କୁସୁମୀ ଜଳସେଚନ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
କୁସୁମୀ ଜଳସେଚନ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନୟାଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତକରି ସେଠାରେ ରୋଗୀମାନଙ୍କ ନିମନ୍ତେ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ପରେ ନିର୍ମାଣାଧିନ କୁସୁମୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଥିଲେ । ପ୍ରାୟ ତିନି ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଜଳସେଚନ ପ୍ରକଳ୍ପ ଦ୍ବାରା ହଜାର ହଜାର ହେକ୍ଟର ଚାଷ ଜମିରେ ଜଳସେଚନ କରାଯାଇପାରିବ । ଏହାର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବା ସହ ଜଳସେଚନ ପାଇଁ ପାଇପ ଲାଇନ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପରେ ମୁଖ୍ୟ ଶାସନ ସଚିବ ଶରଣକୁଳ ଝାଡେଶ୍ବରୀ ଇକୋ ଟୁରିଜିମ ପ୍ରକଳ୍ପ, ରାମସାଗର ପାର୍କ, ନନ୍ଦିଘୋର ସାଗର ପୋଖରୀ ଏବଂ ଓଡଗାଁସ୍ଥିତ ରଘୁନାଥଜୀଉ ମନ୍ଦିର ଗସ୍ତ କରିଥିଲେ । ରଘୁନାଥଜୀଉଙ୍କ ଦର୍ଶନ ପରେ ମନ୍ଦିର ଉନ୍ନତିକରଣ ନିମନ୍ତେ ସେବାୟତ ମାନଙ୍କ ବିଭିନ୍ନ ଦାବି ଉପରେ ସେମାନଙ୍କ ସହ ଆଲୋଚନା କରିଥିଲେ ।
ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ସମୟରେ ବିଧାୟକ ଡଃ ଅରୁଣ କୁମାର ସାହୁ, ଜିଲ୍ଲାପାଳ ଶ୍ରୀ ରବିନ୍ଦ୍ର ନାଥ ସାହୁ, ବିଭାଗୀୟ ଅଧିକାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।












Click it and Unblock the Notifications