ଶିଖରଚଣ୍ଡୀ ମନ୍ଦିର ଉନ୍ନୟନ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ଖର୍ଚ୍ଚ ହେବ ୨୫ କୋଟି
ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ଭୁବନେଶ୍ବର: ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ବର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବରେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତି କାର୍ଯ୍ୟ କରାଯିବ ଏବଂ ଏଥିପାଇଁ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ ଯୋଜନାକୁ ପରିବେଶ ଉପଯୋଗୀ କରିବାପାଇଁ ସେ ପରାମର୍ଶ ଦେଇଥିଲେ।
ଆଜି ସଂଧ୍ୟାରେ ଅନୁଷ୍ଠିତ ଏକ ବୈଠକରେ ବିଡିଏର ଉପାଧ୍ୟକ୍ଷ ଶ୍ରୀ ବଲବନ୍ତ ସିଂହ ଏଥିପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନ ସଂପର୍କରେ ଏକ ଉପସ୍ଥାପନା ରଖିଥିଲେ। ଏହି ଯୋଜନା ଅନୁଯାୟୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳର ୫୩.୬୪ ଏକର ଜମିରେ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯିବ। ବିଡିଏ ଏହି ଉନ୍ନୟନ କାର୍ଯ୍ୟ କରିବା ସହିତ ଆଗକୁ ମଧ୍ୟ ଏହି ଅଞ୍ଚଳର ପରିଚାଳନା ଦାୟିତ୍ବ ଗ୍ରହଣ କରିବ।
ମାଷ୍ଟରପ୍ଲାନ ଅନୁଯାୟୀ ସମୁଦାୟ ଅଞ୍ଚଳକୁ ୪ଟି ଜୋନ୍ରେ ବିଭକ୍ତ କରାଯାଇଛି। ଜୋନ୍-୧ରେ ପାର୍କିଂ, ସାଧାରଣ ଲୋକଙ୍କ କ୍ରୀଡା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥାନର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାର ବିକାଶ କରାଯିବ। ଜୋନ୍-୨ରେ ଭିୟୁ ପଏଣ୍ଟ ଓ ଟ୍ରେକିଂ ରୁଟ ରହିବ। ଜୋନ-୩ ଓ ୪ ରେ ମନୋରଞ୍ଜନ ମୂଳକ କାର୍ଯ୍ୟପାଇଁ ଭିତ୍ତିଭୂମି, କମ୍ୟୁନିଟି ସେଣ୍ଟର, ମୁଖ୍ୟ ମନ୍ଦିରର ଉନ୍ନତିକରଣ, ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ।
ଭୁବନେଶ୍ବର ଉତ୍ତର ବିଧାୟକ ସୁଷାନ୍ତ ରାଉତ, ଶିଖରଚଣ୍ଡୀ ଆଞ୍ଚଳିକ ସେବା ସଂଘର ସଭାପତି କ୍ଷୀତିଶ ତ୍ରିପାଠୀ ଓ ମନ୍ଦିର ପୂଜକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ ଶିଖରଚଣ୍ଡୀ ମନ୍ଦିରର ଉନ୍ନୟନ ସ୍ଥାନୀୟ ଜନତାଙ୍କର ବହୁ ଦିନର ଆଶା ଥିଲା। ଆଜି ମୁଖ୍ୟମନ୍ତ୍ରୀ ତାକୁ ପୂରଣ କରିଛନ୍ତି। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।
ବୈଠକରେ ଭୁବନେଶ୍ବର ମେୟର ସୁଲୋଚନା ଦାସ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା ଏବଂ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଓ ପ୍ରମୁଖ ସଚିବ ମାନେ ଯୋଗ ଦେଇଥିଲେ।












Click it and Unblock the Notifications