲୁଥା','ରଙ୍ଗ ନମ୍ବର'ଏବଂ 'ଲଭ ଏକ୍ସପ୍ରେସ' ଆଦି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ସେ ୧୯୯୬ରେ 'କୋଇଲି' କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । କେବଳ ଫିଲ୍ମ ନୁହେଁ ଅନେକ ଆଲବମରେ ମଧ୍ୟ ସେ ଅଭିନୟ କରିଛନ୍ତି । ଓଡ଼ିଆ ଆଲବମ 'ଏ ଗଉରା' ଗୀତ ପିଣ୍ଟୁଙ୍କୁ ଘରେ ଘରେ ପରିଚିତ କରାଇଥିଲା । ପିଣ୍ଟୁଙ୍କ ପରଲୋକରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।












Click it and Unblock the Notifications