ମୁଖ୍ୟ ଶାସନ ସଚିବଙ୍କ କେନ୍ଦୁଝର ଗସ୍ତ, ୨୦୨୩ ମାର୍ଚ୍ଚ ସୁଦ୍ଧା ପ୍ରତି ଘରକୁ ପାଣି ସଂଯୋଗ ପାଇଁ ନିର୍ଦ୍ଦେଶ
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦୁଝର ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି । ପୂର୍ବାହ୍ନରେ ସେ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଆଶିଷ ଠାକ୍ରେ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି କେନ୍ଦୁଝର ଜିଲ୍ଲା ଗସ୍ତକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି । ପୂର୍ବାହ୍ନରେ ସେ ଜିଲ୍ଲା କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଆଶିଷ ଠାକ୍ରେ ଏବଂ ବିଭାଗୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବୃହତ୍ ପ୍ରକଳ୍ପ ଗୁଡ଼ିକର ବର୍ତ୍ତମାନ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ ।

ପାଇପ୍ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ତ୍ୱରାନ୍ୱିତ କରି ୨୦୨୩ ମାର୍ଚ୍ଚ ସୁଦ୍ଧା ପ୍ରତି ଘରକୁ ପାଣି ସଂଯୋଗ ଦେବାପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କାର୍ଯ୍ୟନ୍ୱୟନ ସମୟରେ କ୍ଷେତ୍ରସ୍ତରରେ ଦେଖାଯାଇଥିବା ବିଭିନ୍ନ ସମସ୍ୟାର ଆଶୁ ସମାଧାନ କରାଯାଇଥିଲା । ପ୍ରକଳ୍ପର ବିଭିନ୍ନ ପର୍ଯ୍ୟାୟ କାମ ପାଇଁ ସମୟ ନିର୍ଘଣ୍ଟ ଧାର୍ଯ୍ୟ କରିଥିଲେ ଏବଂ ତଦନୁଯାୟୀ ଦୈନିକ ଓ ସାପ୍ତାହିକ କାର୍ଯ୍ୟ-ସାରଣୀ ପ୍ରସ୍ତୁତ କରିବାକୁ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁରୂପଭାବେ ସହରାଞ୍ଚଳ ପାଇଁ ନିର୍ମାଣାଧିନ ୨୪ ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରି ନିର୍ଦ୍ଧାରିତ ସମୟ ପୂର୍ବରୁ ପୂର୍ଣ୍ଣାଙ୍ଗ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ ।
ସମୀକ୍ଷାରୁ ଜଣାପଡ଼ିଥିଲାଯେ ଇତି ମଧ୍ୟରେ କେନ୍ଦୁଝରଠାରେ ସରକାରୀ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ର ନିର୍ମାଣ କାର୍ଯ୍ୟ ସରିଛି । ସମସ୍ତ ଆନୁସଙ୍ଗିକ କାର୍ଯ୍ୟ ଶେଷକରି ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ତ୍ୱରାନ୍ୱିତ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଗ୍ରାମ ଉନ୍ନୟନ ଓ ପୂର୍ତ୍ତବିଭାଗର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରାଯାଇଥିଲା । ପଡ଼ୋଶୀ ଜିଲ୍ଲା ଏବଂ ରାଜ୍ୟମାନଙ୍କୁ ଗମନାଗମନ ନିମନ୍ତେ ରାସ୍ତା ସଂଯୋଗୀକରଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ୍ରେ କାର୍ଯ୍ୟକାରୀ ହେଉଥିବା ଜିବୀକା ନିର୍ବାହ ପ୍ରକଳ୍ପ ଓ ଦକ୍ଷତା ବିକାଶ ପ୍ରକଳ୍ପ ଆଦିକୁ ସମୀକ୍ଷା କରି ଏଗୁଡ଼ିକୁ ଅଧିକ ଆବଶ୍ୟକତା ଭିତ୍ତିକ ଓ ଲକ୍ଷ୍ୟଭେଦୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କାଞ୍ଜିପାଣିଠାରେ ଇକୋ-ପର୍ଯ୍ୟଟନ କେନ୍ଦ୍ର ବିକଶିତ କରିବା ପାଇଁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।

କାନପୁର ଜଳସେଚନ ପ୍ରକଳ୍ପର ଅଗ୍ରଗତି ବିଷୟ ସମୀକ୍ଷା ବୈଠକରେ ସ୍ଥାନ ପାଇଥିଲା । ଏଥିପାଇଁ ପ୍ରକଳ୍ପ ନିକଟ ଦେଇ ଯାଇଥିବା ଜାତୀୟ ରାଜପଥରେ ଅକ୍ଟୋବର ମାସ ଶେଷ ସୁଦ୍ଧା ପୋଲ ନିର୍ମାଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ଯନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡ୍ୟାମ୍ ସ୍ପିଲ୍-ୱେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲା । କେନାଲ୍ ସଂପ୍ରସାରଣ ନିମନ୍ତେ ଆବଶ୍ୟକ ସ୍ଥଳେ ଜଙ୍ଗଲ ଅନୁମତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ଜଳ ସଂପଦ ଏବଂ ଜଙ୍ଗଲ ବିଭାଗ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ଡି.ଏନ୍ ହାଇସ୍କୁଲ୍ରେ ଆୟୋଜିତ ''ମୋ ସ୍କୁଲ୍'' କାର୍ଯ୍ୟକ୍ରମରେ ଯୋଗଦେଇ ପୁରାତନ ଛାତ୍ରଛାତ୍ରୀ, ବର୍ତ୍ତମାନର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅବିଭାବକମାନଙ୍କ ସହ ସିଧା ସଳଖ ଆଲୋଚନା କରିଥିଲେ । ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା, ଶୈକ୍ଷିକ ପରିବେଶ ଏବଂ ଆଧୂନିକ ଭିତ୍ତିଭୂମି ସୃଷ୍ଟିକରି ଆଗାମୀ ଦିନରେ ଏହି ଅନୁଷ୍ଠାନକୁ ଏକ ଉତ୍କର୍ଷ ଶିକ୍ଷାକେନ୍ଦ ଭାବେ ବିକଶିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ଏଥିପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଦରକାର ବୋଲି କହିଥିଲେ ।












Click it and Unblock the Notifications