ବାତ୍ୟା ପରର ସ୍ଥିତି ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳେ ପୁଣି ବାତ୍ୟାର ସମୀକ୍ଷା କରିଛନ୍ତି। ଏନେଇ ସେ ଏକ ବୈଠକ କରିଛନ୍ତି। ଏଥିରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁଲିସ ଡିଜି ଓ୍ବାଇ ବି ଖୁରାନିଆ ଓ ସ୍ବତନ୍ତ୍ର ରିଲିଫ୍ କମିସନର୍ ପ୍ରମୁଖ ଉପସ୍ଥିତ ଅଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି।
ସେହିପରି ବାତ୍ୟା 'ଦାନା' ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଅର୍ଥାତ୍ ଗୁରୁବାର ରାତିରେ ମୁଖ୍ୟମନ୍ତ୍ରୀ ଏସ୍ଆର୍ସିଙ୍କ କାର୍ଯ୍ୟାଳୟରେ ପହଞ୍ଚି ବାତ୍ୟା ସମୀକ୍ଷା କରିଥିଲେ। ୫ ଲକ୍ଷ ୮୪ ହଜାର ୮୮୮ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ବାତ୍ୟା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରିଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଏନ୍ଡିଆର୍ଏଫ୍, ଓଡିଆର୍ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି।
ବାତ୍ୟା ପରବର୍ତ୍ତୀ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଥିବା ସେ କହିଛନ୍ତି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଗୁରୁବାର ପାରାଦୀପରେ ୬୨.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଚାନ୍ଦବାଲିରେ ୪୬.୨, ରାଜକନିକା ୨୭, ରାଜନଗର ୨୪, ନୀଳଗିରି ୨୩, ପଟ୍ଟାମୁଣ୍ଡାଇ ୨୨.୫, ସୋରୋ ୧୯, ବେତନଟୀ ୧୯, ଔପଦା ୧୮, ଧାମନଗର ୧୬, ସାରସକଣାରେ ୧୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ବାତ୍ୟା 'ଦାନା'ର ପ୍ରଭାବରେ ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଆଜି ପାଇଁ ରାଜ୍ୟର ୯ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି- ଅନୁଗୋଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢେଙ୍କାନାଳ ଓ ପୁରୀ। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ବୌଦ୍ଧ, ସୋନପୁର ଓ ନୟାଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ମଧ୍ୟ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ପ୍ରବେଶ ନ କରିବାକୁ ପରାମର୍ଶ ଦିଆଯାଇଛି।












Click it and Unblock the Notifications