ଓଡ଼ିଆ ଚଳଚ୍ଚିତ୍ରର ୯୦ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ଚଳଚ୍ଚିତ୍ରର ୯୦ ବର୍ଷ ପୂରଣ ଅବସରରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଆଜି ଏକ ଗୁରୁତ୍ଵପୂର୍ଣ୍ଣ ଦିନ। ୧୯୩୬ ମସିହା ଆଜିର ଦିନରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର "ସୀତା ବିବାହ" ମୁକ୍ତିଲାଭ କରିଥିଲା। ସେବେଠୁ ଆଜି ଯାଏଁ ଓଡ଼ିଆ ଚଳଚ୍ଚିତ୍ର ନୂତନ ପ୍ରଯୁକ୍ତି, କାହାଣୀ ବିବିଧତା ଏବଂ ବୈଶ୍ଵିକ ପରିଚୟ ସହିତ ଆଗକୁ ବଢ଼ୁଛି। ଓଡ଼ିଆ ଚଳଚ୍ଚିତ୍ର ପ୍ରକୃତପକ୍ଷରେ ଓଡ଼ିଶାର ସାଂସ୍କୃତିକ ଗରିମା, ଲୋକଜୀବନର ବର୍ଣ୍ଣିଳତା ଏବଂ ସମାଜର ଭାବନାକୁ ରୂପେଲି ପରଦାରେ ଅମର କରିଛି।

ନିଜ ଉତ୍ସର୍ଗୀକୃତ କାର୍ଯ୍ୟ ଦ୍ୱାରା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିଯାଇଥିବା ପ୍ରତ୍ୟେକ ବ୍ୟକ୍ତି ବିଶେଷଙ୍କୁ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଆ ଚଳଚ୍ଚିତ୍ର ଆଜି ୯୦ ବର୍ଷରେ ପାଦ ଦେଉଥିବାବେଳେ ଏହି ଗୌରବମୟ ଇତିହାସକୁ ସ୍ମରଣ କରି ସମସ୍ତ ଓଡ଼ିଆ ସିନେପ୍ରେମୀ, ଦର୍ଶକ, କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
ଓଡ଼ିଆ ସିନେମାକୁ ନବେ ବର୍ଷ । ରୁପେଲି ପରଦାରେ ଓଡ଼ିଆ କଥାଚିତ୍ର । କୌଣସି ବିସ୍ମୟଠାରୁ କମ୍ ନୁହେଁ । ହେଲେ ଏହାକୁ ସାକାର ରୂପ ଦେଇଥିଲେ ସେତେବେଳର ରାସ ମାଷ୍ଟ୍ରେ ମୋହନସୁନ୍ଦର ଦେବଗୋସ୍ବାମୀ।
ଐତିହ୍ୟ ମାଟି ଶ୍ରୀକ୍ଷେତ୍ରରୁ ଆରମ୍ଭ ହୋଇଥିଲା ଓଡ଼ିଆ ଚଳଚ୍ଚିତ୍ର ଇତିହାସର ଯାତ୍ରା। ପାଖରେ ଅର୍ଥ ନଥିଲା। ମୋହନ ଗୋସେଇଁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବା କଥା ଶୁଣି ଅନେକ ଟାହିଟାପରା କଲେ। କିନ୍ତୁ ନିଷ୍ପତ୍ତିରେ ଅଟଳ ଥିଲେ ଗୋସେଇଁ। ମରିଚିକୋଟରେ ଥିବା ଜମି ବିକିଦେଲେ। ଚଳଚ୍ଚିତ୍ର ନିର୍ମାଣ କରି ନିନ୍ଦୁକଙ୍କ ମୁହଁ ବନ୍ଦ କରିଦେଲେ।
୧୯୩୬ ମସିହା ଏପ୍ରିଲ ୨୮ ତାରିଖରେ ପୁରୀ ମାଟିରେ ଲକ୍ଷ୍ମୀ ଟକିଜ୍ ସିନେମା ହଲ୍ରେ 'ସୀତା ବିବାହ' ମୁକ୍ତିଲାଭ କଲା। ସେ ଓଡ଼ିଆ ଚଳଚ୍ଚିତ୍ରର ଜନକ ପାଲଟିଗଲେ। ଅଥଚ ଏହାର ପ୍ରିଣ୍ଟ ମଧ୍ୟ ସଂରକ୍ଷିତ ରଖାଯାଇପାରିଲା ନାହିଁ। ଯେଉଁ ଲକ୍ଷ୍ମୀ ଟକିଜ୍ରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା, ସେ ପ୍ରେକ୍ଷାଳୟ ବି କାଳର କରାଳ ଗତିରେ ମୁହଁ ମାଡ଼ି ପଡ଼ିବା ପରେ କେହି ହାତ ବଢ଼େଇ ଉଠାଇବାକୁ ଆଗେଇ ଆସିଲେ ନାହିଁ।
ସୀତା ବିବାହ' ଚଳଚ୍ଚିତ୍ର ୧୨ ରିଲ୍ ବିଶିଷ୍ଟ ଥିଲା। ଏଥିପାଇଁ ମୋଟ ୨୯ ହଜାର ୭୮୧ ଟଙ୍କା ଦଶ ଅଣା ଖର୍ଚ୍ଚ ହୋଇଥିଲା। ରାମ ଭୂମିକାରେ ଅଭିନୟ ପାଇଁ ମାଖନଲାଲ ବାନାର୍ଜୀ ୧୨୦ ଟଙ୍କା ପାଉଣା ବାବଦରେ ନେଇଥିଲେ। ସୀତା ଭୂମିକାରେ ଅଭିନୟ ପାଇଁ ପ୍ରଭାବତୀ ଦେବୀ ନେଇଥିଲେ ୧୫୦ ଟଙ୍କା। ଲକ୍ଷ୍ମଣ ଭୂମିକାରେ ଅଭିନୟ ପାଇଁ ଅଦ୍ୱୈତ ମହାନ୍ତି ୩୫ ଟଙ୍କା ନେଇଥିଲେ। କିଛି କଳାକାର କେବଳ ଯିବାଆସିବା ଖର୍ଚ୍ଚ ବାବଦ ପାରିଶ୍ରମିକ ନେଇଥିଲେ। ମୋହନ ଗୋସେଇଁଙ୍କ ନାତି ତଥା ଗୋଆ ଇଂଜିନିୟରିଂ କଲେଜର ପୂର୍ବତନ ପ୍ରାଧ୍ୟାପକ ନଟରାଜ ଦେବଗୋସ୍ବାମୀ ଜୀବିତ ଥିବା ଅବସ୍ଥାରେ ମିଳିଥିବା ସୂଚନା ମୁତାବକ, ଏହି ଚଳଚ୍ଚିତ୍ର ପାଇଁ ମରିଚିକୋଟସ୍ଥିତ ଜମି ବିକ୍ରି ହୋଇଥିଲା, ଯାହାକୁ ସେ ପୁନଃ କ୍ରୟ କରିଥିଲେ।












Click it and Unblock the Notifications