ପ୍ରକଳ୍ପ ଲୋକାର୍ପଣ ବେଳେ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ; ୭୦୦ ବର୍ଷ ପରେ ପୁଣି ନୂଆ ରୂପ ପାଇଲା ଶ୍ରୀମନ୍ଦିର ଚତୁଃପାର୍ଶ୍ବ
ପ୍ରକଳ୍ପ ଲୋକାର୍ପଣ ବେଳେ ଖୁସିରେ କାନ୍ଦି ପକାଇଲେ ମୁଖ୍ୟମନ୍ତ୍ରୀ । ୭୦୦ ବର୍ଷର ବ୍ୟବଧାନରେ ପୁଣି ନୂଆ ରୂପ ପାଇଛି ଶ୍ରୀମନ୍ଦିର ଚତୁଃପାର୍ଶ୍ବ । ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଜି ହୋଇଛି ଶୁଭ ଲୋକାର୍ପଣ। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀରେ ଶ୍ରୀମନ୍ଦିର ପ୍ରକଳ୍ପ ଲୋକାର୍ପଣ ନିମନ୍ତେ ପହଞ୍ଚିବା ପରେ ଅତ୍ୟନ୍ତ ଭାବବିହ୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା ।
ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ଆଖି ଛଳ ଛଳ ହୋଇଯାଇଥିଲା ମୁଖ୍ୟମନ୍ତ୍ରୀଙ୍କର । ଏହାପରେ ତାଙ୍କ ଆଖିରୁ ବାରମ୍ବାର ଲୁହ ଝରୁଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ବର୍ଷର ଏହି ପ୍ରକଳ୍ପ ବାସ୍ତବ ରୂପ ନେବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଆନନ୍ଦିତ ହୋଇପଡିଥିଲେ। ଏପରିକି ଶ୍ରୀମନ୍ଦିର ଚାରିପାଖରେ ମୁଖ୍ୟମନ୍ତ୍ରୀ ପାଦରେ ଚାଲି ଚାଲି ପରାକ୍ରମା କରିଥେଲେ ।

ସେହିପରି ୪ ବର୍ଷରେ ୫୦୦ ଥର ଶ୍ରୀମନ୍ଦିର ଯାଇଛନ୍ତି ଭିକେ ପାଣ୍ଡିଆନ । ଆଉ ତାଙ୍କ ପ୍ରଚେଷ୍ଟାରେ ଆହୁରି ଉନ୍ନତ ହେଉଛି ଶ୍ରୀକ୍ଷେତ୍ର । ମହାପ୍ରଭୁଙ୍କ ପରମ ସେବକ ପାଣ୍ଡିଆନଙ୍କ ପାଇଁ ପୁରୀ ଆହୁରି ବିକଶିତ ହେଉଛି ।
ଭାବଭକ୍ତିରେ ଉଚ୍ଛୁଳୁଛି ସିଂହଦ୍ୱାରରୁ ଶରଧାବାଲି । ସମସ୍ତେ ଏବେ ପରିକ୍ରମା ପ୍ରକଳ୍ପ ମନସ୍କ । ଚା' ଖଟିରୁ ଚାକଚକ୍ୟ ହୋଟେଲ, ବସ୍ତିବାସୀରୁ ବୁଦ୍ଧିଜୀବୀ ପୁଣି ବଡ଼ଦାଣ୍ଡରୁ ବେଳାଭୂମି ସବୁଠି ପରିକ୍ରମା ପ୍ରକଳ୍ପର ଚର୍ଚ୍ଚା । ସମସ୍ତେ ପ୍ରକଳ୍ପର ପରିକଳ୍ପନାରୁ ବାସ୍ତବତା ଯାଏ ଯେଉଁମାନଙ୍କର ଭୂମିକା ରହିଛି ସେମାନଙ୍କୁ ପ୍ରଶଂସା କରୁଛନ୍ତି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମହାଯଜ୍ଞରେ ପୂର୍ଣ୍ଣାହୁତି ପ୍ରଦାନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ପୂର୍ଣ୍ଣାହୁତି ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ହୋମ ଯଜ୍ଞ ସରିବା ପରେ ଅନ୍ତଃ ପ୍ରଦକ୍ଷିଣ ପଥରେ ଅଧଘଣ୍ଟା ଧରି ଚାଲିବ ନାମ ସଂକୀର୍ତ୍ତନ ଶୋଭାଯାତ୍ରା। ଏହା ଆଗରୁ ପଞ୍ଚକର୍ମ, ଶାଳା ପ୍ରବେଶ ଓ ନୂତନ ନିର୍ମାଣ ସ୍ଥଳରେ ସଂସ୍କାରିତ ଜଳ ସିଞ୍ଚନ ହୋଇଛି। ଚାରି ଦ୍ୱାରରେ ବେଦ ପାଠ ବି କରାଯାଇଛି ।












Click it and Unblock the Notifications