ଆଜି ଠାରୁ +୨ କଳା ଓ ବାଣିଜ୍ୟ ପରୀକ୍ଷା; ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା
ଆଜି ଠାରୁ +୨ କଳା ଓ ବାଣିଜ୍ୟ ବିଭାଗର ପରୀକ୍ଷା । ଉଭୟ ବିଭାଗର ପ୍ରଥମ ଦିନ ମାତୃଭାଷା ପରୀକ୍ଷା ରହିଛି । କଳା ବିଭାଗରେ ମୋଟ୍ ୨ ଲକ୍ଷ ୩୭ ହଜାର ୭୫୦ଜଣ ଓ ବାଣିଜ୍ୟରେ ୨୬ ହଜାର ୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଛନ୍ତି । ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଉଛନ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲିଠାରୁ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଯାଇଛି ।
ଶୁକ୍ରବାର ପ୍ରଥମ ଦିନରେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀମାନେ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି । ଏହି ବିଷୟରେ କପି କରି ସାରା ରାଜ୍ୟରୁ ସମୁଦାୟ ୧୧ ଜଣ ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି । ସବୁଠି ସୁରୁଖୁରୁରେ ପ୍ରଥମ ଦିନ ପରୀକ୍ଷା ସରିଥିବାବେଳେ କୌଣସି ତ୍ରୁଟି ହୋଇ ନ ଥିବା ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି।
ପରୀକ୍ଷାରେ କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଯାଞ୍ଚ କରିଛନ୍ତି। ଏହାସହ କଣ୍ଟ୍ରୋଲ ରୁମ୍ରୁ ସିସିଟିଭି ଲାଇଭ୍ ଷ୍ଟ୍ରିମିଂ ଦେଖି ପରିଷଦ ପକ୍ଷରୁ ପରୀକ୍ଷା ନିରୀକ୍ଷଣ କରାଯାଇଛି। ପରୀକ୍ଷା ସମୟରେ କୌଣସି ତ୍ରୁଟି ନ ହେବା ପାଇଁ ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ପରୀକ୍ଷା ନିୟନ୍ତ୍ରକ ପ୍ରକାଶ କରିଛନ୍ତି ।

ପରୀକ୍ଷାର୍ଥୀଙ୍କ ପାଇଁ ନିୟମାବଳୀ:
ଛାତ୍ରୀଛାତ୍ର ଅଧଘଣ୍ଟା ପୂର୍ବରୁ କେନ୍ଦ୍ର ନିକଟରେ ପହଞ୍ଚିବେ, ୧୫ ମିନିଟ ପୂର୍ବରୁ ହଲ୍ରେ ପ୍ରବେଶ କରିବେ, ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ, ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ପାଇବେ, ଉତ୍ତରଖାତାର ସିରିୟଲ ନଂ ଏବଂ ପୃଷ୍ଠାସଂଖ୍ୟା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ, ପ୍ରଶ୍ନପତ୍ରରେ ପୃଷ୍ଠାସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ, ଅତିରିକ୍ତ ସିଟ୍ ଦିଆଯିବ ନାହିଁ, ପ୍ରଶ୍ନପତ୍ରରେ ରୋଲ୍ ନଂ ଛଡ଼ା ଦାଗ ବି ଲଗାଇବେ ନାହିଁ, ନଚେତ୍ ଏମ୍ପି ହୋଇଯିବେ, ଉତ୍ତର ଖାତାରେ ନିଜର ରୋଲ ନଂ, ରେଜିଷ୍ଟ୍ରେଶନ ନଂ ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବେ, ପ୍ରଶ୍ନପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବେ, ଉପସ୍ଥାନ ଖାତାରେ ନିଜର ରୋଲ୍ ନଂ ଦେଖି ଉପସ୍ଥାନ ଦେବେ, ପରୀକ୍ଷା ହଲକୁ କଳା ବଲ୍ ପେନ ଏବଂ ଆଡ୍ମିଟ୍ କାର୍ଡ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।












Click it and Unblock the Notifications