ଭୁବନେଶ୍ବର ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ବାଲେଶ୍ବରର ଗୁରୁତର ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ପହଞ୍ଚିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଉପସ୍ଥିତ । ଏମ୍ସ ନିର୍ଦ୍ଦେଶକ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିବେ ।

ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଚାଲିଛି ଚିକିତ୍ସା । ଏମ୍ସ ବର୍ଣ୍ଣ ୱାର୍ଡରେ ଜୀବନ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ତାଙ୍କ ଶରୀରର ୯୫ ପ୍ରତିଶତ ପୋଡ଼ିଯାଇଛି । ଛାତ୍ରୀ ଜଣକ ଅତି ସଙ୍କଟାପନ୍ନ ଅବସ୍ଥାରେ ଥିବା ଏମ୍ସ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ଆଉ କିଛି ସମୟ ପରେ ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ପୀଡ଼ିତା ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି । ୧୨ ଜଣିଆ ଡାକ୍ତରୀ ଦଳ ଚିକିତ୍ସାରେ ନିୟୋଜିତ ରହିଛନ୍ତି । ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଲେଜର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷ ଓ ଅଭିଯୁକ୍ତ ସହକାରୀ ପ୍ରଫେସର ସମୀର କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହିତ ସହକାରୀ ପ୍ରଫେସର ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରାଯାଇଛି ।
ସେପଟେ ଫକୀରମୋହନ କଲେଜରେ ଛାତ୍ରୀ ଦେହରେ ନିଆଁ ଲଗାଇଦେବା ଘଟଣାକୁ ନେଇ ସାରା ରାଜ୍ୟରେ ଅସନ୍ତୋଷ ବଢ଼ିଛି । କାହିଁକି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣକ ଆତ୍ମହତ୍ୟା ଉଦ୍ୟମ କଲେ, ତାର ତଦନ୍ତ ହେବ । ଏଥିପାଇଁ ୩ ଜଣିଆ କମିଟି ଗଠନ ହୋଇଛି । ଆଜି ଫକୀରମୋହନ ମହାବିଦ୍ୟାଳୟ ଯିବେ ୩ ଜଣିଆ ତଦନ୍ତ କମିଟି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଉଚ୍ଚଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଜଣେ ଯୁଗ୍ମ ସଚିବ ରାଙ୍କର ମହିଳା ଅଧିକାରୀ, ଜଣେ ବରିଷ୍ଠ କଲେଜ ଅଧ୍ୟକ୍ଷାଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।












Click it and Unblock the Notifications