ବୋରିଗୁମ୍ମା ଦୁର୍ଘଟଣା; ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ ଜିଲ୍ଲା ବୋରିଗୁମ୍ମା ଦୁର୍ଘଟଣାରେ ୩ଜଣ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା ହୋଇଛି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ଏହା ସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ବୋରିଗୁମ୍ମା ବିଜାପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏ ଦୁର୍ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଟୋ-କାର ଧକ୍କା ହେବାରୁ ୩ ମୃତ, ୧୩ ଗୁରୁତର । ୧୩ ଗୁରୁତରଙ୍କ ମଧ୍ୟରୁ ୪ ଜଣ କୋରାପୁଟ ମେଡିକାଲ ସ୍ଥାନାନ୍ତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି ।

ସିସିଟିଭିରେ ଦେଖିବାକୁ ମିଳିଛି ଗୋଟିଏ ସ୍କୋର୍ପିଓ ଓ ଯାତ୍ରୀବାହୀ ଅଟୋ ଗୋଟିଏ ଦିଗରୁ ଆସୁଥିବା ବେଳେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଆସୁଥିଲା । ସ୍କୋର୍ପିଓଟି ଦ୍ରୁତ ଗତିରେ ଆସୁଥିଲା। ସେ ଅଟୋକୁ ଓଭରଟେକ୍ କରିବାକୁ ପ୍ରୟାସ କରୁଥିଲା ।
ଆଉ ଠିକ୍ ସେହି ସମୟରେ ବିପରୀତ ଦିଗରୁ ଏକ ବାଇକ୍ ଦ୍ରୁତ ଗତିରେ ଟ୍ରାକ୍ଟରକୁ ଓଭରଟେକ୍ କରି ଯାଉଥିବା ବେଳେ ସ୍କୋର୍ପିଓ ସହିତ ବାଡ଼େଇ ହୋଇଯାଇଥିଲା । ଏହା ପରେ ଭାରସାମ୍ୟ ହରାଇଥିବା ସ୍କୋର୍ପିଓଟି ଏହା ଆଗରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲା। ଫଳରେ ଅଟୋଟି ଓଲଟି ପଡ଼ିଥିଲା ଓ ଏଥିରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ କେତେ ଜଣ ବାହାରକୁ ଛିଟିକି ପଡ଼ିଥିଲେ ।
ସ୍କୋର୍ପିଓଟି ଅଟୋକୁ ଧକ୍କା ଦେବା ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ବାଇକ୍ ମଧ୍ୟ ସ୍କୋର୍ପିଓରେ ଜୋରରେ ପିଟି ହୋଇଥିଲେ । ଫଳରେ ସେ ବାଇକ୍ ସହ ଦୂରକୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଦ୍ରୁତ ଗତି ଓ ଓଭର ଟେକିଂ ଯୋଗୁ ଏହି ସିରିଜ୍ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।












Click it and Unblock the Notifications