୬ ଦିନିଆ ସିଙ୍ଗାପୁର ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ଏହି ଅବସରରେ ସେ ସେଠାକାର ଶିଳ୍ପପତିମାନଙ୍କୁ ଭେଟିବା ସହିତ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଆସନ୍ତା ୨୦୨୫ ଜାନୁୟାରୀରେ ଭୁବନେଶ୍ଵରରେ ହେବାକୁ ଥିବା 'ଉତ୍କର୍ଷ ଓଡ଼ିଶା' ସମାବେଶରେ ଯୋଗଦେବା ଲାଗି ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିବେ।

ସିଙ୍ଗାପୁର ଯିବା ପୂର୍ବରୁ ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକମାନଙ୍କୁ ବିବୃତି ଦେଇ କହିଛନ୍ତି, ଭାରତ ବାହାରେ ଏହା ହେଉଛି ମୋର ପ୍ରଥମ ନିବେଶକ ସମ୍ମିଳନୀ। ଏହି ଯାତ୍ରା ସଫଳ ହେବ ବୋଲି ବିଶ୍ଵାସ ରହିଛି। ମୁଁ ଆଶା କରୁଛି ଯେ, ଯେତେବେଳେ ସାରା ବିଶ୍ୱରୁ ନିବେଶକମାନେ ଭାରତରେ ନିବେଶ କରିବାକୁ ଚାହିଁବେ, ସେତେବେଳେ ଓଡିଶା ସେମାନଙ୍କର ପ୍ରଥମ ପସନ୍ଦର କ୍ଷେତ୍ର ହେବ। ସିଙ୍ଗାପୁରରେ ମୋର ସ୍ପଷ୍ଟ ବାର୍ତ୍ତା ହେବ ଯେ, ବ୍ୟବସାୟ ପାଇଁ ଓଡିଶା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ଏବଂ ଭାରତର ବିକାଶର କାହାଣୀରେ ଓଡିଶା ସମସ୍ତଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇ ଉଭା ହେବା ପାଇଁ ପ୍ରସ୍ତୁତ ଅଛି। ନିଜର ଉନ୍ନତ ଶିଳ୍ପ ବାତାବରଣ ପାଇଁ ସିଙ୍ଗାପୁର ପ୍ରସିଦ୍ଧ। ଏଠାରେ ରସାୟନ, ପେଟ୍ରୋକେମିକାଲ୍ସ, ସବୁଜ ଶକ୍ତି, ଲଜିଷ୍ଟିକ୍ସ, ଜାହାଜ ନିର୍ମାଣ, ଆର୍ଥିକ ସେବା, ଇଲୋକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଓ ବସ୍ତ୍ର ନିର୍ମାଣ ଆଦି କ୍ଷେତ୍ରରେ ବିଶ୍ୱର ବଡ ବଡ କମ୍ପାନୀମାନେ କାମ କରୁଛନ୍ତି। ଆମେ ସେହି ସବୁ କମ୍ପାନୀ ଗୁଡିକର ଶୀର୍ଷ ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରିବୁ ଏବଂ ଓଡିଶାର ପ୍ରାକୃତିକ ସମ୍ବଳ, ଦକ୍ଷ ମାନବ ସମ୍ବଳ ଓ ଆମର ଉନ୍ନତ ଶିଳ୍ପ ନୀତି ଗୁଡିକ ସମ୍ପର୍କରେ ସେମାନଙ୍କୁ ଜଣାଇବୁ । ଆମେ ସିଙ୍ଗାପୁରରେ ଟୁଆସ୍ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ୍ସ କମ୍ପ୍ଲେକ୍ସ ଏବଂ ଆଇଟିଇଇଏସ ସିଙ୍ଗାପୁର ଭଳି କେତେକ ବିଶ୍ୱ ସ୍ତରୀୟ କମ୍ପାନୀ ପରିଦର୍ଶନ କରିବୁ। ମୁଁ ସିଙ୍ଗାପୁର ଏବଂ ପଡୋଶୀ ଏସୀୟ ଦେଶମାନଙ୍କରେ ଥିବା ପ୍ରବାସୀ ଓଡିଆ ଭାଇଭଉଣୀମାନଙ୍କୁ ମଧ୍ୟ ଭେଟିବି। ସେମାନେ ଓଡିଆ ଭାଷା ଓ ସଂସ୍କୃତିର ବ୍ରାଣ୍ଡ ଆମ୍ବାସାଡର ହୋଇ ଆମକୁ ଗୌରବାନ୍ୱିତ କରିଛନ୍ତି। ଓଡିଶା ଓ ସିଙ୍ଗାପୁରର ସମ୍ପର୍କକୁ ମଜବୁତ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି।












Click it and Unblock the Notifications