ତୃତୀୟ ପର୍ଯ୍ୟାୟ 5T ସ୍କୁଲ ରୂପାନ୍ତରଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଲୋକାର୍ପିତ ହେଲା ୪ଟି ଜିଲ୍ଲାର ୩୫୭ଟି ସ୍କୁଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି 5T ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି ।

ଏଥିରେ ଗଞ୍ଜାମ ଜିଲ୍ଲାର ୧୦୬ଟି ହାଇସ୍କୁଲ ଥିବା ବେଳେ ଅନୁଗୋଳର ୮୭ଟି, କେନ୍ଦୁଝରର ୫୭ଟି ଓ ଜଗତସିଂହପୁରର ୧୦୭ଟି ହାଇସ୍କୁଲ ରହିଛି । ତୃତୀୟ ପର୍ଯ୍ୟାୟରେ ସମୁଦାୟ ୨୧୫୧ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେବ । ସୂଚନାଯୋଗ୍ୟ ଯେ ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

Third Phase of 5T School Transformation

ଏହି ଅବସରରେ ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିବା ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ, ଛାତ୍ରଛାତ୍ରୀମାନଙ୍କ ସଫଳତା ହେଉଛି ଓଡ଼ିଶାର ସଫଳତା। ୫-ଟି ସ୍କୁଲ ଗୁଡିକରେ ପିଲାମାନଙ୍କୁ ସବୁ ପ୍ରକାର ଆଧୁନିକ ସୁବିଧା ଦେବା ପାଇଁ ପ୍ରଚେଷ୍ଟା କରାଯାଇଛି। ପିଲାମାନେ ଏହାର ସୁଯୋଗ ନେଇ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିପାରିଲେ, ସେମାନଙ୍କ ନିଜର ଓ ପରିବାରର ଗୌରବ ବୃଦ୍ଧି ହେବା ସହିତ ସାରା ଓଡ଼ିଶାର ଗୌରବ ବୃଦ୍ଧି ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ପିଲାମାନେ ଯଦି ନିଜ ଜୀବନରେ ୫-ଟିର ଉପଯୋଗ କରିବେ, ତେବେ ସେମାନେ ଜୀବନର ସବୁ କ୍ଷେତ୍ରରେ ସଫଳ ହୋଇପାରିବେ। ଏହାକୁ ବ୍ୟାଖ୍ୟାନ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତ୍ତମାନ ଯୁଗ ହେଉଛି ଟେକ୍ନୋଲୋଜିର ଯୁଗ। ତେଣୁ ପିଲାମାନେ ନୂଆ ନୂଆ ଟେକ୍ନୋଲୋଜି ବିଷୟରେ ଜାଣିବାକୁ ଚେଷ୍ଟା କରିବା ଆବଶ୍ୟକ। ଦ୍ୱିତୀୟ ବିଷୟଟି ହେଉଛି ଟିମ୍‌ୱାର୍କ। ପିଲାମାନେ ମିଳିମିଶି କାମ କଲେ, ସଫଳତାର ସମ୍ଭାବନା ବଢିବ। କ୍ରୀଡ଼ା କ୍ଷେତ୍ରରେ ଟିମ୍‌ୱାର୍କ ଅତି ଜରୁରୀ ବୋଲି ସେ କହିଥିଲେ। ସେହିପରି ଜୀବନରେ ସାଧୁତା (Transparency ) ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ୱାରା ମଣିଷର ବିଶ୍ୱସନୀୟତା ବୃଦ୍ଧି ପାଏ। ସମୟରେ ଗୁରୁତ୍ୱ ସଂପର୍କରେ ସମସ୍ତେ ଜାଣିଛନ୍ତି। ତେଣୁ ଏ ସବୁ ସହିତ ସମୟର ଉପଯୋଗ ଠିକ ଭାବରେ କରିପାରିଲେ, ପିଲାମାନେ ନିଶ୍ଚୟ ସବୁକ୍ଷେତ୍ରରେ ଆଗରେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ଉପସ୍ଥିତ ବିଧାୟକଗଣ, ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟିର ସଦସ୍ୟ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ୫-ଟି କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ୫-ଟି ହେଉଛି ଟେକ୍‌ନୋଲୋଜି, ଟିମ୍‌ୱାର୍କ, ଟ୍ରାନସ୍‌ପରେନ୍‌ସି ବା ସ୍ବଚ୍ଛତା ଏବଂ ଟାଇମ ବା ସମୟ । ଏସବୁର ପ୍ରୟୋଗରେ ଟ୍ରାନ୍‌ସଫରମେସନ ବା ରୂପାନ୍ତର ଆସିଥାଏ ।

ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍‌ନୋଲୋଜିର ପ୍ରୟୋଗରେ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍‌, କମ୍ପ୍ୟୁଟର ଓ ଆଧୁନିକ ଲାବୋରେଟୋରୀର ବିକାଶ କରାଯାଇଛି । ସେହିପରି ଏହି ରୂପାନ୍ତର କାମକୁ ସମସ୍ତଙ୍କ ମିଳିତ ଉଦ୍ୟମରେ କରାଯାଇଛି, ଯାହା ଟିମ୍‌ୱାର୍କର ପ୍ରତୀକ। ସମୟକୁ ଗୁରୁତ୍ବ ଦିଆଯାଇ ସମସ୍ତ କାମ ମଧ୍ୟ ଠିକ୍‌ ସମୟରେ ଶେଷ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏସବୁ କାମରେ ପ୍ରତି ସ୍ତରରେ ସ୍ବଚ୍ଛତା ବା ଟ୍ରାନ୍‌ସପରେନ୍‌ସି ରକ୍ଷା କରାଯାଇଛି। ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ସହିତ ଆଲୋଚନା କରାଯାଇ କାମ କରାଯାଉଛି। ଭିଜନ ଡକ୍ୟୁମେଣ୍ଟ ଠାରୁ ଆରମ୍ଭ କରି ପ୍ରତ୍ୟେକ କାର୍ଯ୍ୟ ପାଇଁ ହେଉଥିବା ଖର୍ଚ୍ଚ ସଂପର୍କରେ ସମସ୍ତେ ସବୁ ବିଷୟରେ ଜାଣନ୍ତି । ସ୍ବଚ୍ଛତା ହେଉଛି ୫-ଟିର ସବୁଠାରୁ ବଡ ଶକ୍ତି । ଏସବୁ ଦ୍ବାରା ଆସିଛି ରୂପାନ୍ତର । ଯାହାକୁ ଆମେ ସବୁ ଦେଖିପାରୁଛୁ ଓ ଅନୁଭବ କରିପାରୁଛୁ ।

ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ମାନେ ୫-ଟି ରୂପାନ୍ତର ସଂପର୍କରେ ସେମାନଙ୍କର ଅଭିଜ୍ଞତା ସଂପର୍କରେ ବର୍ଣ୍ଣନା କରିଥିଲେ । ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାସ୍ଥିତ ପରଙ୍ଗ ସେଣ୍ଟେନାରୀ ଟ୍ରାଇବାଲ ହାଇସ୍କୁଲର ଛାତ୍ରୀ ସୁପ୍ରିୟା ପଟ୍ଟନାୟକ, ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠାସ୍ଥିତ ଆର୍ଯ୍ୟବନ ଗୁରୁକୁଳ ବିଦ୍ୟାଳୟର ଛାତ୍ରୀ ସ୍ମୃତି ପଲାଇ, ଜଗତସିଂହପୁର ରୂପାନ୍ତରିତ ସ୍କୁଲର ଛାତ୍ରୀ ସ୍ବାତୀସ୍ନିଗ୍ଧା ଆଚାର୍ଯ୍ୟ ଏବଂ କେନ୍ଦୁଝର ଜିଲ୍ଲାର ସନ୍ତୋଷୀ ମା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ଶୁଭାସିନୀ ମୁଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ ଯେ ଆମର ଧାରଣା ଥିଲା ଯେ କେବଳ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀମାନେ ଉନ୍ନତ ଶିକ୍ଷା ବ୍ୟବସ୍ଥାର ସୁବିଧା ପାଇପାରିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ସେ ଧାରଣା ପରିବର୍ତ୍ତନ କରିଛନ୍ତି । ଆମକୁ ସବୁଠାରୁ ଅତ୍ୟାଧୁନିକ ସୁବିଧା ମିଳିଛି । ଇଙ୍ଗ୍ରାଜି ମିଡିଅମ ସ୍କୁଲରେ ପଢିବାର ଇଚ୍ଛା ଆଉ ନାହିଁ । ଆମ ସ୍କୁଲରେ ହିଁ ସବୁ ସୁବିଧା ରହିଛି । ଆମେ ପଢିବୁ, ବଢିବୁ ଏବଂ ଓଡିଶାର ନାଁ ରଖିବୁ ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କ ସହ ମତ ବିନିମୟ କରି ସେମାନେ ଭବିଷ୍ୟତରେ କଣ ହେବାକୁ ଚାହାନ୍ତି ବୋଲି ପଚାରିବାରୁ, ସେମାନେ ସମସ୍ତେ ପ୍ରଶାସନିକ ଅଧିକାରୀ, ଡାକ୍ତର ଓ ଇଂଜିନିଅର ହେବେ ବୋଲି ପ୍ରକାଶ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+