ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟରପ୍ଲାନକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୁଷୁଣ୍ଡପୁରର ମା ଉଗ୍ରତାରା ଓ ବାଣପୁରର ମା ଭଗବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

CM Naveen

ଭୁବନେଶ୍ୱର: ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୁଷୁଣ୍ଡପୁରର ମା ଉଗ୍ରତାରା ଓ ବାଣପୁରର ମା ଭଗବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୫-ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ପୁର୍ତ୍ତ ବିଭାଗର ପର୍ଯ୍ୟଟନ ସ୍ଥଳ ଓ ଐତିହ କିର୍ତ୍ତିରାଜିର ସମ୍ୱନିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି । ଓଡିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ପୁରୀ ଜିଲ୍ଲାର କାକଟପୁରରେ ବିରାଜିତ ମା ମଙ୍ଗଳା ଲକ୍ଷ ଲକ୍ଷ ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା ମାଙ୍ଗଳାଙ୍କ ପୀଠର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି । ନବକଳେବର ସମୟରେ ଦଇତାପତି ସେବକମାନେ ମାଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି । ଚୈତ୍ର ମାସରେ ଝାମୁ ଯାତ୍ରା ମାଙ୍କ ପ୍ରସିଦ୍ଧ ପର୍ବ । 5T ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନରେ ମନ୍ଦିରରେ ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ ।

ଏହା ସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ କିଓସ୍କ, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ । ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ୱ ରାସ୍ତାରେ ଐତିହ ଦ୍ୱାର ନିର୍ମାଣ କରାଯିବ । ଯାତ୍ରୀମାନଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଙ୍ଗ ସ୍ଥଳର ମଧ୍ୟ ବିକାଶ କରାଯିବ । ଓଡିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହାକୁ ସଂପୂର୍ଣ୍ଣ କରିବ ।

ଖୋର୍ଦ୍ଦା ଜିଲ୍ଲା ବାଣପୁରର ମା ଭବବତୀଙ୍କ ପୀଠକୁ ପ୍ରତିଦିନ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ ଓ ପୂଜା ପାଇଁ ଆସିଥାନ୍ତି । ମାଙ୍କ ପୀଠରେ ଦଶହରା ପର୍ବ ବିପୁଳ ଉତ୍ସାହ ମଧ୍ୟରେ ପାଳନ କରାଯାଇଥାଏ । ନବମ ଶତାବ୍ଦୀରେ ନିର୍ମିତ ମାଙ୍କ ମନ୍ଦିର ର ବିକାଶ ପାଇଁ 5T ଉପକ୍ରମରେ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି । ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିର ର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଫୋକସ ରଖାଯାଇଛି । ଏହା ସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦ୍ଦେଶାଳୟ ତତ୍ତ୍ୱାବଧାନରେ ଓଡିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରିବ ।

ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୁଷୁଣ୍ଡପୁରର ମା ଉଗ୍ରତାରାଙ୍କ ପୀଠ । ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ମା ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ୱାସର କେନ୍ଦ୍ର ହୋଇ ରହି ଆସିଛି । ଏହି ପୀଠର ବିକାଶ ପାଇଁ ପ୍ରସ୍ତୁତ ଯୋଜନାରେ ମନ୍ଦିରର ବିକାଶ ସହ ଆରାଇଭାଲ୍ ପ୍ଲାଜା, ଯାତ୍ରୀଙ୍କ ସୁବିଧା, ପାର୍କିଂ ଲ୍ୟାଣ୍ଡସ୍କେପିଂ, ପିକନିକ୍ ସ୍ପଟ, ଯାତ୍ରା ପଡ଼ିଆ ସହିତ ପୋଖରୀର ମଧ୍ୟ ପୁନରୁଦ୍ଧାର କରାଯିବ । ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ଵାରା ୧୮ ମାସ ମଧ୍ୟରେ କାମ ଶେଷ କରାଯିବ ।

ଏହି ୩ ଗୋଟି ପୀଠର ବିକାଶ ଯୋଜନାକୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତ ମାନଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭି.କେ. ପାଣ୍ଡିଆନ ବିଭିନ୍ନ ସମୟରେ ଏହି ପୀଠ ମାନଙ୍କୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ ଓ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭି.ଭି. ଯାଦବ ଉପସ୍ଥାପନା ରଖିଥିଲେ । ତିନି ପୀଠର ସେବାୟତମାନେ ସଂପୃକ୍ତ ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନଫରେନ୍ଲିଂ ଜରିଆରେ ବୈଠକରେ ଯୋଗ ଦେଇଥିଲେ । ସେବାୟତମାନେ ସେମାନଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+