କୋଭିଡ ଯୁଦ୍ଧରେ ଓଡିଶାବାସୀଙ୍କ ସହଯୋଗକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭୁବନେଶ୍ୱର: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, କୋଭିଡ଼-୧୯ ମହାମାରୀ ସୃଷ୍ଟି କରିଥିବା ଆହ୍ବାନକୁ ସମ୍ମୁଖୀନ ହେବାରେ ଆମର ବିପର୍ଯ୍ୟୟ ପ୍ରସ୍ତୁତି ତଥା ଜନସାଧାରଣଙ୍କ ସହଯୋଗ ପାଇଁ ମୁଁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଉଛି ।
ସେହିପରି ଦେଶର ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ଲକଡାଉନ ଘୋଷଣା କରିବରେ ଏବଂ ଏହାକୁ ସଫଳ ରୂପେ କାର୍ଯ୍ୟକାରୀ କରିବାରେ ଓଡିଶା ଅନ୍ୟତମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ କୋଭିଡ଼ର ପ୍ରଥମ ରୋଗୀ ଚିହ୍ନଟ ହେବାର ପୂର୍ବରୁ ଏହାକୁ ଏକ ବିପର୍ଯ୍ୟୟ ଭାବରେ ଘୋଷଣା କରିବାରେ ଆମେ ଥିଲୁ ଦେଶର ଅଳ୍ପ କେତେକ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ । ଜାତୀୟ ସ୍ତରରେ ଲକଡ଼ାଉନ ଘୋଷଣାର ବହୁ ପୂର୍ବରୁ ଆମ ରାଜ୍ୟ ଓଡ଼ିଶା ପ୍ରତିଷେଧକ ମୂଳକ ପଦକ୍ଷେପ ଭାବରେ ଲକ୍ଷ୍ୟ ଭିତ୍ତିକ ଲକଡ଼ାଉନ ଘୋଷଣା କରିଥିଲା। ସାରା ରାଜ୍ୟରେ କୋଭିଡ଼ ନିୟମାବଳୀକୁ କଡ଼ାକଡ଼ି ଭାବରେ ଲାଗୁ କରିଥିଲ । ଏହା ହିଁ ଭାଇରସ ସଂକ୍ରମଣକୁ ରୋକିବାରେ ବହୁ ପରିମାଣରେ ସାହାଯ୍ୟ କରିଥିଲା ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତିରେ କହିଛନ୍ତି ।
ସେହିପରି ମହାରାଷ୍ଟ୍ର ସମେତ ଅନ୍ୟ କିଛି ରାଜ୍ୟରେ କୋଭିଡର ପ୍ରଭାବ ଦେଖିବାକୁ ମିଳିଲାଣି । ତେଣୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ମାସ୍କ ପିନ୍ଧିବା ସାମାଜିକ ଦୂରତା ମାନିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
କୋଭିଡ୍ ସତ୍ତ୍ୱେ ମଧ୍ୟ ଗତବର୍ଷ ତୁଳନାରେ ରାଜସ୍ୱ ସଂଗ୍ରହ ୭.୩ ପ୍ରତିଶତ ବଢ଼ିଛି । ପୁରୀ ଏକାମ୍ର କ୍ଷେତ୍ର, ସମଲେଶ୍ୱରୀ, ହରିଶଙ୍କର, ନୃସିଂହ ନାଥ, କୋଣାର୍କ ଓ ତାରାତାରିଣୀର ବିକାଶ ପାଇଁ କାମ ହୋଇଛି । ଏତିହ୍ୟ ସୁରକ୍ଷା ଓ ବିକାଶ ପାଇଁ ସମସ୍ତେ ମିଳିମିଶି କାମ କରିବାର ଆବଶ୍ୟକତା ରହିଛି । ପୁରୀରେ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ପ୍ରସ୍ତାବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାଚସ୍ପତି ବିଧାନସଭାକୁ ଆସନ୍ତା ସୋମବାର ଦିନ ୧୦ଟା ୩୦ ଯାଏ ମୁଲତବି ରଖିଛନ୍ତି ।