ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ପ୍ରକଳ୍ପର କଲେ ଉଦ୍‌ଘାଟନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ ଜିଲ୍ଲା ଗସ୍ତରେ ଯାଇ ବିଜେପୁରର କନାପାଲିଠାରେ ବରଗଡ ଜିଲ୍ଲାରେ ୨୧୪୯ କୋଟି ଟଙ୍କା ମୂଲ୍ୟର ୬୨ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଛନ୍ତି । ଏଥି ସହିତ ୨୬୩ କୋଟି ୩୩ ଲକ୍ଷ ୧୮ ହଜାର ଟଙ୍କା ବ୍ୟୟରେ ୨୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ଦେଇଛନ୍ତି।

ଉଦ୍‌ଘାଟିତ ପ୍ରକଳ୍ପ ଗୁଡିକ ମଧ୍ୟରେ ଓଡିଶାର ଜଳସେଚନର ବିକାଶ କ୍ଷେତ୍ରରେ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ୧୬୭୭ କୋଟି ୪୨ ଲକ୍ଷ ଟଙ୍କା ବ୍ୟୟରେ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ, ୧୦୬ କୋଟି ୬ ଲକ୍ଷ ଟଙ୍କା ବ୍ୟୟରେ ୫ ମହଲା ବଶିଷ୍ଟ ୧୦୦ ଶଯ୍ୟା ବିଶିଷ୍ଟ କର୍କଟ ରୋଗ ଚିକିତ୍ସା କେନ୍ଦ୍ର, ଭକ୍ତ, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ୨୨ କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ରୂପାନ୍ତରିତ ନୃସିଂହନାଥ ପୀଠ ପ୍ରମୁଖ ରହିଛି। ସୋହେଲା-ନୂଆପଡା ବିଜୁ ଏକ୍ସପ୍ରେସ ୱେ, ୩୧୭ଟି ହାଇସ୍କୁଲ ରୂପାନ୍ତରିତ କାର୍ଯ୍ୟ ମଧ୍ୟ ସଂମ୍ପନ୍ନ ହୋଇଛି। ଏଥି ସହିତ ୫୬ଟି କଲେଜକୁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତର କାର୍ଯ୍ୟ, ୫ଟି ସ୍ୱାସ୍ଥ୍ୟ ଅନୁଷ୍ଠାନକୁ 'ଆମ ହସ୍ପିଟାଲ'କୁ ରୂପାନ୍ତରଣ, ୧୮୫ଟି ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତମାନଙ୍କୁ 'ଆମ ବ୍ୟାଙ୍କ' ସୁବିଧା, ଲକ୍ଷ୍ମୀ ଯୋଜନାରେ ୨୬୨ଟି ବସ୍ ଷ୍ଟପେଜ୍‌, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଅଧିନରେ ୪୩୧ଟି କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଓ ଧାର୍ମିକ ସ୍ଥଳୀର ଉନ୍ନତି କାର୍ଯ୍ୟ ଏବଂ 'ଆମ ଓଡିଶା ନବୀନ ଓଡିଶା'ରେ ୧୨୬ କୋଟି ୫୦ ଲକ୍ଷ ଟଙ୍କା ବିନିମୟରେ ୩୧୩୫ଟି ପ୍ରକଳ୍ପ ଜିଲ୍ଲାରେ କାର୍ଯ୍ୟକାରୀ ହେଉଛି।

Naveen Patnaik
ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାର ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେର ଓ ମହାନ ସ୍ୱାଧୀନତା ସଂଗ୍ରାମୀ ମା' ପାର୍ବତୀ ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବରଗଡ କଳାର ଭୂମି ଓ ସଂସ୍କୃତିର ଭୂମି । ଏ ଅଞ୍ଚଳର ବୁଣାକାରମାନେ ବିଶ୍ୱରେ ଓଡିଶାର ପରିଚୟକୁ ଉଜ୍ଜ୍ୱଳ କରିଛନ୍ତି। ନିକଟରେ ବୁଣାକାର ଓ କଳାକାର ମାନଙ୍କ ପେନସନ୍ ବୃଦ୍ଧି ସଂପର୍କରେ ସୂଚନା ଦେଇଥିଲେ। ଏବେ ସାରା ରାଜ୍ୟରେ ରୂପାନ୍ତର ପର୍ବ ଚାଲିଛି ବୋଲି କହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ, ମା' ସମଲେଇ ପ୍ରକଳ୍ପ ଭକ୍ତମାନଙ୍କ ପାଇଁ ସୁନ୍ଦର ଅନୁଭବ ଆଣିଛି ଏବଂ ଆଜି ଉଦ୍‌ଘାଟିତ ହୋଇଥିବା ରୂପାନ୍ତରିତ ପ୍ରସିଦ୍ଧ ନୃସିଂହନାଥ ପୀଠ ମଧ୍ୟ ଓଡିଶାର ଗୌରବକୁ ଆହୁରି ବୃଦ୍ଧି କରିବ ବୋଲି ସେ କହିଥିଲେ।

ରାଜ୍ୟରେ 5T ଉପକ୍ରମରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଏହି ରୂପାନ୍ତର କାର୍ଯ୍ୟକ୍ରମରେ ହାଇସ୍କୁଲ ରୂପାନ୍ତରଣ ସଫଳତା ଅର୍ଜନ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୪ କୋଟି ଲୋକଙ୍କ ପାଇଁ ଆଶୀର୍ବାଦ ହୋଇଛି। ପରିବହନ ସେବାରେ ଲକ୍ଷ୍ମୀ ବସ୍‌ ଯୋଜନା ଗାଁରେ ଲୋକଙ୍କ ଜୀବନ ଧାରାକୁ ସହଜ କରିଛି। ବଡ ବଡ ଜଳସେଚନ ପ୍ରକଳ୍ପ ଠିକ୍‌ ସମୟରେ ଶେଷ ହେଉଛି। ଆଜି ଓଡିଶା ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାରା ଦେଶକୁ ଖାଦ୍ୟ ଯୋଗାଉଛି। ଏଥିରେ ବରଗଡ ଜିଲ୍ଲାର ଚାଷୀ ଭାଇମାନଙ୍କର ବହୁତ ବଡ ଅବଦାନ ରହିଛି ବୋଲି ସେ କହିଥିଲେ। କ୍ରୀଡା କ୍ଷେତ୍ରରେ ଓଡିଶାର ସୁନାମ ବଢିଛି।

ସେଥିରେ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତଙ୍କର ବିଶେଷ ଅବଦାନ ରହିଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରଗଡରେ କ୍ୟାନସର ଡାକ୍ତରଖାନା ପାଇଁ ମୁଁ କହିଥିଲି। ଆଜି ମୁଁ ତାହା ପୂରଣ କରିଛି। ପଶ୍ଚିମ ଓଡିଶାର ରୋଗୀମାନଙ୍କୁ ଏହା ଉତ୍ତମ ସେବା ଯୋଗାଇ ଦେବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ ୫-ଟି ଉପକ୍ରମରେ ସାରା ରାଜ୍ୟରେ ୧୧ଟି କ୍ୟାନସର ହସ୍ପିଟାଲ କରାଯାଉଛି। ଏଥିପାଇଁ ୧ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ।
ଆଜି ଗଙ୍ଗାଧର ମେହେର ଉଠାଜଳସେଚନ ପ୍ରକଳ୍ପ ଜରିଆରେ ଜିଲ୍ଲାର ଚାଷୀମାନଙ୍କର ଜମିକୁ ପାଣି ଯୋଗାଇବା ଆରମ୍ଭ ହେଲା। ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାର ୬୦ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିବ। ଜିଲ୍ଲାର ସୋହେଲା, ବିଜେପୁର, ବରପାଲି ଓ ଡୁଙ୍ଗୁରିପାଲି ବ୍ଲକର ଚାଷୀମାନେ ଏହା ଦ୍ୱାରା ବିଶେଷ ଉପକୃତ ହେବେ ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଚାଷୀ ଭାଇଭଉଣୀ, ମିଶନ ଶକ୍ତି ମା ଓ ଯୁବ ବର୍ଗଙ୍କୁ ବିନା ସୁଧରେ ଋଣ ଦିଆଯାଉଛି। କଲେଜ ପିଲାମାନଙ୍କ ମଧ୍ୟରେ ନୂଆ-ଓ ଛାତ୍ରବୃତ୍ତି ଆଶା ସଞ୍ଚାର କରିଛି। ସମସ୍ତଙ୍କ ସହଯୋଗରେ ଓଡିଶାରେ ଆଜି ରୂପାନ୍ତର ଆସିଛି ବୋଲି କହି ଏହି ଧାରା ଆହୁରି ଆଗକୁ ବଢିବ ଏବଂ ଆମେ ସମସ୍ତେ ମିଶି ଏକ ନୂଆ ଓଡିଶା ଗଢିବା ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ଯୋଗଦେଇ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ ଯେ ଯେତେବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ପ୍ରକଳ୍ପ ଘୋଷଣା କରିଥିଲେ ସେତେବେଳେ ବହୁ ଲୋକ ଏହା ଉପରେ ସନ୍ଦେହ ସୃଷ୍ଟି କରିଥିଲେ। ହିରାକୁଦ ବନ୍ଧରୁ ବିଜେପୁର ୩୫ ମିଟର ଉଚ୍ଚରେ ଅବସ୍ଥିତ। କିନ୍ତୁ ସବୁ ସନ୍ଦେହକୁ ଦୂର କରି ମୁଖ୍ୟମନ୍ତ୍ରୀ ଦୃଢ ଇଚ୍ଛାଶକ୍ତି ବଳରେ ଆଧୁନିକ ଟେକନୋଲୋଜି ପ୍ରୟୋଗରେ ଏହାକୁ ସଫଳ କରିଛନ୍ତି। ଆଜି ମହାନଦୀରୁ ପାଇପ ଯୋଗେ ହଜାର ହଜାର ଏକର ଜମିକୁ ପାଣି ମିଳିଲା।

ନିକଟରେ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣକାରୀ ଯୋଜନାଗୁଡିକରେ ହିତାଧିକାରୀମାନଙ୍କର ଭତ୍ତା ବୃଦ୍ଧି କରିଛନ୍ତି। ଉପସ୍ଥିତ ଜନସାଧାରଣଙ୍କ ସହିତ ମତ ବିନିମିୟ କରି କାର୍ତ୍ତିକ ପାଣ୍ଡିଆନ ମମତା, ମଧୁବାବୁ ଯୋଜନା, ବୁଣାକାର, କଳାକାର, କେନ୍ଦୁପତ୍ର ତୋଳାଳୀ ଆଦି ସମସ୍ତଙ୍କ ପାଇଁ ହୋଇଥିବା ନୂଆ ବର୍ଦ୍ଧିତ ସହାୟତା ଉପରେ ସଚେତନ କରିଥିଲେ।

କାର୍ଯ୍ୟକ୍ରମରେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟିକା ବର୍ଷା ସିଂ ବରିହା ପ୍ରମୁଖ ଯୋଗ ଦେଇ କହିଥିଲେ ଯେ ବରଗଡ ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ରହିଛି। ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧ୍ୟକ୍ଷଙ୍କ ଆନ୍ତରିକତା ଯୋଗୁ ଆଜି ବରଗଡ ଜିଲ୍ଲାର ବିକାଶ ସମ୍ଭବ ହୋଇଛି ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ଉନ୍ନୟନ କମିଶନର ତଥା ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇଥିଲେ ଓ ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+