ସାଉଦି ଆରବରେ ଫସିଥିବା ୩୩ ଓଡ଼ିଆ ଶ୍ରମିକଙ୍କ ଉଦ୍ଧାର ପାଇଁ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
ସାଉଦି ଆରବରେ ଫସିରହିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସେମାନଙ୍କୁ ଉଦ୍ଧାର ଓ ଓଡ଼ିଶା ପଠାଇବା ପାଇଁ ସହଯୋଗ କରିବା ନିମନ୍ତେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ସାଉଦିଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।
ଓଡ଼ିଶାରୁ ୩୩ ଜଣ ଶ୍ରମିକଙ୍କୁ ଗୋଟିଏ ଠିକା ସଂସ୍ଥା ଗତବର୍ଷ ସାଉଦି ଆରବ ପଠାଇଥିଲା । ସେମାନଙ୍କୁ ୬ ମାସର ଭିସା ଦେଇ ପଠାଇଥିଲା କମ୍ପାନୀ । ଭିସାର ଅବଧି ସରିଯିବା ପରେ ସମ୍ପୃକ୍ତ କମ୍ପାନୀ ଆଉ ଧରାଛୁଆଁ ଦେଉନି । ଭିସା ନଥିବାରୁ ୩୩ ଶ୍ରମିକ ସାଉଦି ଆରବରେ ଭୋକ ଉପାସରେ । କମ୍ପାନୀ ଶ୍ରମିକଙ୍କ ଦରମା ବି ବକେୟା ରଖିଛି । ଶ୍ରମିକମାନେ ଗୋଟିଏ ଭିଡିଓ ଜାରି କରି ଭାଇରାଲ୍ କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଶ୍ରୀ ଜେନା ଏନେଇ ସାଉଦିଆରବର ରିଆଦରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସୁହେଲ ଏଜାଜ୍ ଖାନଙ୍କୁ ଚିଠି ଲେଖି କହିଛନ୍ତି ଯେ, ସାଉଦିଆରବରେ ନିଜର ନିଯୁକ୍ତିଦାତାଙ୍କ ଦ୍ୱାରା ଠକାମୀର ଶିକାର ହୋଇଥିବା କିଛି ଭାରତୀୟ ନାଗରିକଙ୍କ ଫୋନ୍ କଲ ଓ ସନ୍ଦେଶ ଓଡ଼ିଶା ସରକାରଙ୍କୁ ମିଳିଛି ।
ସେମାନଙ୍କ ମଧ୍ୟରେ ୩୩ଜଣ ଓଡ଼ିଶାର ଥିବାବେଳେ ବାକି ୧୦ଜଣ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ଅଛନ୍ତି। ସେମାନଙ୍କୁ ଉଦ୍ଧାର ଓ ତୁରନ୍ତ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ଗଲଫ ଓଡ଼ିଆ ସୋସାଇଟି ଦ୍ୱାରା ସମ୍ପୃକ୍ତ ଶ୍ରମିକମାନଙ୍କ ସହ ଯୋଗାଯୋଗ କରାଯାଇଥିଲା ଓ ସେମାନଙ୍କର ଭିସା ନବୀକରଣ ଉକ୍ତ କମ୍ପାନୀ ମାଲିକ କରିନଥିବା ଜଣାପଡ଼ିଛି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କୁ ଶ୍ରମିକଙ୍କ
ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକ ଗଲ୍ଫ ର ଓଡ଼ିଆ ସୋସାଇଟି ସହିତ ଯୋଗାଯୋଗ କରି ଶ୍ରମିକମାନଙ୍କ ଟେଲିଫୋନ୍ ନମ୍ବର ସଂଗ୍ରହ କରିଥିଲେ ।












Click it and Unblock the Notifications