ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ନୂଆରୂପ ପାଇବ ପୁରୀ ଲୋକନାଥ ଓ ବ୍ରହ୍ମଗିରି ଅଲାରନାଥ ପୀଠ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି ।

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀର ଲୋକନାଥ ମନ୍ଦିର ଓ ବ୍ରହ୍ମଗିରିର ଅଲାରନାଥ ପୀଠର ଉନ୍ନତି ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି । ଲୋକନାଥ ମନ୍ଦିରର ବିକାଶ ପାଇଁ ୨୮ କୋଟି ଟଙ୍କା ଅଟକଳ ରଖାଯାଇଥିବା ବେଳେ, ଅଲାରନାଥଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ଉଭୟ ମନ୍ଦିରର ପୁନଃ-ଉନ୍ନୟନ କାର୍ଯ୍ୟ ୧ ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହେବ ।

CM Naveen Patnaik

ଲୋକନାଥ ମନ୍ଦିର ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଶୈବପୀଠ। ପୁରାଣ ଅନୁଯାୟୀ, ପ୍ରଭୁ ଶ୍ରୀରାମଚନ୍ଦ୍ର ମାତା ସୀତାଙ୍କ ଅନ୍ବେଷଣରେ ଆସି ଏଠାରେ ପ୍ରଭୁ ଲୋକନାଥ ସ୍ଥାପନା କରି ପୂଜାଅର୍ଚ୍ଚନା କରିଥିଲେ । ଲୋକନାଥଙ୍କୁ ଜଗନ୍ନାଥ ମନ୍ଦିରର ରତ୍ନଭଣ୍ଡାରର ରକ୍ଷକ ବୋଲି ବିଶ୍ବାସ ରହିଛି ।

ଲୋକନାଥ ମନ୍ଦିରର ମାଷ୍ଟରପ୍ଲାନ ଅନୁଯାୟୀ ମନ୍ଦିରର ଭିତର ବେଢା, ବାହାର ବେଢାର ଉନ୍ନତିକରଣ ହେବା ସହିତ ସେବାୟତ ଓ ଭକ୍ତ ମାନଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରାଯିବ । ଏହାବ୍ୟତୀତ ପାର୍କିଂ, ଆଧୁନିକ ଧାଡି ପରିଚଳନା ବ୍ୟବସ୍ଥା, ଆପ୍ରୋଚ ରୋଡର ଉନ୍ନତିକରଣ ଏବଂ ପଶ୍ଚିମ ଦ୍ବାରରେ ସେବାୟତ ମାନଙ୍କ ସୁବିଧା ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ।

ଭିତର ବେଢାରେ ପୁରୁଣା ମାର୍ବଲ ପଥର ସବୁ କଢାଯାଇ ଖଣ୍ଡାଲାଇଟ୍‌ସ ପଥର ଲଗାଯିବ। ମନ୍ଦିରର ବଗିଚାର ଉନ୍ନତିକରଣ କରାଯାଇ ଲ୍ୟାଣ୍ଡ ସ୍ଲେପିଂ କରାଯିବ। ଏହାଛଡା ମନ୍ଦିର ପାଚେରୀର ମରାମତି ସହିତ ଆଲୋକୀକରଣର ବ୍ୟବସ୍ଥା କରାଯିବ। ବାହାର ବେଢାକୁ ସଂପ୍ରସାରିତ କରାଯିବା ସହିତ ଭାଙ୍ଗିଯାଇଥିବା ସ୍ଥାନ ଗୁଡିକର ମରାମତି, ନୂତନ ରାସ୍ତା, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ, ବସାଉଠା କରିବାପାଇଁ ସ୍ଥାନ ଓ ଦୁଇଟି ମୁଣ୍ଡନ ମଣ୍ଡପର ବିକାଶ କରାଯିବ । ଡ୍ରେନେଜ ଏକ ମୁଖ୍ୟ ସମସ୍ୟା ହୋଇଥିବାରୁ, ମନ୍ଦିର ଭିତର ଓ ବାହାର, ଉଭୟ ପାର୍ଶ୍ବରେ ଡ୍ରେନେଜ ବ୍ୟବସ୍ଥାକୁ ସୁଦୃଢ କରାଯିବ।

ମନ୍ଦିରର ପୁଷ୍କରଣୀ ପାର୍ବତୀସାଗରର ମଧ୍ୟ ଉନ୍ନତିକରଣ କରାଯିବ। ଏହାର ଚାରିପଟେ ୨୬୭ ମିଟରର ସୁଉନ୍ନତ ପାଚେରୀ, ପୁଷ୍କରଣୀର ବିଶୋଧନ, ପାହାଚ, ଲ୍ୟାଣ୍ଡ ସ୍କେପିଂ, ଆଲୋକୀକରଣ ଓ ବସାଉଠା ପାଇଁ ସ୍ଥାନ ରହିବ । ପାର୍କିଂ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।

ମନ୍ଦିରକୁ ଯାଇଥିବା ୪୦୦ ମିଟର ଆପ୍ରୋଚ ରୋଡର ଉନ୍ନତିକରଣ କରାଯିବା ସହିତ ୪ଟି ରାସ୍ତାର ବିକାଶ କରାଯିବ। ମନ୍ଦିରକୁ ସଂଯୋଗ ହୋଇଥିବା ୪ଟି ପ୍ରମୁଖ ରାସ୍ତାର ଉନ୍ନତିକରଣ ମଧ୍ୟ କରାଯିବ।

ସେହିପରି ବ୍ରହ୍ଣଗିରିର ପ୍ରସିଦ୍ଧ ଅଲାରନାଥ ମନ୍ଦିରର ମଧ୍ୟ ବିକାଶ କରାଯିବ। ପୁରୀ ଠାରୁ ୨୪ କି.ମି ଓ ସାତପଡା ଠାରୁ ୨୫ କି.ମି ଦୂରରେ ଥିବା ଏହି ପୀଠ ପଞ୍ଚଦଶ ଓ ଷୋଡଶ ଶତାଦ୍ଦୀର ନିର୍ମିତ ହୋଇଥିବା ବିଶ୍ବାସ କରାଯାଏ। ଶ୍ରୀ ଅଲାରନାଥଙ୍କୁ ଶ୍ରୀ ଜଗନ୍ନାଥଙ୍କର ପ୍ରତିରୂପ ବୋଲି ବିଶ୍ବାସ ରହିଛି । ଶ୍ରୀ ଜଗନ୍ନାଥଙ୍କ ଅଣସର ସମୟରେ ଅଲାରନାଥ ଦର୍ଶନ ପାଇଁ ଭକ୍ତମାନେ ଯାଇଥାନ୍ତି ।

ମାଷ୍ଟରପ୍ଲାନ ଅନୁଯାୟୀ ଏହାର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ, ସ୍ଥାନୀୟ ଭିତର ରାସ୍ତା, ଅରୁଣ ସ୍ତମ୍ଭ, ଚନ୍ଦନ ପୋଖରୀ ଆଦିର ବିକାଶ ଓ ସୌନ୍ଦର୍ଯ୍ୟକରଣ ସହିତ ପୁରା ଅଞଳକୁ ବିକଶିତ କରାଯାଇ ଏକ ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରାଯିବ।

ଏହାର ପ୍ରବେଶ ଦ୍ବାରକୁ ପ୍ରଶସ୍ତ କରାଯାଇ ୪୦ ଫୁଟ ଚଉଡା ଓ ୧୮ ଫୁଟ ଉଚ୍ଚ କରାଯିବ। ଏଥିରେ ଖଣ୍ଡାଲାଇଟସ ପଥର ଲଗାଯିବ। ମନ୍ଦିରକୁ ଯାଇଥିବା ରାସ୍ତାକୁ ୪୦ ଫୁଟ ଚଉଡା କରାଯାଇ ଏଥିରେ ପେଭର ବ୍ଲକ ଲଗାଯିବ ଏବଂ ଦୁଇପଟେ ଡ୍ରେନର ବ୍ୟବସ୍ଥା ରହିବ । ଏହାସହିତ ୨ ଚକିଆ ଓ ୪ ଚକିଆ ଗାଡି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବ। ମନ୍ଦିର ସମ୍ମୁଖ ସ୍ଥାନକୁ ଏକ ସୁନ୍ଦର ପ୍ଲାଜାରେ ପରିଣତ କରାଯାଇ ସେଥିରେ ଖଣ୍ଡାଲାଇଟ୍‌ସ ଓ ପେଭର ବ୍ଲକ ଲଗାଯିବା ସହିତ ଡ୍ରେନର ବ୍ୟବସ୍ଥା ମଧ୍ୟ କରାଯିବ। ମନ୍ଦିରର ସବୁ ସ୍ଥାନରୁ ମାର୍ବଲ କଢାଯାଇ ଖଣ୍ଡାଲାଇଟ୍‌ସ ଲଗାଯିବ। ପୁରୁଣା କବାଟ ବଦଳରେ ନୂଆ କାଠ କବାଟ ଲଗାଯିବ। ଚନ୍ଦନ ପୋଖରୀ ଓ ତୁଳସୀ ବନର ସୌନ୍ଦର୍ଯ୍ୟକରଣ କରାଯାଇ ଲ୍ୟାଣ୍ଡ ସ୍କେପିଂ କରାଯିବ । ଡ୍ରେନ ବ୍ୟବସ୍ଥାକୁ ସୁଦୃଢ କରାଯିବ। ଏହି ପୀଠର ବିକାଶ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ ହେବ ଓ କାମ ସଂପୂର୍ଣ୍ଣ ହେବା ପାଇଁ ୧ ବର୍ଷ ସମୟ ଲାଗିବ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭିକେ ପାଣ୍ଡିଆନ ନିକଟରେ ଉଭୟ ଲୋକନାଥ ମନ୍ଦିର ଓ ଅଲାରନାଥ ମନ୍ଦିର ଗସ୍ତ କରି ଏହାର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉଭୟ ମନ୍ଦିରର ପୂଜକମାନେ ପୁରୀ ଜିଲ୍ଲାପାଳଙ୍କ ସହିତ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ମନ୍ଦିର ଗସ୍ତ କରି ଠାକୁରଙ୍କୁ ଦର୍ଶନ କରିବା ପାଇଁ ନିମନ୍ତ୍ରଣ କରିଥିଲେ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଉଭୟ ମନ୍ଦିର ଦର୍ଶନ କରିବେ ବୋଲି କହିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ବୈଠକ ପରିଚାଳନା କରିଥିଲେ। ଉଭୟ ମନ୍ଦିର ଗସ୍ତ ସମୟରେ ସେବାୟତ ମାନଙ୍କ ସହିତ ହୋଇଥିବା ତାଙ୍କର ଆଲୋଚନା ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ବିଷୟ ସଂପର୍କରେ ଏହି ବୈଠକରେ ସୂଚନା ଦେଇଥିଲେ ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଆୟୋଜିତ ଏକ ବୈଠକରେ ପୂର୍ତ୍ତ ବିଭାଗ ସଚିବ ଭିଭିକେ ଯାଦବ ଏଥିପାଇଁ ଉପସ୍ଥାପନା ରଖିଥିଲେ। ଓଡିଶା ବ୍ରିଜ କନ୍‌ଷ୍ଟ୍ରକସନ କର୍ପୋରେସନ ଦ୍ବାରା ଉଭୟ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର କାର୍ଯ୍ୟାନ୍ବୟନ କରାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+