ଚିକିଟି ମଦ ମୃତ୍ୟୁ ମାମଲା:ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ହଟିଲେ ଅବକାରୀ ଅଧୀକ୍ଷକ
ଭୁବନେଶ୍ୱର : ଗଞ୍ଜାମ ଜିଲା ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାରେ ବ୍ରହ୍ମପୁରର ଅବକାରୀ ଅଧୀକ୍ଷକଙ୍କୁ କାର୍ଯ୍ୟରୁ ସରକାର ହଟାଇ ଦେଇଛନ୍ତି। ଏନେଇ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ଏଥିସହିତ ମନ୍ତ୍ରୀ କହିଛନ୍ତି, ଏଭଳି ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ।
ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ନେଇ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ରାଜ୍ୟରେ ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ। ତେଣୁ ଏହି ଘଟଣା ନେଇ ରାଜ୍ୟର ସମସ୍ତ ଅଞ୍ଚଳରେ ତୀକ୍ଷିଣ ଦୃଷ୍ଟି ରଖିବା ସହିତ ବେଆଇନ ମଦ ଭାଟି ଓ ବିକ୍ରି ସ୍ଥାନରେ ଚଢ଼ଉ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏଥି ସହିତ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ଚିକିତ୍ସା ସହାୟତା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଚିକିଟି ବେଆଇନ ମଦ କାରବାର ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟପକ୍ଷରେ ଅବକାରୀ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୭,୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଛି।
ସେଥିମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରେ ୩୮୫ ଲିଟର ମଦ ଜବତ ହୋଇଛି। ଆଗାମୀ ଦିନରେ ଏପରି ଚଢ଼ଉକୁ ଜୋରଦାର କରାଯିବା ସହ ବେଆଇନ ମଦ କାରବାରରେ ଲିପ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।












Click it and Unblock the Notifications