୧୬ ବର୍ଷ ପରେ ଲୋକଙ୍କ ପାଇଁ ଖୋଲିଲା ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ; ପ୍ରଥମ ଦିନ ୧୫୦୦ ସମସ୍ୟା ପଞ୍ଜିକରଣ
ଲୋକଙ୍କ ସମସ୍ୟା ଶୁଣିଲେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନ ୧୫୦୦ ଲୋକ ନିଜ ସମସ୍ୟା ନେଇ କଲେ ନାମ ପଞ୍ଜିକରଣ । ଆଜି ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ଶୁଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କୁ ନିଜ ନିଜ ସମସ୍ୟା ଓ ଦୁଃଖ ଜଣାଇବାକୁ ସବୁ ଜିଲ୍ଲାରୁ ଆସିଥିଲେ ଲୋକେ ।
ଦିନେ ଦୁଇ ଦିନ ନୁହେଁ ଗତ ୪ ଦିନ ହେବ ଅଖିଆଅପିଆ ଅସହାୟ ଲୋକେ ରାଜଧାନୀରେ ପଡି ରହି କେବଳ ଅପେକ୍ଷା କରିଥିଲେ, କେବେ ସେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯିବେ ନିଜ ଦୁଃଖ ଜଣାଇବେ । ତେବେ ଆଜି ଥିଲା ଜନ ଶୁଣାଣିର ପ୍ରଥମ ଦିନ । ପ୍ରଥମ ଦିନରେ ହିଁ ପାଖାପାଖି ୧୫୦୦ ଲୋକ ନିଜ ସମସ୍ୟା ନେଇ ନାଁ ପଞ୍ଜିକରଣ କରିଥିବା ଜଣାପଡିଛି ।
ପ୍ରତି ସୋମବାର ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବାହ୍ନ ୧୧ଟାରୁ ଅଭିଯୋଗ ପ୍ରକୋଷ୍ଠରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଉକ୍ତଦିନ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସେଠାରେ ଥିବା କାଉଣ୍ଟରରେ ପଞ୍ଜୀକରଣ କରିବାକୁ ପଡ଼ିବ।

ତେବେ ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। କେତେକ ଦିବ୍ୟାଙ୍ଗ ମଧ୍ୟ ଗୁହାରି ଜଣାଇବା ପାଇଁ ମଧ୍ୟ ସେଠାରେ ବସିଛନ୍ତି। ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଛନ୍ତି। ଏହି ସର୍ବସରରେ ସେଠାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ଅନ୍ୟ ମନ୍ତ୍ରୀଗଣ ଉପସ୍ଥିତ ଥିଲେ।
୨୦୦୮ ମସିହାରେ ଶେଷଥର ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଏତେବର୍ଷ ପରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ଖୋଲିଥିବାରୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି "ଏହା ଲୋକଙ୍କ ସରକାରରେ ଆଜିଠାରୁ ଲୋକଙ୍କ ପାଇଁ ଖୋଲା ରହିବ ଅଭିଯୋଗ ପ୍ରକୋଷ୍ଠ, ଲୋକେ ସିଧାସଳଖ ଆସି ମୋ ସହ ଭେଟି ନିଜର ସମସ୍ଯା ଜଣାଇପାରିବେ।
ଅଭିଯୋଗ ଥିବା ବ୍ୟକ୍ତିଙ୍କୁ ପ୍ରଥମେ ସେମାନଙ୍କ ନାମ ପଞ୍ଜିକରଣ କରିବାକୁ ହେବ ଏବଂ ସେମାନଙ୍କର ଅଭିଯୋଗ ଲିଖିତ ଆକାରରେ ଦାଖଲ କରିବାକୁ ପଡିବ। ଏହାପରେ ତାଙ୍କୁ ପୁନଃ ଶୁଣାଣି ପାଇଁ ଅଭିଯୋଗ କକ୍ଷକୁ ପଠାଯିବ ।
ଏହାସହିତ ଜିଲ୍ଲା ସ୍ତରରେ ସମସ୍ତ ଜିଲ୍ଲାପାଳ ମଧ୍ୟ ପ୍ରତ୍ୟେକ ସୋମବାର ଲୋକଙ୍କ ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୋଗ ଶୁଣାଣୀ ପରେ ଏହାର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି।












Click it and Unblock the Notifications