ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ତେବେ ଏଥିରେ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ 'ଏକ୍ସ' ହ୍ୟାଣ୍ଡେଲରେ ଲେଖିଛନ୍ତି, ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଗାମୀ ଦିନରେ ସରକାରଙ୍କ ଜଣେ ପ୍ରତିନିଧି ଭାବେ ଲୋକଙ୍କ ଅଧିକାରକୁ ଗୁରୁତ୍ୱ ଦେବା ସହିତ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ଶେଷ ସୋପାନରେ ପହଞ୍ଚାଇବା ପାଇଁ ସମସ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।

ଓଡ଼ିଶା ଲୋକସେବା ଆୟୋଗର ଓ୍ବେବ୍ସାଇଟ୍ www.opsc.gov.inରେ ଉପଲବ୍ଧ। ଏଥିରେ ମୋଟ୍ ୬୮୩ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଟପ୍ ଟେନ୍ରେ ୫ ମହିଳା ଏବଂ ୫ ପୁରୁଷ ଅଛନ୍ତି। ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର ହୋଇଥିବାବେଳେ ପ୍ରିଙ୍କିଲ ପରବୀନ ପରିଡ଼ା ଦ୍ୱିତୀୟ ଏବଂ ଦୀପ୍ତିରଞ୍ଜନ ପତି ତୃତୀୟ ସ୍ଥାନରେ ରହିଛନ୍ତି।
ସେହିପରି ୪ର୍ଥ ସ୍ଥାନରେ ପ୍ରଜ୍ଞା ପାରଙ୍ଗମ ରହିଥିବା ବେଳେ ୫ମ ସ୍ଥାନରେ ଆଜାଦ ସାହୁ, ୬ଷ୍ଠ ସ୍ଥାନରେ ଦୀପମ ରାଉତ, ୭ମ ସ୍ଥାନରେ ଦେବଦ୍ରତ ଗୌଡ଼,୮ମ ସ୍ଥାନରେ ଆଦିତ୍ୟ ଦୀପଙ୍କର ରାଉତ, ନବମ ସ୍ଥାନରେ କପିଳ କୁମାର ମହାନ୍ତି ରହିଥିବା ବେଳେ ୧୦ମ ସ୍ଥାନରେ ଅମ୍ରିତା ସାହୁ ରହିଛନ୍ତି।
ଉକ୍ତ ପରୀକ୍ଷା ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହୁଏ, ଯଥା:- ପ୍ରାରମ୍ଭିକ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ। ଓଡ଼ିଶା ସିଭିଲ ସର୍ଭିସ, ୨୦୨୨ ପରୀକ୍ଷାର ବିଜ୍ଞାପନ ତା ୩୦.୧୨.୨୦୨୨ରେ ସମୁଦାୟ ୬୮୩ ( ୨୨୭- ମହିଳା) ପଦବୀ ପାଇଁ ପ୍ରକାଶିତ ହୋଇଥିଲା ।
ଏହି ପରୀକ୍ଷା ପାଇଁ ସମୁଦାୟ ୯୨୯୧୪ (୩୪୭୧୨-ମହିଳା) ପ୍ରାର୍ଥୀ ଆବେଦନ କରିଥିଲେ ଏବଂ ଏହା ମଧ୍ୟରୁ ୪୦୫୮୬ (୧୪୮୫୨-ମହିଳା) ପ୍ରାର୍ଥୀ ତା-୧୫.୧୦.୨୦୨୩ରେ ଅନୁଷ୍ଠିତ ହୋଇଥିବା ପ୍ରାରମ୍ଭିକ ପରୀକ୍ଷା ଦେଇଥିଲେ। ୮୨୨୦ (୨୭୩୦-ମହିଳା) ଜଣ ପରୀକ୍ଷାର୍ଥୀ ଏହି ପ୍ରାରମ୍ଭିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଓଡିଶା ସିଭିଲ ସର୍ଭିସ (ମୁଖ୍ୟ) ପରୀକ୍ଷା, ୨୦୨୨ର ଲିଖିତ ପରୀକ୍ଷା ତା-୨୫.୦୨.୨୦୨୪ରୁ ତା ୦୩.୦୩.୨୦୨୪ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ଏହି ପରୀକ୍ଷାରେ ୬୬୩୯ (୨୩୩୭-ମହିଳା) ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ। ଏହା ମଧ୍ୟରୁ ୧୩୬୭ (୪୯୩-ମହିଳା) ପ୍ରାର୍ଥୀଙ୍କୁ ଦସ୍ତାବିଜ ଯାଞ୍ଚ ଏବଂ ଇଣ୍ଟରଭ୍ୟୁ ପରୀକ୍ଷା ପାଇଁ କଟକସ୍ଥିତ ଓଡ଼ଶା ଲୋକସେବା ଆୟୋଗର କାର୍ଯ୍ୟାଳୟରେ ତା ୧୦.୦୯.୨୦୨୪ ରିଖରୁ ତା ୦୭.୧୦.୨୦୨୪ ରିଖ ଅବଧି ମଧ୍ୟରେ ଡକାଯାଇଥିଲା।












Click it and Unblock the Notifications