ମୁମ୍ବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ: ୧୪ ତାରିଖରେ ହେବ ଇନଭେଷ୍ଟରର୍ସ ମିଟ୍
ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୪ ତାରିଖରେ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟଲରେ ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ ।
ଭୁବନେଶ୍ୱର: ଦେଶର ବାଣିଜ୍ୟିକ ରାଜଧାନୀ ମୁମ୍ବାଇରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିଠୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ରହିବେ ମୁଖ୍ୟମନ୍ତ୍ରୀ । ଆସନ୍ତା ୧୪ ତାରିଖରେ ମୁମ୍ବାଇର ଟ୍ରାଇଡେଣ୍ଟ ହୋଟଲରେ ଅନୁଷ୍ଠିତ ହେବ ନିବେଶକ ସମ୍ମିଳନୀ । ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ସେ ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସମେତ କେତେକ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଭେଟି ଆଲୋଚନା କରିବା ସହ ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବରରେ ଆୟୋଜନ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ସାମିଲ୍ ହେବାକୁ ନିମନ୍ତ୍ରଣ ଦେବେ। ଏହାସହ ଓଡ଼ିଶାରେ ପୁଞ୍ଜିନିବେଶ କଲେ କି' ପ୍ରକାରର ସହଯୋଗ ଯୋଗାଇଦେବେ ସେନେଇ ଆଲୋଚନା କରିବେ।
ତେବେ ଇନଭେଷ୍ଟରର୍ସ ମିଟ୍ ପୂର୍ବରୁ ମୁମ୍ବାଇରେ ଶିଳ୍ପପତିଙ୍କୁ ଭେଟିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ରାଜ୍ୟରେ ନିବେଶ ପାଇଁ ବ୍ୟବସ୍ଥା ସମ୍ପର୍କରେ ଶିଳ୍ପପତିଙ୍କୁ ବୁଝାଇ କହିଛନ୍ତି । ଶିଳ୍ପପତିଙ୍କ ସହ ଓ୍ୱାନ୍ ଟୁ ଓ୍ୱାନ୍ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ୧୫ଟି ଶିଳ୍ପ ସଂସ୍ଥାର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ।
ମୁଖ୍ୟମନ୍ତ୍ରୀ ଦୁଇଟି ପର୍ଯ୍ୟାୟରେ ଦେଶର ବଡ଼ ବଡ଼ ଉଦ୍ୟୋଗପତି ମାନଙ୍କ ସହ ଏହି ସମ୍ମେଳନରେ ସିଧାସଳଖ ଆଲୋଚନା କରିବେ। ପ୍ରଥମାର୍ଦ୍ଧରେ ମୁଖ୍ୟମନ୍ତ୍ରୀ ଦିନ ୧୧ଟାରୁ ୧ଟା ୩୦ ମିନିଟ୍ ମଧ୍ୟରେ ଉଦ୍ୟୋଗପତିମାନଙ୍କ ସହ ଆଲୋଚନା କରିବେ। ସେହିପରି ଅପରାହ୍ନ ୫ଟାରୁ ୬ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସେସ ଲିଃ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ ଓ ଅନ୍ୟ କିଛି ବଡ଼ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ନିବେଶକମାନଙ୍କୁ ଆଗାମୀ ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିବାର କାର୍ଯ୍ୟକ୍ରମ ରହିଛି।
ସେହିପରି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଗ୍ରୁପ୍ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା, ନିଲକମଲ ଲିଃ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୀତେନ ଭି ପାରେଖ ଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ରାଜ୍ୟରେ ବ୍ୟାଙ୍କିଙ୍ଗ୍ ଏଣ୍ଡ ଫିନଟେକ୍ କ୍ଷେତ୍ରର ନିବେଶକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଦୀନେଶ କୁମାର ଖରା, ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ଚେୟାରମ୍ୟାନ ଏସ୍.ଏସ୍ ମୁନ୍ଦ୍ରା, ଏଚଡିଏଫସି ବ୍ୟାଙ୍କ୍ର କଣ୍ଟ୍ରି ହେଡ୍ ଅରବିନ୍ଦ ଭୋରା, ଆଇସିଆଇସିଆଇ ବ୍ୟାଙ୍କ୍ର କାର୍ଯ୍ୟନିବାହୀ ନିର୍ଦ୍ଦେଶକ ରାକେଶ ଝା ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହା ବ୍ୟତୀତ ୱାରୀ ଏନର୍ଜି ଲିଃ, ଏସିଆନ୍ ପେଣ୍ଟସ୍ ଲିଃ, ଲାର୍ସନ ଏଣ୍ଡ ଟରବୋ ଲିଃ ଏବଂ ଏସଟିଟି ଜିଡିସି ଇଣ୍ଡିଆ ପ୍ରାଃ ଲିଃର ପ୍ରତିନିଧି ମଧ୍ୟ ସମ୍ମିଳନୀରେ ଯୋଗ ଦେବେ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ୧୫ତାରିଖ ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ସକାଳ ୯ଟାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁ ଥିବାବେଳେ କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ୍ ବଜାଇବାର ପରମ୍ପରା ରହିଛି । ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏଁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ ହେବାକୁ ଯାଉଛି । ଏହି ସମ୍ମିଳନୀକୁ ନିବେଶକଙ୍କୁ ନିମନ୍ତ୍ରଣ କରିବା ସହ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାର ପ୍ରସାର ପାଇଁ ଏହି ଗସ୍ତ କରୁଛନ୍ତି ନବୀନ ।












Click it and Unblock the Notifications