ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ
ଆଜି ଓଡ଼ିଶା ଫେରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ଥିବା ବେଳେ, ଗତକାଲି ଦିଲ୍ଲୀରେ ଆୟୋଜିତ ଆମ୍ବାସାଡର ମିଟ୍ରେ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ରାଷ୍ଟ୍ରଦୂତମାନଙ୍କୁ ଭେଟି ଆଲୋଚନା କରିଥିଲେ ।
ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫ର ପ୍ରାରମ୍ଭିକ ପର୍ଯ୍ୟାୟ ଭାବେ ଆୟୋଜିତ ମିଟରେ ଚୀନ୍, ଜାପାନ, ସିଙ୍ଗାପୁର, ବ୍ରାଜିଲ୍ ଓ ୟୁନାଇଟେଡ୍ କିଙ୍ଗଡମ୍ ଭଳି ୩୪ଟି ଦେଶର ରାଷ୍ଟ୍ରଦୂତ, ବାଣିଜ୍ୟିକ କମିଶନର ଓ ଶୀର୍ଷ ସ୍ତରର କୂଟନୈତିଜ୍ଞଙ୍କୁ ଭେଟିଛନ୍ତି ମୋହନ ମାଝୀ। ସେମିକଣ୍ଡକ୍ଟର, ଗ୍ରୀନ୍ ଏନର୍ଜି, ଆଇଟି କ୍ଷେତ୍ରରେ ବିନିଯୋଗ ସମ୍ଭାବନା ଅଧିକ ଥିବାବେଳେ ଓଡ଼ିଶାକୁ କିପରି ଅଧିକ ବିଦେଶୀ ପୁଞ୍ଜି ନିବେଶ ଆସିପାରିବ ସେନେଇ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ୱାନ୍ ଟୁ ୱାନ୍ ସାକ୍ଷାତ ଆଲୋଚନା ମଧ୍ୟ ହୋଇଛି ।
ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାୟ ୬୦୦ ଉଦ୍ୟୋଗପତି ଏଥିରେ ଯୋଗ ଦେଇଥିଲେ। ଶିଳ୍ପ ଆସନ୍ତାବର୍ଷ ଜାନୁୟାରୀ ୨୮ ଓ ୨୯ତାରିଖରେ ଉତ୍କର୍ଷ ଓଡ଼ିଶା-୨୦୨୫ କନକ୍ଲେଭ ପାଇଁ ଦିନ ଧାର୍ଯ୍ୟ ହୋଇଛି । ବିଜେଡି ସରକାରଙ୍କ 'ମେକ୍ ଇନ୍ ଓଡ଼ିଶା'ର ନାଁ ପରିବର୍ତ୍ତନ କରି ରାଜ୍ୟର ବିଜେପି ସରକାର ଏହାକୁ 'ଉତ୍କର୍ଷ ଓଡ଼ିଶା'ର ନାମକରଣ କରିଛନ୍ତି ।

ଅନୁକୂଳ ନୀତି ଯୋଗୁଁ ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶ୍ୱାସ ରହିଛି ୫ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଓଡ଼ିଶାରେ ନିଶ୍ଚିତ ବିନିଯୋଗ ହେବ ଏବଂ ଆମେ ଆମ ଉଦ୍ୟମରେ ନିଶ୍ଚୟ ରୂପେ ସଫଳ ହେବୁ । ରାଜ୍ୟରେ ୫ ବର୍ଷରେ ୫ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଲକ୍ଷ୍ୟ ରଖାଯାଇଛି।
ଏଥିସହ ସେ କହିଛନ୍ତି, ପୂର୍ବୋଦୟର ବିକାଶ ହେଲେ ଭାରତର ବିକାଶ ହେବ ବୋଲି ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ତାହା ସଫଳ ହେବ। ଓଡ଼ିଶାର ଯେଉଁ ଡବଲ ଇଞ୍ଜିନ ସରକାର ହୋଇଛି, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଓଡ଼ିଶା ଏକ ଶିଳ୍ପ ହବରେ ପରିଣତ ହେବାକୁ ଯାଉଛି। ଏନେଇ ନିଶ୍ଚିତ ରୂପରେ ଏକ ସଫଳ ସଙ୍କେତ ମିଳି ପାରିଛି। ଏହି ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଓ ବିଭାଗୀୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।












Click it and Unblock the Notifications