ସ୍ଵାଧୀନତା ଦିବସରେ ମହିଳା ସୁରକ୍ଷା ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ
ସ୍ଵାଧୀନତା ଦିବସରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ସଶକ୍ତ କରିବାକୁ ହେଲେ ସେମାନଙ୍କ ସୁରକ୍ଷା ଜରୁରୀ। ମହିଳା ସୁରକ୍ଷା ପାଇଁ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି। ମହିଳାଙ୍କ ବିରୋଧରେ ହିଂସା କରୁଥିବା ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ। ସେ ଯେତେ ଶକ୍ତିଶାଳୀ ହେଳେ ମଧ୍ୟ ଦଣ୍ଡ ପାଇବେ। ସେମାନଙ୍କ ସ୍ଥାନ ଜେଲରେ, ସମାଜରେ ନୁହେଁ। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ କ୍ଷମତା ଦିଆଯାଇଛି। ମହିଳାଙ୍କ ସୁରକ୍ଷାରେ ଅବହେଳା କଲେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ।

ମୁଖ୍ୟମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ କହିଥିଲେ ଯେ ଏହା ମୋଟାମୋଟି ଭାବେ ନିୟନ୍ତ୍ରଣାଧୀନ ରହିଛି। ଏହାକୁ ଆହୁରି ପ୍ରଭାବୀ କରିବାକୁ ହେବ। ଅପରାଧ ବୃଦ୍ଧିର ବଡ଼ କାରଣ ହେଉଛି ନିଶା କାରବାର। ନିଶା ମାଫିଆମାନଙ୍କୁ ଦମନ ପାଇଁ ନିର୍ଦେଶ ଦିଆଯାଇଛି। ଗାଁଠାରୁ ରାଜଧାନୀ ଯାଏ ଗୁଣ୍ଡାରାଜକୁ ଦମନ କରାଯିବ। ସେମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଖୁବଶୀଘ୍ର ଦଣ୍ଡବିଧାନ କରାଯିବ।
ସେହିପରି ସଂଘଠିତ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଆଇନ ଆଣିବାକୁ ସରକାର ପଛାଇବେ ନାହିଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଦାଦାବଟି, ଚାନ୍ଦା ଆଦାୟକୁ ସଂଘଠିତ ଅପରାଧରେ ବିଚାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।
ଓଡ଼ିଶା ହେବ ଫାର୍ମା ହବ୍। ରାଜ୍ୟରେ ପ୍ରତିଷ୍ଠା ହେବ ବିଭିନ୍ନ ଔଷଧ କମ୍ପାନୀ। ଏଥିପାଇଁ ଏକ ଫାର୍ମା କନକ୍ଲେଭ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ଏଥିରେ ଦେଶ ବିଦେଶର ପ୍ରମୁଖ ଔଷଧ କମ୍ପାନୀ ସାମିଲ ହେବେ। ସେମାନେ ନିଜ ନିଜର ପ୍ରତିଷ୍ଠାନ ନିର୍ମାଣ କରିବାକୁ ଆଗ୍ରହ ଦେଖାଇବେ। ଯାହାଫଳରେ ଅଢ଼େଇ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସଳ ପାଳନ ଅବସରରେ ସୂଚନା ଦେଇଛନ୍ତି।












Click it and Unblock the Notifications