ମୁଖ୍ୟମନ୍ତ୍ରୀଙ୍କ ବାରବାଟୀ ମ୍ୟାଚ୍ ସମୀକ୍ଷା, ୩ ବର୍ଷ ପରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ
ମୁଖ୍ୟମନ୍ତ୍ରୀଙ୍କ ବାରବାଟୀ ମ୍ୟାଚ୍ ସମୀକ୍ଷା । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଅନ୍ତର୍ଜାତୀୟ T20 ମ୍ୟାଚ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପସ୍ଥିତ ଥିଲେ । ମୁଖ୍ୟସଚିବ, ପୋଲିସ ଡିଜିଙ୍କ ସମେତ ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି ଉପସ୍ଥିତ ଥିଲେ।

ଡିସେମ୍ବର ୯ରେ ବାରବାଟୀରେ ଭାରତ ଓ ଦ.ଆଫ୍ରିକା ଟି-୨୦ ସିରିଜର ପ୍ରଥମ T20 ମ୍ୟାଚ ଖେଳାଯିବ । ବାରବାଟୀରେ ଏହା ଏହା ହେବ ଚତୁର୍ଥ ଟି-ଟ୍ବେଣ୍ଟି । ପୂର୍ବରୁ ୨୦୧୫, ୨୦୧୭ ଓ ୨୦୨୨ରେ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳାଯାଇଥିଲା । ଶେଷ ଟି-ଟ୍ବେଣ୍ଟି ମ୍ୟାଚ୍ ୨୦୨୨ ଜୁନ ୧୨ ତାରିଖରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିଲା । ୩ ବର୍ଷ ପରେ ପୁଣି ବାରବାଟୀରେ ମୁହାଁମୁହିଁ ହେବେ ଭାରତ-ଦକ୍ଷିଣ ଆଫ୍ରିକା ।
ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ପ୍ରସ୍ତୁତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:
ଆସନ୍ତା ଡିସେମ୍ବର ୯ ତାରିଖରେ ବାରବାଟୀରେ ଆୟୋଜନ ହେବ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ T-20 ମ୍ୟାଚ । ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା T-20 ମ୍ୟାଚ ଆୟୋଜନ ପାଇଁ ଆଜି (ବୁଧବାର) ଏକ ପ୍ରସ୍ତୁତି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବୈଠକର ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ଅନ୍ତର୍ଜାତୀୟ କ୍ରୀଡା ଆୟୋଜନ କରିବାରେ ଓଡିଶାର ସୁନାମ ରହିଛି । କଟକ ବାରବାଟୀ ଷ୍ଟାଡିୟମରେ ପୂର୍ବରୁ ଅନେକ ଅନ୍ତର୍ଜାତୀୟ ମ୍ୟାଚ ସୁବ୍ୟବସ୍ଥିତ ଭାବେ ଭାବେ ଆୟୋଜନ କରାଯାଇଛି ।" ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଅନ୍ତର୍ଜାତୀୟ T-20 ମ୍ୟାଚ ଯେପରି ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ଆୟୋଜିତ ହେବ, ସେଥିପାଇଁ ସମସ୍ତ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡିଶା କ୍ରିକେଟ୍ ଆସୋସିଏସନ୍ ଓ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ।
ବାରବାଟୀ ପ୍ରସ୍ତୁତି ସମ୍ପର୍କରେ ଓସିଏ ସମ୍ପାଦକଙ୍କ ବିବରଣୀ ପ୍ରଦାନ:
ଏହି ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ମ୍ୟାଚର ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି । ଟିକେଟ କିଣାବିକା, ଦର୍ଶକ ମାନଙ୍କ ପାଇଁ ସୁବ୍ୟବସ୍ଥା, ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା, ଷ୍ଟାଡିୟମର ଭିତ୍ତିଭୂମି ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ ପରିଚାଳନା ଆଦି ବିଭିନ୍ନ ବିଷୟରେ ବିସ୍ତୃତ ଆଲୋଚନା ହୋଇଛି । ପ୍ରତ୍ୟେକ ଷ୍ଟାଣ୍ଡର କ୍ଷମତା ଅନୁଯାୟୀ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବ । ମ୍ୟାଚ ସମୟରେ ନିରନ୍ତର ଲାଇଟିଙ୍ଗ ବ୍ୟବସ୍ଥା ପାଇଁ ଅଧିକ ଜେନସେଟ ଅଣାଯାଇଛି । ଏହାର ମନିଟରିଂ ପାଇଁ ନୂଆ ସପ୍ଟୱେୟାର ମଧ୍ୟ ଇନଷ୍ଟଲ କରାଯାଇଛି । ଗୋଟିଏ ଜେନସେଟ ଫେଲ ହେଲେ ତୁରନ୍ତ ଅନ୍ୟ ଗୋଟିଏ ଜେନସେଟ ଚାଲୁ ହେବ । ଲାଇଟିଙ୍ଗ ବ୍ୟବସ୍ଥା ନିରନ୍ତର ଭାବେ ଜାରି ରହିବ ।
ଗତଥର ଦେଖାଯାଇଥିଲା ବିଭ୍ରାଟ:
ବାରବାଟୀରେ ଚଳିତ ବର୍ଷ ଫେବୃଆରୀ ମାସରେ ଆୟୋଜନ ହୋଇଥିଲା ଭାରତ - ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଖେଳ ଅଧାରୁ ଫ୍ଲଡ଼ ଲାଇଟ ବିଭ୍ରାଟ ଯୋଗୁଁ ପ୍ରାୟ ୩୫ ମିନିଟ ଖେଳ ବନ୍ଦ ହୋଇଥିଲା । ଯାହାକୁ ନେଇ ବିଶ୍ଵରେ ନିନ୍ଦିତ ହୋଇଥିଲେ ଓଡିଶା ସରକାର, ବିସିସିଆଇ ଓ ଓସିଏ । ଏଭଳି କୌଣସି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବାରବାଟୀରେ ଯେଭଳି ପୁନର୍ବାର ନଘଟେ ସେଥିପାଇଁ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।












Click it and Unblock the Notifications