ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ
ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଏବଂ ଚାଷୀ ମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ମଣ୍ଡିରେ ଚାଷୀମାନଙ୍କ ପାଇଁ ଖାଦ୍ୟ, ପାଣି ଓ ଟଏଲେଟର ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ।

ଦଲାଲ ମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ନୂଆ ସରକାର ଗଠନର ଛଅ ମାସ ପୂରଣ ହେଉଛି । ଏହି ଅବସରରେ ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପିଏମ୍ କିଷାନ ଓ ସିଏମ୍ କିଷାନ ସହିତ ୮୦୦ ଟଙ୍କା ଇନ୍ପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ମତଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଏହା ଦ୍ବାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ । ଏଣୁ, ଧାନ ସଂଗ୍ରହ କାର୍ୟ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଦକ୍ଷତାର ସହିତ ତ୍ରୁଟିଶୂନ୍ୟ ଭାବେ କାର୍ୟ୍ୟକାରୀ କରାଯିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବା ଉଚିତ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।












Click it and Unblock the Notifications