ଆଜି ମୁଖ୍ୟମନ୍ତ୍ରୀଙ୍କର ମାରାଥନ ପ୍ରଚାର; ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ କରିବେ ସମ୍ବୋଧନ
ଆଜି ମୁଖ୍ୟମନ୍ତ୍ରୀଙ୍କର ମାରାଥନ ପ୍ରଚାର । ଖୋର୍ଦ୍ଧା, ନୟାଗଡ଼ ଓ ପୁରୀରେ ଜନସଭାକୁ ସମ୍ବୋଧନ କରିବେ ନବୀନ । ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ଶେଷ ହୋଇଛି ନିର୍ବାଚନ । ବାକି ଥିବା ଦୁଇଟି ପର୍ଯ୍ୟାୟରେ ନିଜ ଦଳର ପ୍ରାର୍ଥୀଙ୍କୁ ବଳ ଦେବାକୁ ପ୍ରଚାରକୁ ଜୋରଦାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆଜି ମୁଖ୍ୟମନ୍ତ୍ରୀଙ୍କର ମାରାଥନ ପ୍ରଚାର କାର୍ଯ୍ୟକ୍ରମ ରହିଛି ।
ପ୍ରଥମେ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ହାବେଳି ପଡ଼ିଆରେ ଅସ୍ଥାୟୀ ହେଲିପ୍ୟାଡର ବ୍ୟବସ୍ଥା ମଧ୍ୟ ହୋଇଛି ।
ଏଠାରେ ନିର୍ବାଚନୀ ସଭାକୁ ସମ୍ବୋଧନ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିବେ ନବୀନ । ଏହାପରେ ପୁଣି ହେଲିକପ୍ଟର ଯୋଗେ ନୟାଗଡ଼ ଷ୍ଟାଡିଅମରେ ପହଞ୍ଚି ସେଠାରେ ମଧ୍ୟ ପ୍ରଚାର କରିବେ । ଶେଷରେ ପୁରୀ ତାଳବଣିଆରେ ନିର୍ବାଚନୀ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜଧାନୀରେ ଏକ ରୋଡ ଶୋ' କରିବେ। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ କଟକଣା ଜାରିକରିଛି କମିସନରେଟ୍ ପୁଲିସ। ମଧ୍ୟ ଓ ଏକାମ୍ର ପରେ ଉତ୍ତର ଭୁବନେଶ୍ୱରସ୍ଥିତ ରେଣ୍ଟାଲ୍ ଓମ୍ଫେଡ ଛକ, ପେଟ୍ରୋଲ ପମ୍ପ ଛକ, ସାଲିଆସାହି, ମେ'ଫେୟାର, ବିଜୁ ପଟ୍ଟନାୟକ ଷ୍ଟାଚ୍ୟୁ, ଜାଭିୟର ଛକ, ବିଡିଏ ସାଇ ମନ୍ଦିର, ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ, ଡମଣା ମ୍ୟାକ୍ସ ଶୋ'ରୁମ ହୋଇ ପଟିଆ ଛକ ପର୍ଯ୍ୟନ୍ତ ଏହି ରୋଡ ଶୋ' ହେବ।
ଏହି ରାସ୍ତା ଦେଇ କୌଣସି ଯାନବାହନ ଯିବା ଆସିବା କରିପାରିବେ ନାହିଁ। ସେହିପରି ସିଆର୍ପି ଛକ ଠାରୁ ରେଣ୍ଟାଲ ଓମଫେଡ ଛକ ପର୍ଯ୍ୟନ୍ତ ସାଢ଼େ ୫ଟାରୁ ରୋଡ ଶୋ ସରିବା ଯାଏଁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ। ଅନୁରୂପ ଭାବେ ସନ୍ଧ୍ୟା ସାଢ଼େ ୬ଟାରୁ ଜୟଦେବ ବିହାର ଛକ ଠାରୁ ବିଜୁ ପଟ୍ଟନାୟକ କଲେଜ ଆଡ଼କୁ କୌଣସି ପ୍ରକାରର ଯାନବାହାନ ଯାଇପାରିବେ ନାହିଁ।
ସେଭଳି ସାଢ଼େ ୬ଟାରୁ ରୋଡ ଶୋ' ସରିବା ପର୍ଯ୍ୟନ୍ତ ଜୟଦେବ ବିହାର ଛକ ଠାରୁ କିଟ୍ ଛକ ପର୍ଯ୍ୟନ୍ତ କୌଣସି ପ୍ରକାରର ଯାନବାହାନ ଏବଂ ସନ୍ଧ୍ୟା ୭ଟା ୧୫ ମିନିଟ୍ ଠାରୁ ରୋଡ ଶୋ ସରିବା ପର୍ଯ୍ୟନ୍ତ କିଟ୍ ଛକ ଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହାନ ଯାଇପାରିବେ ନାହିଁ। ଏଥିସହ ଜୟଦେବ ବିହାର ଛକ ଦେଇ ଜାଭିୟର ଛକ ଆଡ଼କୁ ଆସୁଥିବା ଆମ୍ୱୁଲାନ୍ସଗୁଡ଼ିକ ଜୟଦେବ ବିହାର ଛକ ଠାରୁ ଦକ୍ଷିଣ ପାର୍ଶ୍ବ ରାସ୍ତା ଦେଇ ଜାଭିୟର ଛକ ପର୍ଯ୍ୟନ୍ତ ଆସି ସେଠାରୁ ବାମ ପାର୍ଶ୍ବ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ। ସେପରି ନନ୍ଦନକାନନ ରାସ୍ତା ଦେଇ ଜୟଦେବ ବିହାର ଛକ ଆଡ଼କୁ ଆସୁଥିବା ଆମ୍ୱୁଲାନ୍ସଗୁଡ଼ିକ ଡାହାଣ ପାର୍ଶ୍ବ ରାସ୍ତା ଦେଇ ଡମଣ ଛକ ପର୍ଯ୍ୟନ୍ତ ଆସି ସେହିଠାରୁ ଦକ୍ଷିଣ ପାର୍ଶ୍ବ ସମାନ୍ତରାଳ ରାସ୍ତା ଦେଇ ଯାଇପାରିବେ।
ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତାରୁ କୌଣସି ପ୍ରକାରର ଯାନବାହନଗୁଡ଼ିକୁ ରୋଡ ଶୋ' ଲାଗି ଧାର୍ଯ୍ୟ କରାଯାଇଥିବା ରାସ୍ତାକୁ ଯିବାକୁ ଦିଆଯିବ ନାହିଁ। ଉପରୋକ୍ତ ରାସ୍ତାରେ ନ ଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବାକୁ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।












Click it and Unblock the Notifications