ଭବ୍ୟ ରୂପରେ ମାଁ ସମଲେଇଙ୍କ ମନ୍ଦିର; ଲୋକାର୍ପଣ ହେବ ସମଲେଇ ପ୍ରକଳ୍ପ
ଲୋକାର୍ପଣ ହେବାକୁ ଯାଉଛି ସମଲେଇ ପ୍ରକଳ୍ପ । ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଓ ଭକ୍ତିକୁ କେନ୍ଦ୍ରରେ ରଖି ଓଡ଼ିଶାର ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସମଲେଇ ପ୍ରକଳ୍ପ ଲୋକାର୍ପଣ ହେବାକୁ ଯାଉଛି ।
ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଥିବା ମାଁ ସମଲେଶ୍ଵରୀଙ୍କ ଦିବ୍ୟ ମନ୍ଦିରର ଭବ୍ୟ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସଂକଳ୍ପ ଓ ଆରମ୍ଭରୁ ହିଁ ୫-'ଟି' ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରକଳ୍ପ ଏକ ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି । ମାଁ ସମଲେଶ୍ଵରୀଙ୍କ ର ମନ୍ଦିର ରୂପାନ୍ତରଣ ପାଇଁ ୧୭-୦୨-୨୦୨୧ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ 'ସମଲେଇ ପ୍ରକଳ୍ପ'ର ସମସ୍ତ ଆନୁସଙ୍ଗିକ ଦିଗ ଉପରେ ସବିଶେଷ ଆଲୋଚନା ହୋଇଥିଲା ।
ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସେହି ବୈଠକରେ ୫-ଟି ମାଧ୍ୟମରେ କିଭଳି ଭାବରେ ରେକର୍ଡ ସମୟ ମଧ୍ୟରେ 'ସମଲେଇ ପ୍ରକଳ୍ପ'ର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ସେ ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଉକ୍ତ ବୈଠକରୁ ଏ ପର୍ଯ୍ୟନ୍ତ ୫-ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହିଁ କାର୍ଯ୍ୟ ହୋଇ ଏକ ଯୁଗାନ୍ତକାରୀ ପ୍ରକଳ୍ପର ସ୍ଵରୁପ ପାଇଛି ।

ଏହି ପ୍ରକଳ୍ପରେ ଚାରିଗୋଟି ପ୍ରାଥମିକ ଲକ୍ଷ୍ୟକୁ ସାକାର କରାଯାଇଅଛି
ମା ସମଲେଶ୍ଵରୀଙ୍କ ମନ୍ଦିର ପରିସରର ଭବ୍ୟ ରୂପାନ୍ତରଣ
ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦିବ୍ୟ ଅନୁଭବ ପ୍ରାପ୍ତି ପ୍ରତି ବିଶେଷ ଗୁରୁତ୍ଵ
ସମ୍ବଲପୁର ତଥା ଓଡ଼ିଶାର ପର୍ଯ୍ୟଟନ ଅର୍ଥନୀତି ପ୍ରତି ବିଶେଷ ଗୁରୁତ୍ଵ
ମନ୍ଦିର ଚାରିପାର୍ଶ୍ଵରେ ଅନ୍ୟାନ୍ୟ ପ୍ରକଳ୍ପର ବିକାଶ ଓ ସ୍ଥାନୀୟ ଅଧିବାସୀଙ୍କ ଆର୍ଥିକ ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା
ପ୍ରାୟ ୪୦ ଏକର ପରିମିତ ଅଂଚଳରେ ମାଁ ସମଲେଶ୍ଵରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ ଘଟିଛି । ଚାରି ଦିଗରେ ଚାରିଗୋଟି ପ୍ରବେଶ ଦ୍ଵାର, ମନ୍ଦିର କାର୍ଯାଳୟ, ପୂଜକ ବିଶ୍ରାମାଳୟ, ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି ।
ମାଁ ସମଲେଶ୍ଵରୀଙ୍କ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଧ୍ୟାମିକ ଅନୁଭବ ପାଇଁ ପ୍ରାୟ ଏକ କିଲୋମିଟର ଦୈର୍ଘ୍ୟର ପରିକ୍ରମା ପଥ ନିର୍ମାଣ ହୋଇଛି । ଏହାର ସନ୍ନିକଟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ସଂକ୍ରାନ୍ତୀୟ ସମସ୍ତ ବ୍ୟବସ୍ଥା ଯେପରିକି ପାକିଂ ସ୍ଥାନ, ପାନୀୟ ଜଳ, ଶୌଚାଳୟ, ସୂଚନା କେନ୍ଦ୍ର, ଯୋତାଷ୍ଟାଣ୍ଡ, ଭେଣ୍ଡିଂ ଜୋନ୍ ଆଦିର ବ୍ୟବସ୍ଥା ହୋଇଛି ।
ମହାନଦୀ ଘାଟର ରୂପାନ୍ତରଣ କରାଯାଇ ଘାଟରେ ଆରତୀ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଏହି ମହାନଦୀ ଆରତୀ ଦ୍ଵାରା ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଏକ ସ୍ଵତନ୍ତ୍ର ଆଧ୍ୟାତ୍ମିକ ପରିବେଶ ପାଇପାରିବେ । ଏହା ସହ ଭକ୍ତମାନେ ଯେପରି ମାଙ୍କ ମନ୍ଦିରରୁ ମହାନଦୀର ବିଭିନ୍ନ ଘାଟକୁ ଯାଇପାରିବେ ସେଥୁପାଇଁ ସ୍ଵତନ୍ତ୍ର ପଥ ନିର୍ମାଣ ହୋଇଛି ।
ମନ୍ଦିରର ଐତିହ୍ୟ ସହ ଜଡ଼ିତ ଶ୍ରୀଗୋପାଳଜୀ ମଠ ଓ ଅନ୍ୟ ସମସ୍ତ ଐତିହାସିକ ସ୍ଥାନକୁ ସଂପୂର୍ଣ୍ଣ ଗୁରୁତ୍ଵ ଦିଆଯାଇଛି । ମନ୍ଦିରର ସୁରକ୍ଷା ଓ ଭକ୍ତମାନଙ୍କ ଆଧ୍ୟାତ୍ମିକ ଭାବାବେଗକୁ କେନ୍ଦ୍ରରେ ରଖି ପ୍ରକଳ୍ପ କାର୍ଯ୍ୟ କରାଯାଇଅଛି । ମାଙ୍କ ମନ୍ଦିର ପାର୍ଶ୍ଵରୁ ରେଳ ଷ୍ଟେସନକୁ ରାସ୍ତା ପ୍ରଶସ୍ତିକରଣ ପାଇଁ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇ ଯାନବାହନ ଚଳାଚଳ ଯେପରି ଭାବେ ବିନା ବାଧାରେ ହୋଇପାରିବ ସେଥ୍ୟପ୍ରତି ଧ୍ୟାନ ଦିଆଯାଇଛି ।
୫-ଟି ରୂପାନ୍ତରଣ ମାଧ୍ୟମରେ ମାଁ ସମଲେଶ୍ଵରୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏହି ପ୍ରକଳ୍ପ ଏକ ରେକର୍ଡ ସମୟ ମଧ୍ୟରେ କାର୍ଯ୍ୟକାରୀ ହୋଇ ଲୋକାର୍ପଣ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁଦକ୍ଷ ନେତୃତ୍ୱ ଓ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଗ୍ରାଉଣ୍ଡଜିରୋରୁ ପ୍ରାମାଣିକ ପରିଚାଳନା ପାଇଁ ସମଗ୍ର ଦେଶରେ ଏହି ପ୍ରକଳ୍ପ ଏକ ଉଦାହରଣ ହୋଇପାରିଛି ।












Click it and Unblock the Notifications