Get Updates
Get notified of breaking news, exclusive insights, and must-see stories!

‘ଆମ ଓଡ଼ିଶା- ନବୀନ ଓଡ଼ିଶା'ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଗାଁ ଲୋକଙ୍କ ମଧ୍ୟରେ ବଢିବ ଆତ୍ମବିଶ୍ଵାସ...

ଭୁବନେଶ୍ବର: ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା 'ଆମ ଓଡିଶା ନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ଅଷ୍ଟମ ଦିନରେ ଗଞ୍ଜାମ ଓ ସୁବର୍ଣ୍ଣପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା ।

ଏଥିପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୨୫୧.୫୦ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା - ଭଞ୍ଜନଗର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ସୁରଡା, ସାନଖେମୁଣ୍ଡି, ଗୋପାଳପୁର, ଆସ୍କା, ଚିକିଟି, ହିଞ୍ଜିଳିକାଟୁ, ପୋଲସରା ଓ କବିସୂର୍ଯ୍ୟନଗର । ଏହିସବୁ ନିର୍ବାଚନମଣ୍ଡଳୀର ୨୨ଟି ବ୍ଲକ୍‌‌ର ୫୦୩ଟି ଗ୍ରାମ ପଞ୍ଚାୟତରେ ୫୭୦୬ଟି ପ୍ରକଳ୍ପ ହେବ। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀ ପାଇଁ ୫୪.୫୦କୋଟି ଟଙ୍କା ମଂଜୁର ହୋଇଛି। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା - ସୁବର୍ଣ୍ଣପୁର ଓ ବୀରମହାରାଜପୁର। ଏଥିରେ ୬ଟି ବ୍ଲକ୍‌ର ୧୦୯ଟି ଗ୍ରାମପଞ୍ଚାୟତରେ ୧୪୧୯ଟି ପ୍ରକଳ୍ପ କରାଯିବ।

ଆଜିର କାର୍ଯ୍ୟକ୍ରମ ପାଇଁ ଗଞ୍ଜାମ ଜିଲ୍ଲାର ୧୨ଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। କେବଳ ଗଞ୍ଜାମ ଜିଲ୍ଲାରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ। 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡିଶାର ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି ।

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ। ବିକାଶର ଏହି ନୂଆ ଚେହେରା ଗାଁ ଲୋକଙ୍କ ମଧ୍ୟରେ ଗଭୀର ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି ସେ କହିଥିଲେ। ସେ ପୁଣି କହିଲେ ଯେ ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା'ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା । ନବୀନ ଓଡିଶାର ପରିଚୟ ନେଇ ରାଜ୍ୟର ପ୍ରତି ଗାଁ ବିକାଶର ମାର୍ଗରେ ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା'ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ। ସେ କହିଥିଲେ ଯେ ଗଞ୍ଜାମ ଜିଲ୍ଲା ଦେଶର ସମସ୍ତ ଜିଲ୍ଲାମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ଜିଲ୍ଲା ଭାବରେ ଭାରତ ସରକାରଙ୍କଠାରୁ ପୁରସ୍କାର ପାଇଛି। ସେହିପରି ହିଞ୍ଜିଳି ବ୍ଲକ ମଧ୍ୟ ଦେଶର ସମସ୍ତ ବ୍ଲକମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏକ ନମ୍ବର ବ୍ଲକ ଭାବରେ ଭାରତ ସରକାରଙ୍କଠାରୁ ପୁରସ୍କାର ପାଇଛି। ଏଥିପାଇଁ ସେ ଗଞ୍ଜାମବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଗଞ୍ଜାମ ସାରା ଭାରତବର୍ଷକୁ ବିକାଶର ରାସ୍ତାରେ ପ୍ରେରିତ କରିଛି ବୋଲି ସେ କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ଜରିଆରେ ସବୁ ଗାଁରେ ରୂପାନ୍ତର ଆଣିବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ। ଆମର ରୂପାନ୍ତର ଅନ୍ୟ ରାଜ୍ୟ ପାଇଁ ଆଦର୍ଶ ହେବ ବୋଲି ସେ କହିଥିଲେ। ଗାଁ ଗାଁରେ ସବୁ କାମକୁ ଆମେ ଠିକ୍‌ ସମୟରେ ସ୍ବଚ୍ଛତାର ସହ କରି ରୂପାନ୍ତର ଆଣିବା ବୋଲି ସେ କହିଥିଲେ । ଗ୍ରାମାଞ୍ଚଳର ନୂଆ ରୂପ ଓଡିଶା ରୂପାନ୍ତରର ହେବ ପ୍ରକୃତ ଚିତ୍ର ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ। ସେ କହିଥିଲେ ଯେ ଓଡିଶାରେ ଏବେ ରୂପାନ୍ତରର ଯୁଗ ଚାଲିଛି। ବିକାଶକୁ ଏବେ ଦେଖି ହେଉଛି, ଅନୁଭବ ମଧ୍ୟ କରି ହେଉଛି।

ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଜଗନ୍ନାଥ ମନ୍ଦିର, ମା' ବ୍ୟାଘ୍ରଦେବୀ ମନ୍ଦିର ଓ ଗୋଚ୍ଛାବାଡୀ ଜଗନ୍ନାଥପ୍ରସାଦଠାରେ ଥିବା ଧବଳେଶ୍ୱର ମନ୍ଦିର। ଏହା ସହିତ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଡିଗ୍ରୀ ଓ ଜୁନିଅର କଲେଜ ଏବଂ ସାବିତ୍ରୀ ମହିଳା ଡିଗ୍ରୀ ଓ ଜୁନିଅର କଲେଜ ମଧ୍ୟ ସାମିଲ। ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା' ରାମଚଣ୍ଡୀ ମନ୍ଦିର, ସୁନ୍ଦେରଶ୍ୱର ମନ୍ଦିର ଓ ବଟେଶ୍ୱର ମହାଦେବ ମନ୍ଦିର। ଏହା ସହିତ ୨ଟି ଡିଗ୍ରୀ ଓ ଜୁନିଅର କଲେଜ ମଧ୍ୟ ସାମିଲ। ଖଲିକୋଟ ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ନାରାୟଣୀ ମନ୍ଦିର ଓ ତୁମ୍ବେଶ୍ୱର ମନ୍ଦିର। ଏହା ସହିତ କେଶପୁର ଡିଗ୍ରୀ ଓ ଜୁନିଅର କଲେଜ, ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ଡିଗ୍ରୀ ଓ ଜୁନିଅର କଲେଜ ସାମିଲ।

ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୬୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା' ନିଜବାଙ୍କେଶ୍ୱରୀ ମନ୍ଦିର, ମହୁରୀକାଲିଆ ମନ୍ଦିର। ଏହା ସହିତ ୨ଟି କଲେଜ ସାମିଲ। ସୁରଡା ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ୨ଟି ମନ୍ଦିର ଓ ୨ଟି କଲେଜ। ଏହା ସହିତ ସୁରଡାର ଜଳଭଣ୍ଡାର ବିସ୍ଥାପିତ ଲୋକଙ୍କ ଦୀର୍ଘ ଦିନର ଜମି ସମସ୍ୟା ସମ୍ପର୍କରେ ଆଲୋକପାତ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ଏହି ସବୁ ସମସ୍ୟାର ସମାଧାନ ପାଇଁ ନିଷ୍ପତ୍ତି କରାଯାଇଛି। ବିସ୍ଥାପିତଙ୍କୁ ଚାଷଜମି ଘରଡିହ ଯୋଗାଇ ଦିଆଯିବ। ୯୬୧ ଘରଡିହ ଜମି ସମସ୍ୟାର ସମାଧାନ କରାଯାଇଛି ଏବଂ ୧୭ ଏକର ୬୨୮ ଡେସିମିଲ ଜମି ଘରଡିହ ଆକାରରେ ଖୁବ ଶିଘ୍ର ଦିଆ ଯିବ।

ଏହା ସହିତ ଚାଷଜମି ପାଇଁ ୩୦୦ ଆବେଦନର ସମାଧାନ ହୋଇସାରିଛି, ବାକି ଖୁବ ଶିଘ୍ର ସମାଧାନ ହେବ। ସେହିପରି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୩୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା' ରତନେଇ ମନ୍ଦିର, ଧରାକୋଟ ଜଗନ୍ନାଥ ମନ୍ଦିର ଏବଂ ୨ଟି କଲେଜ । ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୫୬ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହା ମଧ୍ୟରେ ରହିଛି ନୂଆଗଡ ଧବଳେଶ୍ୱର ମନ୍ଦିର, ରଙ୍ଗେଇଲୁଣ୍ଡା ପଞ୍ଚମା ଗଣେଶ ମନ୍ଦିର, ରଙ୍ଗେଇଲୁଣ୍ଡା ସିଦ୍ଧଭୌରବୀ ମନ୍ଦିର ଏବଂ ଗୋପାଳପୁର କଲେଜ ଓ ରାମନାରାୟଣ କଲେଜ। ଆସ୍କା ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭.୭୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା ଖମ୍ବେଶ୍ୱରୀ ମନ୍ଦିର ଓ ଶାଳବଣ ସିଦ୍ଧେଶ୍ୱର ମନ୍ଦିର ଏବଂ ଆସ୍କା ବିଜ୍ଞାନ କଲେଜ ଓ ନିରଞ୍ଜନ ସରକାରୀ ମହିଳା କଲେଜ। ଚିକିଟି ନିର୍ବାଚନ ମଣ୍ଡଳୀରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୮୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଭୌରବୀ ଚଞ୍ଚଡ ମନ୍ଦିର ଓ ବାଳକୁମାରୀ ମନ୍ଦିର ଏବଂ ୨ଟି କଲେଜ। ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୩୮.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହା ମଧ୍ୟରେ ରହିଛି ବୁରୁପଦା ମା' ଶ୍ୟାମଳାଇ ମନ୍ଦିର ଓ ଖରିଡା ମା' କୋରେଇଶୁଣି ମନ୍ଦିର। ଏହା ସହିତ ସମରଝୋଳା ପୁଷ୍କରିଣୀର ସୌନ୍ଦର୍ଯ୍ୟକରଣ ସହିତ ବୋଟିଂ ସୁବିଧା, ହିଞ୍ଜିଳିକାଟୁ ସ୍ୱୟଂଚାଳିତ ବିଜ୍ଞାନ ଡିଗ୍ରୀ କଲେଜ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହିଞ୍ଜିଳିକାଟୁ ବିଜ୍ଞାନ କଲେଜର ନୂଆ ଏକାଡେମିକ୍ ବ୍ଲକ ନିର୍ମାଣ, ଉଦୟପ୍ରତାପ ବିଜ୍ଞାନ କଲେଜର ଉନ୍ନତୀକରଣ ଓ ନୂଆ ଏକାଡେମିକ୍ ବ୍ଲକ ଏବଂ ସରକାରୀ ଆଇ.ଟି.ଆଇ। ସେହିପରି ପୋଲସରା ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପୋଲସରା ମର୍ଦ୍ଦ ଜଗନ୍ନାଥ ମନ୍ଦିର, ବୁଗୁଡା ବୁଦ୍ଧଖୋଲ ମନ୍ଦିର, ବୁଗୁଡା ସାଙ୍କୁଲେଇ ମନ୍ଦିର ଏବଂ ବୁଗୁଡା ଓ ପୋଲସରାର ୨ଟି କଲେଜ।

କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୧୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି କବିସୂର୍ଯ୍ୟନଗର ଆଠଗଡ ଜଗନ୍ନାଥ ମନ୍ଦିର, ପୁରୁଷୋତ୍ତମପୁର ଗୁପ୍ତେଶ୍ୱର ମନ୍ଦିର, ବେଗୁନିଆପଦା ସଦ୍ଧେଶ୍ୱର ମନ୍ଦିର ଏବଂ କବିସୂର୍ଯ୍ୟ ବଳଦେବ ବିଜ୍ଞାନ କଲେଜ। ଏହି ପରି ଗଞ୍ଜାମ ଜିଲ୍ଲାର ୧୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୫୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୨୨.୧୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଗୋଧନେଶ୍ୱର ଓ ଖଇରମାଲଠାରେ ୨ଟି Instream Storage Structure ।

ଗୋଧନେଶ୍ୱର I.S.S. ପାଇଁ ୧୦୨୪ କୋଟି ଟଙ୍କା ମଞ୍ଜୁର ହୋଇଥିବେ ବେଳେ, ଏଥିରେ ୧.୮୦ ଲକ୍ଷ ଲୋକ ଉପକୃତ ହେବେ। ସେହିପରି ଖଇରମାଲ I.S.S. ପାଇଁ ୯୨୫.୫୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ୧.୭୦ ଲକ୍ଷ ଲୋକ ଉପକୃତ ହେବେ। ଏହି ସହିତ ଗୁରୁତ୍ୱପୂର୍ଣ୍ଣ ପାତାଳି ଶ୍ରୀକ୍ଷେତ୍ରର ଉନ୍ନତୀକରଣ ପାଇଁ ୨୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ଦ୍ୱାର ବର୍ଷକୁ ୧ ଲକ୍ଷ ୩୦ ହଜାର ଲୋକ ଆସିବାର ସମ୍ଭାବନା ସୃଷ୍ଟି ହେବ।

ଏହ ସହିତ ପାପକ୍ଷୟ ଘାଟ, ମା' ମେଟାକାଣୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ବୀରମହାରାଜପୁର ଡିଗ୍ରୀ କଲେଜ, ହାଅର ସେକେଣ୍ଡାରୀ କଲେଜ, ଉଲୁଣ୍ଡାରୁ କୋଟସମଲାଇ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସାନ ସାମୁରାରୁ ଭୀମଟିକରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ରହିଛି। ଏହି ୨ଟି ସଡକ ଯୋଗୁ ୮୦ ହଜାର ଲୋକ ଉପକୃତ ହେବେ। ସୁବର୍ଣ୍ଣପୁର ନିର୍ବାଚନ ମଣ୍ଡଳୀରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୭.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସୁବର୍ଣ୍ଣମେରୁ ମନ୍ଦିର, ସୁରେଶ୍ୱରୀ ମନ୍ଦିର ।

ଏହି ୨ଟି ମନ୍ଦିରକୁ ବର୍ଷକୁ ୧ ଲକ୍ଷ ଲୋକ ଆସିବେ। ସେହିପରି ଭୀମଭୋଇ ସମାଧୀ ପୀଠର ଉନ୍ନତିକରଣ ପରେ ବର୍ଷକୁ ୩୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି । ଏହା ସହିତ ସୁବର୍ଣ୍ଣମେରୁ- ରାମେଶ୍ୱର- ସୁରେଶ୍ୱରୀ Temple Circuitର ମଧ୍ୟ ବିକାଶ କରାଯିବ। ଏଥି ପାଇଁ ୫.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଉନ୍ନତିକରଣ ପରେ ବର୍ଷକୁ ୧ .୨୦ ଲକ୍ଷ ଲୋକ ପରିଦର୍ଶନ କରିବାର ସମ୍ଭାବନା ରହିଛି। ଡୁଙ୍ଗୁରିପାଲ୍ଲିର ପୂଜାଡୁଙ୍ଗୁରି, ତରଭାର ବରପାହାଡ ପୀଠ ଆଦି ସ୍ଥାନର ଉନ୍ନତିକରଣ ରହିଛି। ଏହି ପରି ସୁବର୍ଣ୍ଣପୁର ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୧୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦୫୯.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ହସ୍ପିଟାଲ ରାଜ୍ୟର ଏକ ନମ୍ବର ହସ୍ପିଟାଲ ହେବ ବୋଲି ସେ କହିଥିଲେ।

ଭଞ୍ଜନଗରରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ କହିଥିଲେ ସାରା ଭାରତରେ ନୂତନ ଯୋଜନା ଆରମ୍ଭ କରିବାରେ ଇତିହାସ ରଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। କବିସୂର୍ଯ୍ୟନଗର ବେଗୁନିଆ ପଡାରେ ଉପସ୍ଥିତ ବିଧାୟିକା ଲତିକା ପ୍ରଧାନ କହିଲେ ଯେ ଆମର ପ୍ରସ୍ତାବ ସବୁକୁ ୭ ଦିନ ମଧ୍ୟରେ ମଞ୍ଜୁର କରିବା ପାଇଁ 5T ଅଧ୍ୟକ୍ଷ ପ୍ରତିଶୃତି ଦେଇଥିଲେ। କିନ୍ତୁ ମାତ୍ର ୫ ଦିନ ମଧ୍ୟରେ ଆମର ପ୍ରକଳ୍ପ ସବୁ ମଞ୍ଜୁର ହୋଇଥିଲା।

ମୁଖ୍ୟମନ୍ତ୍ରୀଙ୍କ ନବୀନ ଓଡିଶାର ସ୍ୱପ୍ନକୁ କାର୍ଯ୍ୟକାରୀ କରିବାରେ 5T ଅଧ୍ୟକ୍ଷଙ୍କ ଦକ୍ଷତାର ତୁଳନା ନାହିଁ ବୋଲି ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା କହିଥିଲେ। ସୁବର୍ଣ୍ଣପୁରର ଡୁଙ୍ଗୁରିପାଲ୍ଲିରେ ଉପସ୍ଥିତ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଯୋଗୁ ଜଗନ୍ନାଥ ସଂସ୍କୃତି ସହ ଆମ ସ୍ଥାନୀୟ ସଂସ୍କୃତିର ମଧ୍ୟ ବିକାଶ ହେବ। ସବୁ ମନ୍ତ୍ରୀ ଓ ବିଧାୟକ କହିଥିଲେ ଯେ ପ୍ରକଳ୍ପ ମଞ୍ଜୁରି ଓ କାର୍ଯ୍ୟକାରିତାରେ ଏଭଳି କ୍ଷୀପ୍ରଗତି ସେମାନେ କେବେ ଆଗରୁ ଦେଖି ନାହାନ୍ତି।

Ama Odisha-Nabin Odisha

ସେମାନେ କହିଥିଲେ ଯେ ଗତ ୨୩ ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଓଡିଶାରେ ଚାଲିଛି ନିରନ୍ତର ବିକାଶ। ଆଜି ଓଡିଶାରେ ବିକାଶର ମାନଚିତ୍ର ସମ୍ପୂର୍ଣ୍ଣ ରୂପେ ବଦଳି ଯାଇଛି ବୋଲି ସେମାନେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି। ବିକାଶର ଏହି କାର୍ଯ୍ୟକ୍ରମ ଆମ ଗାଁଗୁଡିକୁ ସହର ସହିତ ସମାନ କରିବ ଏବଂ ଆମ ଭଳି ଗ୍ରାମାଞ୍ଚଳ ଲୋକଙ୍କ ଜୀବନ ଧାରାରେ ଆଣିବ ବଡ ପରିବର୍ତ୍ତନ ବୋଲି ସେମାନେ କହିଥିଲେ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+