ମୁଖ୍ୟ ଶାସନ ସଚିବ ଓ 5T ସଚିବଙ୍କ ସମ୍ବଲପୁର ଗସ୍ତ, ସମଲେଇ ପ୍ରକଳ୍ପର କଲେ ସମୀକ୍ଷା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।
ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଧେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ (5T) ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ସମଲେଇ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଭି.ଭି ଯାଦବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଆର. ଭିନିଲକ୍ରିଷ୍ଣା ମଧ୍ୟ ଏହି ଉଚ୍ଚ ସଚିବ ସ୍ତରୀୟ ଟିମର ସଦସ୍ୟ ଭାବେ ସମ୍ୱଲପୁର ଗସ୍ତରେ ଆସିଥିଲେ ।

ଏହି ଉଚ୍ଚ ସଚିବ ସ୍ତରୀୟ ଟିମ ସମ୍ବଲପୁରରେ ପହଞ୍ଚି ପ୍ରଥମେ ମା ସମଲେଇଙ୍କ ଦର୍ଶନ ସହିତ ମନ୍ଦିର ଚର୍ତୁପାର୍ଶ୍ୱରେ ପ୍ରକଳ୍ପ ସ୍ଥାନ ଅନୁଧ୍ୟାନ କରିଥିଲେ । ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜନବସତି କୁ ଦୁର୍ଗାପାଲି ଠାରେ ନୂତନ କଲୋନୀରେ ଅବସ୍ଥାପିତ କରାଯିବ, ଏବଂ ଏହି ନୂତନ କଲୋନୀରେ ସମସ୍ତ ପ୍ରକାର ଭିତ୍ତିଭୂମି ଓ ମୌଳିକ ସେବା ସୁବିଧାର ବ୍ୟବସ୍ଥା କରାଯିବ ।
ଏହି ପ୍ରକଳ୍ପ ଦ୍ୱାରା ସମ୍ବଲପୁର ଜିଲ୍ଲା ଓଡିଶା ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବା ସହ ପର୍ଯ୍ୟଟନ ଓ ଆର୍ଥିକ କ୍ଷେତ୍ରରେ ସୁଦୃଢ ହେବ । ଉଚ୍ଚସ୍ତରୀୟ ଟିମ୍ ମନ୍ଦିର ପରିପାର୍ଶ ରେ ପ୍ରକଳ୍ପ ସ୍ଥାନ ଦେଖିବା ପରେ ଦୁର୍ଗାପାଲି ଗସ୍ତ କରି ପ୍ରକଳ୍ପ ପ୍ରଭାବିତ ହେଉଥିବା ବାସିନ୍ଦାଙ୍କ ପାଇଁ ନିର୍ମାଣାଧିନ କଲୋନୀର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା କରିଥିଲେ । ନିର୍ମାଣ ଓ ଆନୁସଂଙ୍ଗିକ ଭିତ୍ତିଭୂମୀ କାର୍ଯ୍ୟର ବିଭିନ୍ନ ପର୍ଯ୍ୟାୟ ପାଇଁ ମୁଖ୍ୟ ଶାସନ ସଚିବ ସମୟ ନିର୍ଘଣ୍ଟ ନିର୍ଦ୍ଧାରଣ କରିଥିଲେ । ପ୍ରାପ୍ତ ସୂଚନାରୁ ଜଣାପଡିଛି, ସମଲେଇ ପ୍ରକଳ୍ପର କ୍ଷେତ୍ରସ୍ତରୀୟ ନିର୍ମାଣ କାର୍ଯ୍ୟ ଆସନ୍ତା ବର୍ଷ ମଧ୍ୟଭାଗ ସୁଦ୍ଧା ଶେଷ କରିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।
ଏହି ପରିଦର୍ଶନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ. ସୁରେଶ ଚନ୍ଦ୍ର ଦଳେଇ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶଙ୍କସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସମୀକ୍ଷା ନିମନ୍ତେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।












Click it and Unblock the Notifications