Get Updates
Get notified of breaking news, exclusive insights, and must-see stories!

ରାଜ୍ୟରେ କମ ବୃଷ୍ଟିପାତ: ବିକଳ୍ପ ଫସଲ ନିମନ୍ତେ ସମ୍ଭାବ୍ୟ କାର୍ଯ୍ୟ ଯୋଜନା

ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟର କେତେକ ସ୍ଥାନରେ କମ୍ ବୃଷ୍ଟିପାତ ହେତୁ ସୃଷ୍ଟି ହୋଇଥିବା ସ୍ଥିତିର ସମୀକ୍ଷା କରିଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡିଓ କନ୍-ଫେରେସିଂ ମାଧ୍ୟମରେ ଜିଲ୍ଲାମାନଙ୍କୁ ସଂଯୋଜିତ କରି ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କମ୍ ବୃଷ୍ଟିପାତ ଏବଂ ଚାଷ ଉପରେ ଏହାର ପ୍ରଭାବ ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

chief secretary

ବ୍ଲକ୍ ଏବଂ ଜିଲ୍ଲାଓ୍ୱାରୀ ସମୀକ୍ଷାରୁ ଜଣାପଡ଼ିଥିଲା ଯେ ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ କେବଳ ଅଗଷ୍ଟ ମାସରେ ରାଜ୍ୟରେ ୫୦ ଶତକଡ଼ା କମ୍ ବୃଷ୍ଟିପାତ ହୋଇଛି । ଚଳିତ ବର୍ଷା ଋତୁରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୨୮.୮ ପ୍ରତିଶତ କମ ବୃଷ୍ଟିପାତ ହୋଇଛି । ଫଳରେ ୧୫ ଟି ଜିଲ୍ଲାର ପ୍ରାୟ ୩୦ ଟି ବ୍ଲକ୍ରେ ଖରିଫ୍ ଧାନଚାଷ ପାଇଁ ଜମିର ଆର୍ଦ୍ରତା କମିଛି । ମୁଖ୍ୟତଃ ଅନୁଗୁଳ ଜିଲ୍ଲାର ୪ଟି, ବଲାଙ୍ଗିରର ୨ଟି, ଭଦ୍ରଖର ୧ଟି, ବୌଦ୍ଧର ୨ଟି, ଢେଙ୍କାନାଳର ୪ଟି, ଗଞ୍ଜାମ୍ର ୧ଟି, ଗଜପତିର ୧ଟି, ଯାଜପୁରର ୨ଟି, କେନ୍ଦୁଝରର ୩ଟି, ରାୟଗଡ଼ାର ୫ଟି, ସମ୍ବଲପୁରର ୧ଟି ନୟାଗଡର ୧ଟି, ଝାରସୁଗୁଡ଼ାର ୧ଟି, ନବରଙ୍ଗପୁରର ୧ଟି ଏବଂ ସୋନପୁର ଜିଲ୍ଲାର ୧ଟି ବ୍ଲକ୍ରେ ଚାଷ କାର୍ଯ୍ୟ ପାଇଁ ଜମିର ଆର୍ଦ୍ରତା କମିଛି ।

ଶାସନ ସଚିବ ଶ୍ରୀ ବଶିଷ୍ଠ ଜଣାଇଥିଲେ ଯେ ଚଳିତ ଖରିଫ ଋତୁ ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ୫୦ ଲକ୍ଷ ୭୬ ହଜାର ହେକ୍ଟର ଜମିରେ ଧାନ, ବଡ଼ଶସ୍ୟ, ତୈଳବୀଜ, ଡାଲି ଜାତୀୟ ଶସ୍ୟ, ପନି ପରିବା, ମସଲା ଜାତୀୟ ଶସ୍ୟ ଏବଂ ଗୋଖାଦ୍ୟ ଆଦି ବିଭିନ୍ନ ପ୍ରକାର ଚାଷ ହୋଇଛି । ୨୦୧୯ ଖରିଫ୍ ଋତୁରେ ଏହି ସମୟ ସୁଦ୍ଧା ପ୍ରାୟ ୪୬ ଲକ୍ଷ୯୯ ହଜାର ହେକ୍ଟର ଜମିରେ ଏସବୁ ଚାଷ ହୋଇଥିବା ବେଳେ ୨୦୨୦ ମସିହା ଅଗଷ୍ଟ ଶେଷ ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ୫୫ ଲକ୍ଷ ୪୧ ହଜାର ହେକ୍ଟର ଜମିରେ ବିଭିନ୍ନ ପ୍ରକାର ଚାଷ ହୋଇଥିଲା । ବ୍ଲକ୍ୱାରୀ ସ୍ଥିତିର ଅନୁଧ୍ୟାନ କରି ଚାଷ କାର୍ଯ୍ୟ ନିମନ୍ତେ ସମସ୍ତ ଜଳସେଚନ ସ୍ରୋତ ଚାଲୁ ରଖିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ଉଠା ଜଳସେଚନ ପ୍ରକଳ୍ପ, ଗଭୀର ନଳକୂପ(ବୋରଓ୍ୱେଲ୍), ସ୍ୟାଲୋ ଟ୍ୟୁବ୍ଓ୍ୱେଲ୍ ଆଦିକୁ ବିଦ୍ୟୁତ୍ ସଂଯୋଗ ଅବ୍ୟାହତ ରଖିବାକୁ ସମସ୍ତ ବିଦ୍ୟୁତ ବିତରକ କଂପାନୀମାନଙ୍କୁ କୁହାଯାଇଥିଲା । ବିଦ୍ୟୁତ୍ ବିତରକ କଂପାନୀ ଏବଂ ପାଣି ପଂଚାୟତ ମାନଙ୍କରେ ମିଳିତ ବୈଠକ ଡାକି କିସ୍ତିୱାରୀ ବିଦ୍ୟୁତ୍ ଦେୟ ପୈଠ ବାବଦରେ ବୁଝାମଣା କରିବା ନିମନ୍ତେ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ନୂଆ ପ୍ରସ୍ତୁତ ହୋଇଥିବା ସମସ୍ତ ଉଠାଜଳସେଚନ ଏବଂ ବୋରଓ୍ୱେଲ୍ ପଏଣ୍ଟକୁ ତୁରନ୍ତ ବିଦ୍ୟୁତ ସଂଯୋଗ ଦେଇ କାର୍ଯ୍ୟକ୍ଷମ କରାଇବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ବିଦ୍ୟୁତ ବିତରକ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚାଷ ଓ ଚାଷୀଙ୍କ ହିତରେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସଂଯୋଗ ଦେବାପାଇଁ କହିଥିଲେ । ସବୁ କେନାଲ୍ର ଶେଷ ମୁଣ୍ଡ ପର୍ଯ୍ୟନ୍ତ ପାଣି ଯୋଗାଣ ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ଆବଶ୍ୟକୀୟ ସ୍ଥାନରେ ଶାଖା କେନାଲ୍ ଗୁଡ଼ିକର ମରାମତି କରି ଚାଷପାଇଁ ଜଳଯୋଗାଣ ନିଶ୍ଚିତ କରାଇବାକୁ ଜଳସଂପଦ ବିଭାଗ ଯନ୍ତ୍ରୀମାନଙ୍କୁ କୁହାଯାଇଥିଲା ।

ବିଶେଷତଃ କମ୍ ବୃଷ୍ଟିପାତ ହୋଇଥିବା ବ୍ଲକ୍ର କେନାଲ୍ ମାନଙ୍କରେ ଆବର୍ତ୍ତନ(ରୋଟେସନ୍) ଭିତ୍ତିରେ ନିୟମିତ ଜଳ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । କମ୍ ବୃଷ୍ଟିପାତ ଜିଲ୍ଲାମାନଙ୍କରେ ବିକଳ୍ପ ଫସଲ ନିମନ୍ତେ ସମ୍ଭାବ୍ୟ କାର୍ଯ୍ୟ ଯୋଜନା (କଣ୍ଟିଜେନ୍ସି ପ୍ଲାନ୍ ) ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କମ୍ ଜଳ ଓ ଆର୍ଦ୍ରତା ଦରକାର କରୁଥିବା ଶସ୍ୟ ଚାଷ ନିମନ୍ତେ କୃଷକମାନଙ୍କୁ ପରାମର୍ଶ ଓ ଏଥିପାଇଁ ଆବଶ୍ୟକୀୟ ବିହନ ଓ ମଞ୍ଜୀ ଆଦି ଯୋଗାଇବାକୁ ନିର୍ଦ୍ଦେଶ ଦେଇଥିଲେ । ନିଜ ନିଜ ଜିଲ୍ଲାପାଇଁ ଆବଶ୍ୟକୀୟ ପରିମାଣର ବିହନ ଚାହିଦା ରାଜ୍ୟ ବିହନ ନିଗମ (ସିଡ୍ କରପୋରେସନ୍)ଙ୍କୁ ତୁରନ୍ତ ପଠାଇବା ପାଇଁ କୁହା ଯାଇଥିଲା । ଗ୍ରାମାଞ୍ଚଳରେ କର୍ମ ନିୟୋଜନ ବୃଦ୍ଧି ନିମନ୍ତେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅଧିକରୁ ଅଧିକ ପ୍ରକଳ୍ପ ଆରମ୍ଭ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ଜୁଲାଇ ଶେସେୁଦ୍ଧା ପ୍ରାୟ ୧୦ ଲକ୍ଷ୍ୟ କର୍ମ ଦିବସ ସୃଷ୍ଟି କରାଯାଇଛି । ଅଧିକ ୨୦ ଲକ୍ଷ କର୍ମ ଦିବସ ସୃଷ୍ଟି ନିମନ୍ତେ ଏକ ଉଚ୍ଚତର ଲକ୍ଷ ବୈଠକରେ ସ୍ଥିର କରାଯାଇଥିଲା । ଜଳବାୟୁ ପରିବର୍ତ୍ତନ ଦୃଷ୍ଟିରୁ ପ୍ରତ୍ୟେକ ଚାଷ ଜମିର ପ୍ରାୟ ୧୦୦ ମିଟର ମଧ୍ୟରେ ଜଳସ୍ରୋତ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଚାଷକ୍ଷେତ ପୋଖରୀ (ଫାର୍ମ ପଣ୍ଡ୍) ପ୍ରକଳ୍ପ ଆରମ୍ଭ କରିବାକୁ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା ପରାମର୍ଶ ଦେଇଥିଲେ । ଫାର୍ମ ପଣ୍ଡ ନିମନ୍ତେ ପୂର୍ବରୁ ଯୋଗାଇ ଦିଆଯାଇଥିବା ତିନିଟି ନମୁନା (ମଡେଲ୍) ର ବ୍ୟବହାର କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ କୁହାଯାଇଥିଲା ।

କମ୍ ବୃଷ୍ଟିପାତ ଜନିତ ସ୍ଥିତିର ସଠିକ୍ ପରିଚାଳନା ପାଇଁ ସଂଯୋଜିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଜଳସେଚନ, କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ମତ୍ସ୍ୟଚାଷ ଓ ପଶୁସମ୍ପଦ, ବିକାଶ, ବିଦ୍ୟୁତ୍ ବିଭାଗ, କୃଷି ବିକାଶ କେନ୍ଦ୍ର ଏବଂ ଓଡ଼ିଶା କୃଷି ବିଶ୍ୱବିଦ୍ୟଳୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ କୃଷି ଉତ୍ପାଦନ କମିଶନ ଶ୍ରୀ ରାଜ କୁମାର ଶର୍ମା, ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ, ସମବାୟ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମୀନା, କୃଷି ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ, ନିର୍ଦ୍ଦେଶକ ଶ୍ରୀ ଏମ୍. ମୁଥୁକୁମାରଙ୍କ ସମେତ ସଂପୃକ୍ତ ବିଭାଗର ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଏବଂ ଜିଲ୍ଲା କୃଷି ଅଧିକାରୀମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ସଦ୍ୟତନ କ୍ଷେତ୍ରସ୍ତରୀୟ ସ୍ଥିତି ବିଷୟ ଜଣାଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+