ଗୋରୁ ଚୋରାଚାଲାଣକାରୀଙ୍କୁ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ, କହିଲେ...
ରାଜ୍ୟକୁ ମାଛ, କୁକୁଡ଼ା ମାଂସ, ଅଣ୍ଡା ଇତ୍ୟାଦିରେ ଆତ୍ମନିର୍ଭର କରିବା ପାଇଁ ଆମ ସରକାର ଦୃଢ଼ ସଂକଳ୍ପ କରିଛନ୍ତି। ଏବେ ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି। ଏକ ନମ୍ୱର ସ୍ଥାନ ହାସଲ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ। କିନ୍ତୁ ରାଜ୍ୟରେ ଗୋ ମାତାଙ୍କୁ ଚାଲାଣ କରୁଥିବା ଲୋକ ସତର୍କ ହୋଇଯାଆନ୍ତୁ। ନଚେତ୍ ସରକାର ଆହୁରି କଡ଼ା ଆଭିମୁଖ୍ୟ ଗ୍ରହଣ କରିବେ। କେନ୍ଦୁଝର ପୁଲିସ ପକ୍ଷରୁ ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଭଳି ୪ଟି ଜିଲାରେ ବହୁ ବେଆଇନ ଗୋ-ଚାଲାଣକାରୀଙ୍କ ଘରେ ବଡ଼ ଧରଣର ଚଢ଼ଉ କରାଯାଇ ବିପୁଳ ସମ୍ପତ୍ତି ଠାବ କରାଯିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏଭଳି ଚେତାବନୀ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ବୁଧବାର ଭୁବନେଶ୍ବରର ଜନତା ମଇଦାନ ଠାରେ ତିନିଦିନିଆ ମତ୍ସ୍ୟ-ପ୍ରାଣୀ ସମାବେଶକୁ ଉଦ୍ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଚେତାବନୀ ଦେଇଛନ୍ତି।

ସେ କହିଲେ, ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ଆମ ସରକାର କ୍ଷମତାକୁ ଆସିବା ମାତ୍ରେ ପ୍ରଥମ ବଜେଟ୍ରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହି ଯୋଜନା ଆମ ରାଜ୍ୟ ପାଇଁ ଏକ ଐତିହାସିକ ଯୋଜନା। ଆମ ରାଜ୍ୟର ଚାଷୀଙ୍କ ମଧ୍ୟରୁ ପ୍ରାୟ ୯୨ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଜନସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ଆଗାମୀ ଦିନରେ ଜମି ହୋଲ୍ଡିଂ ଆହୁରି କମିଯିବ। ତେଣୁ କୃଷି ସହିତ ମାଛ ଚାଷ, ଗୋ-ପାଳନ, ପ୍ରାଣୀ ପାଳନ କରିବା ଉଚିତ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀଙ୍କୁ ୭୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦେଇ ଶଙ୍କର ଜାତୀୟ ଅଧିକ ଦୁଗ୍ଧ ପ୍ରଦାନକାରୀ ଗାଈ ଓ ମଇଁଷି ପାଳନ ପାଇଁ ଉତ୍ସାହିତ କରାଯାଉଛି। ଏହା ମାଧ୍ୟମରେ ୪.୭୩ ଲକ୍ଷ ହିତାଧିକାରୀଙ୍କୁ ୨୬୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏଥିସହିତ ଦୁଗ୍ଧ ବ୍ୟବସାୟୀଙ୍କ ପାଇଁ ଓମ୍ଫେଡ୍ ପକ୍ଷରୁ ଲିଟର ପିଛା ୨ ଟଙ୍କା ଅଧିକ ସହାୟତା ରାଶି ଦିଆଯାଉଛି। କେବଳ ମାଈ ବାଛୁରୀ ଜନ୍ମ ପାଇଁ ଲିଙ୍ଗ ନିରୂପିତ ଶୁକ୍ରାଣୁ ମାଧ୍ୟମରେ କୃତ୍ରିମ ପ୍ରଜନନ ଯୋଜନା ଆରମ୍ଭ କରାଯାଇଛି। ଏହା ମାଧ୍ୟମରେ ରାଜ୍ୟର ୨.୩୦ ଲକ୍ଷ ଗୋ-ପାଳକ ଉପକୃତ ହୋଇଛନ୍ତି। ମାଛ ଉତ୍ପାଦନରେ ଏକ ନମ୍ୱର ସ୍ଥାନ ହାସଲ କରିବା ପାଇଁ ଆମେ ଚେଷ୍ଟା ଜାରି ରଖିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିଥିଲେ।
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଲେ, ଆମ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରାଜ୍ୟରେ ଦୁଗ୍ଧ ବିପ୍ଳବରେ ଏକ ନୂଆ ଦିଗନ୍ତ ଆଣିଛି। ଚାଷୀଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆମ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଇଛି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଲେ, ଆଗାମୀ ଦିନରେ ଗୋ-ସମ୍ପଦ ଓ ଗୋ-ମାତାର ସୁରକ୍ଷା ପାଇଁ ରାଜ୍ୟରେ ଯେକୌଣସି ସ୍ଥାନରେ ଗୋଶାଳା ନିର୍ମାଣ ହେବ। ସେଥିପାଇଁ ରାଜସ୍ୱ ବିଭାଗ ଜମି ଯୋଗାଇ ଦେବ। କାର୍ଯ୍ୟକ୍ରମରେ ସମସ୍ତ ଜିଲାରୁ ବହୁ ମତ୍ସ୍ୟ ଚାଷୀ, ପ୍ରାଣୀ ପାଳକ, ଗବେଷକ, କୃଷି ବୈଜ୍ଞାନିକ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ମତ୍ସ୍ୟ ନିେର୍ଦଶକ ମହମ୍ମଦ ସାଦ୍ଦିକ୍ ଆଲାମ୍ ଧନ୍ୟବାଦ ଅର୍ପଣ କରିଥିଲେ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
ବଡ ନିଷ୍ପତ୍ତି: ଜୁନ୍ ପର୍ଯ୍ୟନ୍ତ ଏସବୁ ଉତ୍ପାଦ ଉପରେ କଷ୍ଟମ୍ ଶୁଳ୍କ ଛାଡ଼ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
Adani Green Energy ର ବଡ଼ ସଫଳତା: FY26ରେ 5GW କ୍ଷମତା ସହ ବିଶ୍ୱରେ ନୂଆ ରେକର୍ଡ -
ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ






Click it and Unblock the Notifications