ପାଣିକୋଇଲି ଗୁଳିକାଣ୍ଡ: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣା । ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆହତ ବ୍ୟକ୍ତି ମାନଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିବେ ସରକାର । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୂଚନାଯୋଗ୍ୟ, ପାଣିକୋଇଲି ବଜାରରେ ଶନିବାର ଅପରାହ୍ଣରେ ଏକ ଛାତିଥରା ଘଟଣା ସମଗ୍ର ଜିଲ୍ଲାକୁ ସ୍ତବ୍ଧ କରିଦେଇଥିଲା। ପାଣିକୋଇଲିରେ ଥିବା ପଣ୍ତା ଅଳଙ୍କାର ଦୋକାନରୁ ଡକାୟତି ଉଦ୍ୟମ ବେଳେ ଗୁଳିକାଣ୍ଡ ଘଟିଥିଲା। ଡକାୟତଙ୍କ ଗୁଳିମାଡ଼ରେ ଦୋକାନର ଜଣେ କର୍ମଚାରୀଙ୍କ ସହିତ ଅନ୍ୟ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା। ମୃତ ଯୁବକଦ୍ବୟ ଯାଜପୁର ସଦର ଥାନା କୁନିଦା ଗ୍ରାମର ସୁନିଲ ରାୟ (୩୬) ଓ ପାଣିକୋଇଲି ଥାନା ସୋତି ଗ୍ରାମର ନୀଳମାଧବ ପଣ୍ଡା (୩୦)। ଅନ୍ୟ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।

ପାଣି କୋଇଲି ଗୁଳିମାଡ଼ ଘଟଣା ନେଇ ପୁଲିସ ତଦନ୍ତ ଜାରି ରଖିଛି। ଅଳଙ୍କାର ସୋ' ରୁମରେ ଲୁଟ୍ ହୋଇଥିବା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏସଟିଏଫ୍ର ତିନି ଜଣିଆ ଟିମ୍।
ଅନ୍ୟପକ୍ଷରେ ଡକାୟତିରେ ସଂଶ୍ଲିଷ୍ଟ ଦୁଇଜଣ ଲୁଟେରାଙ୍କୁ ସ୍ଥାନୀୟ ଲୋକେ କାବୁ କରିବା ସହିତ ନିସ୍ତୁକ ମାଡ଼ ମାରିଥିଲେ। ଗୁଳିକାଣ୍ଡରେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ଗୋଡ଼ାଇ ଧରିଥିବା ଜଣେ ଲୁଟେରାକୁ ଦୋକାନ ଭିତରେ ବନ୍ଦ କରି ରଖିବା ସହ ଛାଡ଼ିନଥିଲେ। ହଜାର ହଜାର ଲୋକ ଏକାଠି ହୋଇ ନାରାବାଜି କରିବାରୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ଖବର ପାଇ ଘଟଣାସ୍ଥଳରେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା, ଯାଜପୁର ଏସ୍ପି ୟଶପ୍ରତାପ ଶ୍ରୀମଲଙ୍କ ସମେତ ପାଣିକୋଇଲି ଥାନା ପୁଲିସ ଓ ୫ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା। ବହୁ ବୁଝାସୁଝା କରିବା ପରେ ସଂପୃକ୍ତ ଲୁଟେରାକୁ ବନ୍ଦ ଘରୁ ପୁଲିସ ଉଦ୍ଧାର କରି ଯାଜପୁର ଡାକ୍ତରଖାନା ନେଇ ଯାଇଥିଲା। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।












Click it and Unblock the Notifications