ମୟୂରଭଞ୍ଜକୁ ୪୨୦ କୋଟି ତାଙ୍କର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶୋଇବାସୀଙ୍କୁ ଦେଲେ ୪୨୦.୧୩ କୋଟିର ପ୍ରକଳ୍ପ ଭେଟି । ସୋମବାର ରାଇରଙ୍ଗପୁର ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପରେ ମଙ୍ଗଳବାର ଦ୍ବିତୀୟ ଦିନରେ ବିଶୋଇ ବ୍ଲକ୍ରେ କରିଛନ୍ତି ସ୍ଵତନ୍ତ୍ର ସାଧାରଣ ସଭା ।
ବିଶୋଇ ତଥା ରାଇରଙ୍ଗପୁର ସବ୍ ଡିଭିଜନ୍କୁ ୪୨୦.୧୩ କୋଟି ଟଙ୍କାର ୧୮୫ଟି ବିଭିନ୍ନ ଜନକଲ୍ୟାଣ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ପାନୀୟ ଜଳ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା ଓ ଆଦିବାସୀ ଉନ୍ନୟନ ବିଭାଗର ୩୨୮ କୋଟି ଟଙ୍କାର ୧୩୩ ପ୍ରକଳ୍ପର ଉଦଘାଟନ ହେବା ସହିତ ୯୧ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ । ଆଗକୁ ଶିକ୍ଷା, ଜଳସେଚନ, ଗମନାଗମନ, କୃଷି, ଜଳଶକ୍ତି ଇତ୍ୟାଦି ବିଭାଗର ଅନେକ ପ୍ରକଳ୍ପ ମୟୂରଭଞ୍ଜକୁ ଦିଆଯିବ ।
ଡବଲ ଇଞ୍ଜିନ ସରକାର ମୟୂରଭଞ୍ଜକୁ ସ୍ଵତନ୍ତ୍ର ସ୍ଥାନରେ ରଖିଥିବାରୁ ଏପର୍ଯ୍ୟନ୍ତ ମୟୂରଭଞ୍ଜକୁ ମୁଖ୍ୟମନ୍ତ୍ରୀଙ୍କ ୪ର୍ଥ ଥର ଗସ୍ତ ମଧ୍ୟରେ ମୋଟ୍ ୧୬୩୩ କୋଟି ଟଙ୍କାର ଅନୁଦାନ ଦିଆସରିଲାଣି । ଯାହା ଓଡ଼ିଶାର କୌଣସି ଜିଲ୍ଲା ଅପେକ୍ଷା ବହୁତ ଅଧିକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୟୂରଭଞ୍ଜ ସହିତ ନିଜ ସମ୍ପର୍କର ନିବିଡତା କଥା କହିଛନ୍ତି । ନିଜ ଶ୍ଵଶୁର ଘର ବିଶୋଇ ବ୍ଲକରେ ଥିବାରୁ ସବୁବେଳେ ଏହି ବ୍ଲକ୍ ମୋତେ ନିଜର ନିଜର ଲାଗେ । କାରଣ ଛୋଟବେଳୁ ଏହି ଅଞ୍ଚଳକୁ ମୁଁ ଅନେକ ଥର ଯିବା ଆସିବା କରିସାରିଛି । ଏହା ମୋର ୨ୟ ଘର ଭଳି ମୁଁ ଭାବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ଖୁବ୍ ଶୀଘ୍ର ଘୋଷଣା ହୋଇ ସାରିଥିବା ୪ ରେଳ ଯୋଗାଯୋଗ ଓ ଘାଟି ରାସ୍ତା ସମ୍ପ୍ରସାରଣ ପ୍ରକଳ୍ପ ଆପଣ ମାନଙ୍କୁ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୟୂରଭଞ୍ଜର ମହାନତାକୁ ଦର୍ଶାଇବାକୁ ଯାଇ ମୟୂରଭଞ୍ଜର ଗର୍ବ କହିଲେ ଛଉ ନୃତ୍ୟ, ଶିମିଳିପାଳ ମନେପଡେ । ମୟୂରଭଞ୍ଜର ପ୍ରଶାସନ କହିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମନେପଡେ । ସାହିତ୍ୟ ଓ ସଂସ୍କୃତି କହିଲେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ କଥା ମନେପଡ଼େ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ୨୦୩୬ ମସିହାରେ ଓଡ଼ିଶାର ଜନ୍ମ ଶତାବ୍ଦୀ ଅବସରରେ ରାଜ୍ୟକୁ ସମୃଦ୍ଧ ଓଡ଼ିଶା ଭାବରେ ପରିବର୍ତ୍ତନ କରିବା ଲାଗି ୩୬ ଗୋଟି ଯୁଗାନ୍ତକାରୀ ଯୋଜନାର ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ମୋହନ ଚରଣ ମାଝୀ । ଯାହା "୩୬ ଲାଗି ୨୬" ଭାବରେ ପରିଚିତ ।

ନିଜର ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟର ଅଭିଭାଷଣରେ ଡବଲ ଇଞ୍ଜିନ ସରକାରର ବିଭିନ୍ନ ଯୋଜନା ସମ୍ପର୍କରେ ସବିଶେଷ ତଥ୍ୟ ଜଣସାଧାରଣଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଶେଷରେ ଆଜିର ଆୟୋଜିତ ସଭସ୍ଥଳୀ ବିଶୋଇର ଧରଣୀଧର ପଡିଆକୁ ଔପଚାରିକ ଭାବରେ ଧରଣୀଧର ଷ୍ଟାଡିୟମ୍ ଭାବରେ ଘୋଷଣା କରିବା ସହିତ ସେଠାରେ ସ୍ଵାଧୀନତା ସଂଗ୍ରାମୀ ଧରଣୀଧର ନାୟକଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ହେବାର ଘୋଷଣା କରିଛନ୍ତି । ଏହା ସହିତ ବିଶୋଇ ବ୍ଲକ୍ରେ ଏକ ଯୁକ୍ତ ଦୁଇ କଲେଜ ସ୍ଥାପନର ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଆଗାମୀ ଦିନରେ ଅନେକ ଶିଳ୍ପ ପ୍ରକଳ୍ପ ସ୍ଥାପନ ହେବ । ଜିଲ୍ଲାରେ ୧୦ ହଜାର କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହେବ। ଏହି ଶିଳ୍ପାୟନ ଜିଲ୍ଲାର ବିକାଶକୁ ଦ୍ୱିଗୁଣିତ କରିବା ସହିତ ଜିଲ୍ଲାବାସୀଙ୍କ ରୋଜଗାର ଓ ନିଯୁକ୍ତି ପାଇଁ ବ୍ୟାପକ ସୁଯୋଗ ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।












Click it and Unblock the Notifications