ବିଭିନ୍ନ ବିଭାଗର ସଚିବଙ୍କ ସହିତ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକ କରିଛନ୍ତି । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ସମସ୍ତ ସଚିବଙ୍କ ସହଯୋଗ କାମନା କରିଛନ୍ତି । ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା କହିଥିଲେ ଯେ, ଓଡ଼ିଶାରେ ପ୍ରଶାସନିକ ବ୍ୟବସ୍ଥାର ସୁନାମ ରହଛି ।
ନବ ଗଠିତ ସରକାରଙ୍କ ନିର୍ବାଚନ ଇସ୍ତାହାରକୁ ଆଖି ଆଗରେ ରଖି ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟାନ୍ୱୟନ ଉପରେ ସେ ଗୁରତ୍ୱାରୋପ କରିଥିଲେ । ସମସ୍ତ ଯୋଜନାର କାର୍ଯ୍ୟକାରିତା ପାଇଁ ଯେପରି ଫଳପ୍ରଦ ପ୍ରୟାସ ରହିବ, ସେ ସଂପର୍କରେ ସେ ବହୁ ଗଠନମୂଳକ ପରାମର୍ଶ ଦେଇଥିଲେ । ବୈଠକରେ ଆଗାମୀ ବଜେଟ ଉପସ୍ଥାପନ, ପୁରୀ ରଥଯାତ୍ରାର ସୁପରିଚାଳନା, ମାନ୍ୟବର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ଆନୁଷଙ୍ଗିକ ବ୍ୟବସ୍ଥା ସଂପର୍କରେ ଆଲୋଚନା କରାଯାଇଥିଲା ।

ବିଭିନ୍ନ ବିଭାଗର କାର୍ଯ୍ୟରେ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତାରେ ଛୋଟ ଛୋଟ ସମସ୍ୟା ରହୁଥିଲେ କାର୍ଯ୍ୟକୁ ବିଳମ୍ବିତ ନ କରି ଶୀଘ୍ର ଶେଷ କରାଯିବା, କାର୍ଯ୍ୟରେ ସୃଜନଶୀଳତା, ସ୍ୱଚ୍ଛତା ଓ ସୁପ୍ରଶାସନ ଦିଗରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଥିଲେ । ବିଭିନ୍ନ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବା ପାଇଁ ନୂତନ ମୁଖ୍ୟ ଶାସନ ସଚିବ ସମସ୍ତ ସଚିବ ମାନଙ୍କର ସହଯୋଗ କାମନା କରିଛନ୍ତି ।












Click it and Unblock the Notifications