ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ଦିଲ୍ଲୀ ଗସ୍ତ; ୧୮ରେ ସିଙ୍ଗାପୁର ଯିବେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସନ୍ତା ୧୮ତାରିଖରୁ ତିନିଦିନିଆ ସିଙ୍ଗାପୁର ଗସ୍ତରେ ଯିବେ । ସେଠାରେ ଆୟୋଜନ ହେବାକୁ ଥିବା ରୋଡ୍ ସୋ'ରେ ଯୋଗ ଦେବା ସହ ନିବେଶକଙ୍କ ସହ ଆଲୋଚନା କରିବେ । ଆସନ୍ତା ଜାନୁଆରି, ୨୦୨୫ରେ ଭୁବନେଶ୍ବରରେ ଉତ୍କର୍ଷ ଓଡ଼ିଶା, ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜନ ହେବାକୁ ଥିବାବେଳେ ଏଥିରେ ଯୋଗ ଦେବାକୁ ସେ ବିଶ୍ବର କେତେକ ବଡ଼ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି ।
ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଏଥରର ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ଯେପରି ଅଧିକ କମ୍ପାନି ଯୋଗଦେବେ ଏବଂ ଅଧିକ ପୁଞ୍ଜିନିବେଶ କରିବେ ସେନେଇ ମୁଖ୍ୟମନ୍ତ୍ରୀ ନିଜେ ପୁଞ୍ଜିପତିମାନଙ୍କୁ ସିଧାସଳଖ ଭେଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ବିଦେଶ ଗସ୍ତ ସମୟରେ ତାଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା ଏବଂ କେତେକ ବରିଷ୍ଠ ଅଧିକାରୀ ଯିବେ ବୋଲି ଜଣାପଡ଼ିଛି। ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆସନ୍ତାକାଲିଠୁ ଦୁଇଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଦିଲ୍ଲୀ ଗସ୍ତ ସମୟରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଓଡ଼ିଶାର ବିଭିନ୍ନ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ଆସନ୍ତା ଜାନୁଆରି ୨୮ ଓ ୨୯ ତାରିଖରେ ଭୁବନେଶ୍ବରରେ ଆୟୋଜନ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗତମାସ ଦେଶର ରାଜଧାନୀ ନୂଆଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇରେ ରୋଡ୍ ସୋ' ଆୟୋଜନ କରାଯାଇଛି । ଏହି ଦୁଇ ସହରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ଅନେକ ବିଶିଷ୍ଟ ଶିଳ୍ପପତିଙ୍କୁ ଭେଟିଛନ୍ତି । ଶ୍ରୀ ମାଝୀ ମୁମ୍ବାଇରେ ରିଲାନ୍ସ ବୋର୍ଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନି, ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନିଲ ଅଗ୍ରୱାଲ, ଗୋଦ୍ରେଜ୍ ଅଧ୍ୟକ୍ଷ ନାଦିର ଗୋଦରେଜ୍, ଲକ୍ଷ୍ମୀ ଅର୍ଗାନିକ୍ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ରବି ଗୋଏଙ୍କା, ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ମୁଖ୍ୟ ସଜ୍ଜନ ଜିନ୍ଦଲ, ୱେଲସ୍ପନର ବିଜୟ ଗୋଏଙ୍କା ଓ ବାଳକୃଷ୍ଣ ଗୋଏଙ୍କାଙ୍କୁ ଭେଟିଥିଲେ ।
ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍-୨୦୨୫ ପାଇଁ ବିଶିଷ୍ଟ ଶିଳ୍ପପତିମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭେଟିବା ଦ୍ବାରା କେନ୍ଦୁଝର ଜିଲ୍ଲାରେ ଜେଏସ୍ଡବ୍ଲ୍ୟୁ-ପୋସ୍କୋର ମିଳିତ ସହଯୋଗରେ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବାର ଆଶା ଦେଖାଯାଇଛି, ଯାହା କି ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନକ ପୂର୍ବରୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।












Click it and Unblock the Notifications